ନୂଆଦିଲ୍ଲୀ ୨।୧୦: କେନ୍ଦ୍ର ସରକାର ସଂସଦର ୨୪ ସ୍ଥାୟୀ କମିଟି ଗଠନକୁ ମଞ୍ଜୁର କରିଛନ୍ତି। ଏଥି ମଧ୍ୟରୁ ୧୧ଟି କମିଟିର ଦାୟିତ୍ୱ ବିଜେପି ଉପରେ ନ୍ୟସ୍ତ କରାଯାଇଥିବା ବେଳେ କଂଗ୍ରେସକୁ ୪, ଟିଏମସି ଓ ଡିଏମକେକୁ ୨ଟି ଲେଖାଏଁ, ସମାଜବାଦୀ ପାର୍ଟି, ଜେଡିୟୁ, ଏନସିପି, ଟିଡିପି ଓ ଶିବସେନାକୁ ଗୋଟିଏ ଲେଖାଏଁ କମିଟିର ଦାୟିତ୍ୱ ଦିଆଯାଇଛି। ତେବେ ସବୁଠୁ ଯାହା ଖାସ କଥା ଏବେକା କମିଟି ମାନଙ୍କର ଅଧ୍ୟକ୍ଷଙ୍କୁ ବଦଳା ଯାଇ ନାହିଁ।

ଏଥିରେ କଂଗ୍ରେସ ନେତା ତଥା ରାଜ୍ୟସଭା ସାସଂଦ ଦିଗବିଜୟ ସିଂହଙ୍କୁ ବଡ଼ଦାୟିତ୍ୱ ଦିଆଯାଇଛି। ତାଙ୍କୁ ମହିଳା, ଶିଶୁ ବିକାଶ, ଶିକ୍ଷା ଓ ଯୁବ ବ୍ୟାପାର ସମ୍ପର୍କିତ ସଂସଦୀୟ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଏହା ଛଡା ଡିଏମକେ ସାଂସଦ ଟି.ଶିବଙ୍କୁ ଉଦ୍ୟୋଗ କମିଟି ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବା ବେଳେ ଜେଡିୟୁର ସଞ୍ଜୟ କୁମାର ଝାଙ୍କୁ ପରିବହନ କମିଟି ଦାୟିତ୍ୱ ଦିଆଯାଇଛି।

ଏଥିରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ସବୁଠୁ ଅଧିକ ଲାଭ ମିଳିଛି। ତାଙ୍କୁ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ବିଦେଶ ବ୍ୟାପାର ସଂସଦୀୟ କମିଟିର ଅଧ୍ୟକ୍ଷ କରାଯାଇଛି। ସେହିପରି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ସମେତ ଅନ୍ୟ ନେତାଙ୍କୁ ନିଜନିଜ ପଦବୀରେ କାୟମ ରଖାଯାଇଛି। ସଂସଦୀୟ ସ୍ଥାୟୀ କମିଟିକୁ ସଂସଦର ସ୍ଥାୟୀ ଅଙ୍ଗ ମନେ କରାଯାଏ। ଏଥିରେ ଲୋକସଭା ଓ ରାଜ୍ୟ ସଭାର ନିର୍ଦ୍ଧାରିତ ସାଂସଦଙ୍କୁ ସାମିଲ କରାଯାଇଥାଏ, ଯେଉଁମାନେ ସଂସଦରେ ପ୍ରସ୍ତାବିତ ଆଇନର ଯାଞ୍ଚ କରିବା, ସରକାରୀ ନୀତିର ସମୀକ୍ଷା କରିବା ଓ ବଜେଟ ଆବଣ୍ଟନକୁ ନିରୀକ୍ଷଣ କରିବା ଆଦି କାମ କରନ୍ତି। ଏହି କମିଟିମାନେ ମନ୍ତ୍ରାଳୟଙ୍କୁ ସାକ୍ଷ ଓ ଜବାବ ମାଗି ସରକାରଙ୍କୁ ଉତ୍ତରଦାୟୀ କରନ୍ତି।