LIVE TV

କଂଗ୍ରେସକୁ ଡରାଇଲାଣି କର୍ଣ୍ଣାଟକ ଭୟ : ଡିସେମ୍ବର ୧ ଭିତରେ ନିଷ୍ପତ୍ତି ନେବେ ରାହୁଲ

NEWS7
group-of-jharkhand-elephants-in-nilgiri-area

ନୂଆଦିଲ୍ଲୀ, ୨୬/୧୧ : କର୍ଣ୍ଣାଟକ କଂଗ୍ରେସରେ ସବୁ କିଛି ଠିକ୍ ଚାଲିନି । ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରୁଛନ୍ତି ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଗୋଷ୍ଠୀ । ମୁଖ୍ୟମନ୍ତ୍ରୀ ବଦଳାଇବା ପାଇଁ ଦିଲ୍ଲୀରେ ଲବି ଆରମ୍ଭ ହୋଇଯାଇଛି । ସେମାନେ ସିଦ୍ଧରମୈୟାଙ୍କୁ ଗ୍ରହଣ କରିପାରୁନାହାଁନ୍ତି । ବାରମ୍ବାର ଦିଲ୍ଲୀ ଗସ୍ତ କରି ଟପ୍ ନେତାଙ୍କୁ ଭେଟି ଦାବି ଉପସ୍ଥାପନା କରୁଛନ୍ତି । ତେବେ ଡିସେମ୍ବର ପୂର୍ବରୁ ଏଆଇସିସିର ଶୀର୍ଷ ନେତୃତ୍ୱ ଏବାବଦରେ ଚୂଡାନ୍ତ ନିଷ୍ପତ୍ତି ନେବା ନେଇ ଚର୍ଚ୍ଚା ହେଉଛି ।

ଦଳର ସୂତ୍ରାନୁସାରେ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଖୁବ୍ ଶୀଘ୍ର ରାହୁଲ ଗାନ୍ଧୀଙ୍କୁ ଭେଟିବେ । ବୁଧବାର କିମ୍ବା ଗୁରୁବାର ଉଭୟ ନେତା ସାକ୍ଷାତ କରିପାରନ୍ତି । ଉଭୟ ସିଦ୍ଧରମୈୟା ଏବଂ ଡିକେ ଶିବକୁମାରଙ୍କୁ ଦିଲ୍ଲୀ ଡକାଯିବ । ନଭେମ୍ବର ୨୮ କିମ୍ବା ୨୯ରେ ସେମାନେ ଦିଲ୍ଲୀ ଗସ୍ତ କରିବେ । ଦୁଇ ନେତା ଖୋଲାଖୋଲି ଭାବେ ବିଭିନ୍ନ ବୟାନ ଦେଇଥିବା ବାବଦରେ ସେମାନଙ୍କୁ ପ୍ରଶ୍ନ କରାଯାଇପାରେ ।

କୁହାଯାଉଛି ଯେ, କଂଗ୍ରେସର ହାଇକମାଣ୍ଡ କର୍ଣ୍ଣାଟକ ଅଡୁଆକୁ ଶୀଘ୍ର ତୁଟାଇବା ମୁଡରେ ଅଛନ୍ତି । ଆସନ୍ତା ଶୀତ ଅଧିବେଶନ ପୂର୍ବରୁ ଏପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ପଡିବ । ଦକ୍ଷିଣରେ ନିଜର ସ୍ଥିତି ବଜାୟ ରଖିବା ପାଇଁ କର୍ଣ୍ଣାଟକ ସରକାରରେ ସ୍ଥିରତା ଜରୁରୀ ବୋଲି ଦଳ ବୁଝିସାରିଛି ।

ଗୋଟିଏ ଦିଗରେ ସିଦ୍ଧରମୈୟାଙ୍କ ସମର୍ଥିତ ବିଧାୟକ ଏବେଯାଏଁ ନିରବତା ବଜାୟ ରଖିଛନ୍ତି । ମାର୍ଚ୍ଚ ମାସରେ କ୍ୟାବିନେଟ ଅଦଳବଦଳ ହେବାକୁ ଥିବାରୁ ସେମାନେ ମୁହଁ ଖୋଲୁ ନାହାଁନ୍ତି । ଅନ୍ୟ ଦିଗରେ ଶିବକୁମାରଙ୍କ ସମର୍ଥିତ ବିଧାୟକ ୨୦୨୩ର ଜବାବ ଅନୁସାରେ ଦଳକୁ କାର୍ଯ୍ୟ କରିବା ପାଇଁ ଚାପ ପକାଉଛନ୍ତି । ହେଲେ ସମସ୍ତ ନିଷ୍ପତ୍ତି ରାହୁଲ ଗାନ୍ଧୀ ଏବଂ ଟପ୍ ନେତାଙ୍କ ଉପରେ ନିର୍ଭର କରିବ । ଦଳ ସିଦ୍ଧରମୈୟାଙ୍କୁ ଭରସା କରିବ ନା ଡିକେଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରିବ ତାହା ଡିସେମ୍ବର ୧ସୁଦ୍ଧା ସ୍ପଷ୍ଟ ହୋଇଯିବ ।