News7 Logo

ମହାରାଷ୍ଟ୍ର ରାଜ୍ୟପାଳ ଦାୟିତ୍ୱ ନେବାକୁ ଟ୍ରେନରେ ମୁମ୍ବାଇ ପହଞ୍ଚିଲେ ଆଚାର୍ଯ୍ୟ ଦେବବ୍ରତ, ସେୟାର କଲେ Video

NEWS7
Acharya Devabrat

ମୁମ୍ବାଇ ୧୪।୯: ସି.ପି. ରାଧକୃଷ୍ଣନ ଉପରାଷ୍ଟ୍ରପତି ହେବା ପରେ ମହାରାଷ୍ଟ୍ର ରାଜ୍ୟପାଳଙ୍କ ଅତିରିକ୍ତ ଦାୟିତ୍ୱ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଦିଆଯାଇଛି। ରାଜ୍ୟପାଳ ଦେବବ୍ରତ ମହାରାଷ୍ଟ୍ର ରାଜ୍ୟପାଳଙ୍କ କାର୍ଯ୍ୟଭାର ଗ୍ରହଣ କରିବାକୁ ରବିବାର ମୁମ୍ବାଇ ପହଞ୍ଚିଛନ୍ତି। ଏଥି ପାଇଁ ଆଚାର୍ଯ୍ୟ ଦେବବ୍ରତ ଅହମଦାବାଦରୁ ମୁମ୍ବାଇ ପର୍ଯ୍ୟନ୍ତ ଟ୍ରେନରେ ଯାତ୍ରା କରିଛନ୍ତି। ଆଚାର୍ଯ୍ୟ ଦେବବ୍ରତ ତାଙ୍କର ଏହି ଯାତ୍ରା ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ମହାରାଷ୍ଟ୍ର ରାଜ୍ୟପାଳଙ୍କ ଅତିରିକ୍ତ ଦାୟିତ୍ୱ ଗ୍ରହଣ ନିମନ୍ତେ ମୁମ୍ବାଇ ଯିବାକୁ ସେ ରବିବାର ଅହମଦାବାଦରୁ ମୁମ୍ବାଇ ପର୍ଯ୍ୟନ୍ତ ‘ତେଜସ୍ ଏକ୍ସପ୍ରେସ୍’ରେ ରେଳ ଯାତ୍ରା କରିଛନ୍ତି। ଏଥି ପାଇଁ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ପତ୍ନୀ ଦର୍ଶନା ଦେବୀଙ୍କ ସହିତ ୧୪ ସେପ୍ଟେମ୍ବର ସକାଳେ ଅହମଦାବାଦରୁ ତେଜସ ଏକ୍ସପ୍ରେସ୍ ଟ୍ରେନରେ ମୁମ୍ବାଇ ଯାତ୍ରା କରିଥିଲେ। ଆଚାର୍ଯ୍ୟ ଦେବବ୍ରତ ତାଙ୍କର ଏହି ଯାତ୍ରାର ଭିଡିଓ ଏକ୍ସ ରେ ସେୟାର କରି ଲେଖିଛନ୍ତି ଯେ ‘ମହାରାଷ୍ଟ୍ର ରାଜ୍ୟପାଳଙ୍କ ଅତିରିକ୍ତ ଦାୟିତ୍ୱ ତୁଲାଇବା ପାଇଁ ମୁମ୍ବାଇ ଯିବା ନିମନ୍ତେ ଆଜି ଅହମଦାବାଦରୁ ମୁମ୍ବାଇ ପର୍ଯ୍ୟନ୍ତ ତେଜସ୍ ଏକ୍ସପ୍ରେସରେ ରେଳ ଯାତ୍ରା କଲି’।

ଆଚାର୍ଯ୍ୟ ଦେବବ୍ରତଙ୍କୁ ଜଣେ ଶିକ୍ଷାବିଦ୍, ସମାଜସେବୀ ଓ ବୈଦିକ ବିଦ୍ୱାନ ରୂପେ ଦେଖାଯାଏ। ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୁରୁକୂଳ ଶିକ୍ଷା ପ୍ରଣାଳୀ ସହ ଜଡିତ ଥିଲେ। ସେ ହରିୟାଣାର କୁରୁକ୍ଷେତ୍ର ଗୁରୁକୂଳରେ ପ୍ରାଧାନାଚାର୍ଯ୍ୟ ରୂପେ କାମ କରିଛନ୍ତି। ଶିକ୍ଷାକ୍ଷେତ୍ରରେ ତାଙ୍କର ଯୋଗଦାନ ନିମନ୍ତେ ତାଙ୍କୁ ସମ୍ମାନୀତ ମଧ୍ୟ କରାଯାଇଛି। ଆଚାର୍ଯ୍ୟ ଦେବବ୍ରତ ତାଙ୍କ ସାର୍ବଜନିକ ଜୀବନର ପ୍ରାରମ୍ଭ ଶିକ୍ଷା ଓ ସମାଜ ସେବାରୁ କରିଥିଲେ।

୨୦୧୫ ମସିହାରେ ତାଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା। ଏହାକୁ ତାଙ୍କ ରାଜନୈତିକ ଜୀବନର ପ୍ରାରମ୍ଭ ମନେ କରାଯାଏ। ଜୁଲାଇ ୨୦୧୯ରେ ତାଙ୍କୁ ଗୁଜରାଟ ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା ଓ ସେବେଠାରୁ ଏ ପର୍ଯ୍ୟନ୍ତ ଗୁଜୁରାଟ ରାଜ୍ୟପାଳ ଦାୟିତ୍ୱ ଦକ୍ଷତାର ସହ ତୁଲାଇ ଆସୁଛନ୍ତି। ଏବେ ୨୦୨୫ ମସିହାରେ ତାଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ପଦବୀର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।