ନୂଆଦିଲ୍ଲୀ ୬।୯: ଖାଲିସ୍ତାନୀଙ୍କୁ ନେଇ କାନାଡା ଅର୍ଥମନ୍ତ୍ରାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରୁ ବଡ଼ ଖୁଲାସା ହୋଇଛି। ରିପୋର୍ଟରେ ଆତଙ୍କବାଦକୁ ଫଣ୍ଡିଂ ଓ ମନିଲଣ୍ଡ୍ରିଂ ମାମଲା ସାମ୍ନାକୁ ଆସିଛି। କାନାଡାରେ ଥିବା ଆତଙ୍କବାଦୀ ସଙ୍ଗଠନ, ଯେଉଁମାନଙ୍କ ଉପରେ ଭାରତରେ ଆତଙ୍କବାଦୀ ଆକ୍ରମଣର ଅଭିଯୋଗ ରହିଛି ସେମାନେ କାନାଡାରେ ଆତଙ୍କବାଦ ପାଇଁ ପାଣ୍ଠି ସଂଗ୍ରହ କରୁଛନ୍ତି।

କାନାଡା ସରକାରଙ୍କ ‘୨୦୨୫ ଆସେସମେଣ୍ଟ ଅଫ ମନି ଲଣ୍ଡ୍ରିଂ ଆଣ୍ଡ ଟେରୋରିଷ୍ଟ ଫାଇନାନସିଂ ରିସ୍କ ଇନ କାନାଡା’ ରିପୋର୍ଟର ୬୨ନମ୍ବର ପୃଷ୍ଠାରେ ଅର୍ଥମନ୍ତ୍ରାଳୟ ସୂଚନା ଦେଇଛନ୍ତି ଯେ ଖାଲିସ୍ତାନୀ ଉଗ୍ରବାଦ ସମୂହ ଯିଏ ପଞ୍ଜାବରେ ହିଂସାତ୍ମକ ଉପାୟରେ ପୃଥକ ଦେଶ ସ୍ଥାପନାର ଦାବି କରୁଛନ୍ତି, ସେମାନେ କାନାଡ଼ା ସହିତ ଅନ୍ୟ ଦେଶମାନଙ୍କୁ ମଧ୍ୟ ପାଣ୍ଠି ସଂଗ୍ରହ କରୁଛନ୍ତି। ସେହିପରି ରିପୋର୍ଟର ୬୧ ନମ୍ବର ପୃଷ୍ଠାରେ କୁହାଯାଇଛି ଯେ କାନାଡାର କ୍ରିମିନାଲ କୋଡ ଅନୁସାରେ ଆତଙ୍କବାଦ ଘୋଷିତ ସଙ୍ଗଠନଙ୍କ ସୂଚୀରେ ସାମିଲ ବବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ) ଓ ଇଣ୍ଟରନ୍ୟାସନାଲ ଶିଖ ୟୁଥ ଫେଡେରେସନ (ଆଇଏସୱାଇଏଫ)ଙ୍କୁ କାନାଡା ଭିତରୁ ଆର୍ଥିକ ସହାୟତା ମିଳୁଥିବାର ପ୍ରମାଣ ଗୁଇନ୍ଦା ଓ ଯାଞ୍ଚ ଏଜେନ୍ସୀମାନଙ୍କ ତଦନ୍ତରୁ ସାମ୍ନାକୁ ଆସିଛି।

ଉଲ୍ଲେଖଯୋଗ୍ୟ ଯେ କାନାଡା ଗତ ୫ ବର୍ଷ ହେଲା ଖାଲିସ୍ତାନୀଙ୍କ ଗଡ଼ରେ ପରିଣତ ହୋଇଛି। ୨୦୧୯ରୁ ଅକ୍ଟୋବର ୨୦୨୪ ସୁଦ୍ଧା କାନାଡା ସରକାର ୧,୦୪୫ରୁ ଅଧିକ ସ୍ୱଘୋଷିତ ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ନିଜ ଦେଶରେ ଶରଣ ଦେଇଛନ୍ତି। ରିପୋର୍ଟରେ ଏହା ବି କୁହାଯାଇଛି ଯେ ପ୍ରବାସୀ ଶିଖ ସମୂଦାୟଙ୍କ ଠାରୁ ଦାନ ସଂଗ୍ରହ ନିମନ୍ତେ ନେଟୱାର୍କ ତିଆରି କରାଯାଇଛି। ଏହି ପାଣ୍ଠିକୁ ନନ ପ୍ରଫିଟ ଅର୍ଗାନାଇଜେସନ (ଏନପିଓ) ମାଧ୍ୟମରେ ଏକାଠି କରାଯାଇ ଅନ୍ୟ ଖାତାକୁ ଟ୍ରାନ୍ସଫର କରାଯାଉଛି।

ରିପୋର୍ଟରେ ଦାବି କରାଯାଇଛି ଯେ ଖାଲିସ୍ତାନୀ ଆତଙ୍କୀ ନେଟୱାର୍କ ସମର୍ଥନ ଯୋଗାଡ ନିମନ୍ତେ ଟାରିଟେବଲ ଓ ନନପ୍ରଫିଟ ଚ୍ୟାନେଲଙ୍କ ସାହାରା ନେଉଛନ୍ତି। ତେବେ ଏହା ତାର ମୋଟ ଅପରେସନାଲ ଫଣ୍ଡିଂର ଏକ ଛୋଟିଆ ଅଂଶ। ହେଲେ ସେମାନଙ୍କ ପାଣ୍ଠିର ସିଂହଭାଗ କେଉଁଠୁ ଆସୁଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ତେବେ ଭାରତୀୟ ଗୁଇନ୍ଦା ଏଜେନ୍ସୀଙ୍କ ସୂଚନା ଅନୁସାରେ କାନାଡାରୁ ସଞ୍ଚାଳିତ ହେଉଥିବା ଖାଲିସ୍ତାନୀ ଆତଙ୍କୀ ସଙ୍ଗଠନ ପାଣ୍ଠିର ସବୁଠୁ ବଡ଼ ସ୍ରୋତ ଡ୍ରଗ ନେଟୱାର୍କ। ଯାହାଦ୍ୱାରା କାନାଡା ଓ ଆମେରିକାରେ ଖାଲିସ୍ତାନୀ ନେଟୱାର୍କ ସଞ୍ଚାଳିତ ହେଉଛି।