ନୂଆଦିଲ୍ଲୀ: ଚାଷୀକୂଳ ପାଇଁ ଖୁସିର ଖବର। ଚଳିତ ବର୍ଷ ମୌସୁମୀରେ ସମଗ୍ର ଦେଶରେ ସ୍ଵାଭାବିକଠୁ ଅଧିକ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି। ଆଇଏମଡିର ଏହି ଭବିଷ୍ୟତବାଣୀ କୃଷି ଓ ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଭଲ ଖବର ନେଇ ଆସିଛି। କାରଣ କୃଷି କ୍ଷେତ୍ର ଭାରତୀୟ ସକଳ ଘରୋଇ ଉତ୍ପାଦ(ଜିଡିପି)ରେ ୧୮ ପ୍ରତିଶତ ଯୋଗଦାନ ଦେଇଥାଏ। ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ ରବିଚନ୍ଦ୍ରନ ମଙ୍ଗଳବାର କହିଛନ୍ତି, ଚଳିତ ବର୍ଷ ଦୀର୍ଘକାଳୀନ ପାଣିପାଗ ପୂର୍ବାନୁମାନ ମୁତାବକ, ମୌସୁମୀ ବର୍ଷା ସ୍ଵାଭାବିକଠୁ ୧୦୫ ପ୍ରତିଶତ ପର୍ଯ୍ୟନ୍ତ ବର୍ଷା ହୋଇପାରେ।
ଏହା ସହିତ ଆଇଏମଡି ପୂରା ମୌସୁମୀରେ ଅଲ ନିନୋର ପ୍ରଭାବ ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଭାରତରେ ଚାରି ମାସ ମୌସୁମୀ(ଜୁନରୁ ସେପ୍ଟେମ୍ବର) ସମୟରେ ସ୍ଵାଭାବିକଠୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।
Also read: ଯେଉଁ ହସ୍ପିଟାଲରେ ଶିଶୁ ଚୋରି ହେଉଛି, ତୁରନ୍ତ ଲାଇସେନ୍ସ ରଦ୍ଦ କର: ସୁପ୍ରିମକୋର୍ଟଙ୍କ କଡ୍ଡା ତାଗିଦ୍
ମୃତ୍ୟୁଞ୍ଜୟ କହିଛନ୍ତି, ଭାରତୀୟ ଉପମହାଦ୍ଵୀପରେ ସ୍ଵାଭାବିକଠୁ କମ ମୌସୁମୀ ବର୍ଷା ସହ ଜଡ଼ିତ ଏଲ ନିନୋ ପରି ସ୍ଥିତି ଏଥର ବିକଶିତ ହେବାର ସମ୍ଭାବନା କମ ରହିଛି। ତେଣୁ ଚଳିତ ବର୍ଷ ମୌସୁମୀରେ ଭଲ ବର୍ଷା ହେବ। ସୂଚନାଯୋଗ୍ୟ, ସାଧାରଣତଃ ଦେଶରେ ମୌସୁମୀ ଜୁନ ୧ରେ କେରଳରେ ପ୍ରବେଶ କରିଥାଏ। ଏହା ପରେ ଏହା ଧିରେ ଧିରେ ଆଗକୁ ବଢି ପୂରା ଦେଶରେ ବ୍ୟାପୀଥାଏ। ପୁଣି ସେପ୍ଟେମ୍ବର ମଧ୍ୟଭାଗରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥାଏ।
ସେ ଏହା ମଧ୍ୟ କହିଛନ୍ତି, ଦେଶରେ କିଛି ଭାଗରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଏପ୍ରିଲରୁ ଜୁନ ମାସ ମଧ୍ୟରେ ଅନେକ ରାଜ୍ୟରେ ବହୁ ସଂଖ୍ୟାରେ ଲୁ ହେବାର ସମ୍ଭାବନା ଅଧିକ ରହିଛି। ଏଥିରେ ବିଜୁଳି ଗ୍ରୀଡ ଉପରେ ଅଧିକ ଚାପ ବଢିପାରେ। କିଛି ଭାଗରେ ମରୁଡ଼ି ପରି ସ୍ଥିତି ଉପୁଜିପାରେ। ପାନୀୟ ଜଳ ସଙ୍କଟ ଦେଖା ଦେଇପାରେ ବୋଲି ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।