News7 Logo

ହମାସର ସାମରିକ ମୁଖପାତ୍ରଙ୍କୁ ହତ୍ୟା କଲା IDF, ଦିନକ ପୂର୍ବରୁ ନେତାନ୍ୟାହୁଙ୍କୁ ଦେଇଥିଲେ ଧମକ

NEWS7

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ମଧ୍ୟରେ ସଂଘର୍ଷ ଶେଷ ହେଉନାହିଁ। ଏବେ ଗାଜାରେ ଥିବା ହମାସର ପ୍ରତ୍ୟେକ ବିପଦକୁ ଟାର୍ଗେଟ କରୁଛି IDF। ଇସ୍ରାଏଲ କେନ୍ଦ୍ରୀୟ ଗାଜାରେ ବିନାଶ ଘଟାଇଛି। ହମାସର ସାମରିକ ଶାଖାର ମୁଖପାତ୍ର ଆବୁ ଓବେଇଦାଙ୍କୁ ହତ୍ୟା କରିଛି ଇସ୍ରାଏଲୀ ସେନା। ରଏଟର୍ସ ଅନୁଯାୟୀ, କେନ୍ଦ୍ରୀୟ ଗାଜାର ଏକ ସ୍ଥାନୀୟ ବେକେରୀ ନିକଟରେ ଇସ୍ରାଏଲ ଏହି ଆକ୍ରମଣ କରିଥିଲା। 

ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଆବୁ ଓବେଇଦା ମୃତ ବୋଲି ସ୍ପଷ୍ଟ କରିଛି ଇସ୍ରାଏଲ। ଆବୁ ଓବେଇଦା ଏକ ବିବୃତ୍ତି ଜାରି କରି ଇସ୍ରାଏଲକୁ ଗାଜା ସହର କବଜା କରିବାକୁ ଚେଷ୍ଟା ନକରିବାକୁ ଚେତାବନୀ ଦେଇଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ସେହି ଅଞ୍ଚଳରେ ବନ୍ଦୀ ଥିବା ଇସ୍ରାଏଲୀ ବନ୍ଧକଙ୍କ ସୁରକ୍ଷା ମଧ୍ୟ ବିପଦରେ ଅଛି। ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (IDF) ଅନୁଯାୟୀ, ନାଗରିକ ମୃତାହତଙ୍କୁ ହ୍ରାସ କରିବା ଲକ୍ଷ୍ୟରେ ସଠିକ ଅସ୍ତ୍ର ଏବଂ ଏୟାରକ୍ରାଫ୍ଟ ସହିତ ମିଶନ କରାଯାଇଥିଲା। IDF କହିଛି ଯେ ସେମାନେ ଶିନ୍ ବେଟ୍ ଏବଂ ସାମରିକ ଗୁପ୍ତଚର ଦ୍ୱାରା ପ୍ରାପ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଆଧାରରେ ଏହି ଆକ୍ରମଣ କରିଛନ୍ତି।

ଇସ୍ରାଏଲ ଖୁବ୍ ଶୀଘ୍ର ଉତ୍ତର ଗାଜାର କିଛି ଅଂଶକୁ ମାନବିକ ସହାୟତା ଯୋଗାଣ ବନ୍ଦ କରିବ। ଗାଜା ସହରକୁ ଯୁଦ୍ଧ କ୍ଷେତ୍ର ଘୋଷଣା କରାଯିବାର ଗୋଟିଏ ଦିନ ପରେ ଶନିବାର ଜଣେ ଇସ୍ରାଏଲୀ ଅଧିକାରୀ ଏହା କହିଛନ୍ତି। ସେ କହିଛନ୍ତି ଯେ ଇସ୍ରାଏଲ ଆଗାମୀ ଦିନରେ ଗାଜା ସହରକୁ ମାନବିକ ସହାୟତାର ବିମାନ ବିତରଣ ବନ୍ଦ କରିବ। କ୍ଷେତ୍ରର ଦକ୍ଷିଣ ଭାଗରୁ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଥିବାରୁ କ୍ଷେତ୍ରର ଉତ୍ତର ଭାଗକୁ ସହାୟତା ଯୋଗାଣକାରୀ ଟ୍ରକ୍ ସଂଖ୍ୟା ହ୍ରାସ କରିବ।

ଗତ କିଛି ମାସ ମଧ୍ୟରେ,  ହମାସ ରାଜନୈତିକ ମୁଖ୍ୟ ଇସମାଇଲ୍ ହାନିୟେ, ସାମରିକ କମାଣ୍ଡର ମହମ୍ମଦ ଦୈଫ୍ ଏବଂ ଅକ୍ଟୋବର ୭ ଆକ୍ରମଣର ଷଡ଼ଯନ୍ତ୍ରକାରୀ ୟାହ୍ୟା ସିନୱାରଙ୍କ ସମେତ ଟପ୍‌ ଲିଡରଙ୍କୁ ନିପାତ କରିଛି ଆଇଡିଏଫ। AFP ଅନୁଯାୟୀ, ଅକ୍ଟୋବର 2023ରେ ଦକ୍ଷିଣ ଇସ୍ରାଏଲ ଉପରେ ହମାସ ଆକ୍ରମଣରେ ୧,୨୧୯ ଜଣଙ୍କର ମୃତ୍ୟୁ ହୋଇଥିଲା।