News7 Logo

ଆଈର ଦଶାହରେ ନଦୀରେ ବୁଡିଗଲେ ଦୁଇ ନାତି : ଜଣେ ମୃତ, ଜଣେ ଗୁରୁତର

NEWS7

ଢେଙ୍କାନାଳ ୩୧।୮: ଆଈର ଶୁଦ୍ଧିକ୍ରିୟାରେ ଘଟିଛି ଅଘଟଣ । ଦଶାହ କର୍ମ ପାଇଁ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନାତି ଦୁଇ ଜଣ ବୁଡି ଯାଇଛନ୍ତି । ତେବେ ଉଭୟଙ୍କୁ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କରିଥିଲେ ମଧ୍ୟ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ରହିଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ହାତୁଆରୀ ଗାଁ ରାମିଆଳ ନଦୀରେ ଘଟିଛି ଏହି ଅଘଟଣ । ମୃତକ ଜଣେ ନାବାଳକ ଓ ସେ ଯାଜପୁର ଜିଲ୍ଲା ଟମକା ଗ୍ରାମର ସୁରେଶ ବାରିକଙ୍କ ୧୧ ବର୍ଷର ପୁଅ ମିହିର ବାରିକ ବୋଲି ଜଣାପଡିଛି । ତେବେ ଉଦ୍ଧାର ହୋଇ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୧୨ ବର୍ଷୀୟ ନାବାଳକ ସାରୁଆଳି ଗ୍ରାମର ଜ୍ୟୋତିରଞ୍ଜନ ବାରିକ ବୋଲି ଜଣାପଡିଛି । 

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ସାରୁଆଳି ଗ୍ରାମର ମୃତ ସୁନ୍ଦରୀ ବାରିକଙ୍କର ଆଜି ଦଶାହ ଥିଲା । ମୃତ ନାବାଳକ ମିହିର ତାଙ୍କ ମା'ଙ୍କ ସହିତ ଆଈର ଦଶାହକର୍ମକୁ ସାରୁଆଳି ଗ୍ରାମକୁ ଯାଇଥିଲେ । ତେବେ ପରିବାରର ଅନ୍ୟ ମାନଙ୍କ ସହିତ ନଦୀ କୂଳରେ ଦଶାହ କର୍ମ ଚାଲିଥିବା ବେଳେ ମିହିର ଓ ତାର ମାମୁଁ ପୁଅ ଭାଇ ଜ୍ୟୋତିରଞ୍ଜନ ମିଶି ନଦୀରେ ଗାଧାଉଥିବା ବେଳେ ବୁଡି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ଏହା ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ସହାୟତାରେ ନଦୀରୁ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରଖାନାରେ ମିହିରକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସାରୁଆଳି ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । 

You Can Read: