ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି (ଏଆଇ)ର ଗଡ୍ଫାଦର କୁହାଯାଉଥିବା ନୋବେଲ୍ ବିଜେତା ଜେଫ୍ରି ହିଣ୍ଟନ୍ ଲଗାତାର ଦୁନିଆ ସାମନାକୁ ଆସୁଥିବା ବିପଦକୁ ନେଇ ସତର୍କ କରାଇ ଆସୁଛନ୍ତି । ଲଗାତାର ଏଆଇର ବିପଦ ଉପରେ ଚେତାବନୀ ଦେଇଆସୁଛନ୍ତି । ଏବେ ପୁଣି ଥରେ ସେ ଏକ ୟୁଟ୍ୟୁବ ଚ୍ୟାନେଲରେ ବିଜନେସମ୍ୟାନ ଆଣ୍ଡ୍ରୁ କିନଙ୍କ ସହ ଆଲୋଚନା କରି ଏଆଇକୁ ଏଲିଅନ ସହ ତୁଳନା କରିଛନ୍ତି । ଏଆଇ ସିଷ୍ଟମକୁ କଣ୍ଟ୍ରୋଲରେ ରଖିବା ପାଇଁ ରିସର୍ଚ୍ଚ କରିବା ଦରକାର, ଫଳରେ ଦୁନିଆ ଉପରେ କବଜା କରିପାରିବେ ନାହିଁ । ଜେଫ୍ରି ହିଣ୍ଟନଙ୍କ ଚେତାବନୀ ମଣିଷ ସମାଜକୁ ଭୟଭୀତ କଲା ପରି ରହିଛି ।
ଏଆଇ ବିପଦ ପରମାଣୁ ହତିଆର ପରି କୌଣସି ପୁରୁଣା ଆହ୍ୱାନ ନୁହେଁ । ପରମାଣୁ ହତିଆର କେବଳ ବିନାଶକାରୀ । ବୁଦ୍ଧିମାନ ନୁହେଁ । କିନ୍ତୁ ଏଆଇ ସିଷ୍ଟମ ନିଜେ ଯୋଜନା କରିପାରିବ । ଏଆଇ ବିପଦକୁ ସେ ପରମାଣୁର ଘାତକତାଠାରୁ ଅଧିକ ବୋଲି କହିଛନ୍ତି । ହିଣ୍ଟନ କହିଛନ୍ତି, ଆମେ ଏପରି ସିଷ୍ଟମ ତିଆରି କରୁଛୁ, ଯାହା ମଣିଷଠାରୁ ମଧ୍ୟ ଅଧିକ ବୁଦ୍ଧିମାନ ହୋଇପାରେ । ଏହା ଏଲିଅନ୍ ପରି, ଯିଏ ବୁଝିବାର ଶକ୍ତି ରଖୁଛି । ହିଣ୍ଟନ ଏଥିପାଇଁ ସଦ୍ୟ ହୋଇଥିବା ରିସର୍ଚ୍ଚର ଉଦାହରଣ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଆନ୍ଥ୍ରୋପିକ୍ ନାମକ କମ୍ପାନି ନିଜ କ୍ଲାଉଡ୍ ଓପସ ୪ ମଡେଲରେ ଏକ ପ୍ରୟୋଗ କରିଥିଲା । ଏହି ପ୍ରୟୋଗରେ ମଡେଲ ଜଣେ ଇଞ୍ଜିନିୟରଙ୍କୁ ବ୍ଲାକମେଲ୍ କରିବା ପାଇଁ ଉଦ୍ୟମ କରୁଥିଲା । ମଡେଲ ଇଞ୍ଜିନିୟରଙ୍କୁ ତାଙ୍କ ଗୋପନୀୟ ତଥ୍ୟ ଦେବା ପାଇଁ ଧମକାଇଥିଲା, ଫଳରେ ନିଜକୁ ସେ ମୁକ୍ତ ରଖିପାରିବ । ଜେଫ୍ରି ହିଣ୍ଟନ ଏହି ଘଟଣାକୁ ଚିନ୍ତାଜନକ କହିଛନ୍ତି । ଏଆଇ ନିଜକୁ ସୁରକ୍ଷିତ ରଖିବା ପାଇଁ ବିହେଭିୟର ବିକଶିତ କରୁଛି । ପୂର୍ବରୁ ଏପରି କେବେ ଦେଖାଯାଇ ନଥିଲା । ଏହା ଦର୍ଶାଉଛି ଯେ ଏଆଇ ବିକଶିତ ହେଉଛି ଓ ନିଜ ବିଷୟରେ ବି ଚିନ୍ତା କରିପାରୁଛି ।
ହିଣ୍ଟନ ଆହୁରି କହିଛନ୍ତି, ଯଦି ଜେମ୍ସ ୱେବ ଟେଲିସ୍କୋପରେ ଆଗାମୀ ୧୦ ବର୍ଷ ପରେ ଏଲିଅନ୍ ଆଟାକ୍ ଖବର ଜଣାପଡ଼ିବ, ତେବେ ଭୟଭୀତ ହେବା । କିନ୍ତୁ ଆମେ ନିଜେ ଏପରି ଏଲିଅନ୍ସ ତିଆରି କରୁଛି । ଏମାନେ କଥା ବୁଝୁଛନ୍ତି ଓ ଲୋକଙ୍କୁ ବ୍ଲାକମେଲ୍ କରିବା ପାଇଁ ଯୋଜନା ବି ତିଆରି କରିପାରନ୍ତି । ଏହାକୁ ଗମ୍ଭୀରତାର ସହ ନିଆଯିବା ଦରକାର । ଏଆଇର ପ୍ରଭାବକୁ ରୋକିବା ପାଇଁ ତୁରନ୍ତ ଗବେଷଣାର ଆବଶ୍ୟକତା ରହିଛି । ଦୁନିଆର ସବୁ ଦେଶର ସରକାର ଏକାଠି ହୋଇ ଏଆଇରୁ ସୃଷ୍ଟି ହେବାକୁ ଥିବା ବିପଦର ସାମନା କରିବା ପାଇଁ ସଂଯୁକ୍ତ ଯୋଜନା ଉପରେ କାମ କରିବା ଦରକାର । ଓପନ୍ଏଆଇରେ କିଛିଦିନ ଅନ୍ତରୀଣ ସିଇଓ ଭାବେ ଦାୟିତ୍ୱ ତୁଲାଇଥିବା ଇମେଟ୍ ଶିୟର ମଧ୍ୟ ସମାନ ମତପୋଷଣ କରିଥିଲେ । କିଛି ଏଆଇ ବ୍ୟବସ୍ଥା ମଣିଷକୁ ବ୍ଲାକ୍ମେଲ୍ ପାଇଁ ଉଦ୍ୟମ କରିଥିବା ଘଟଣାକୁ ଏଡ଼ାଇ ହେବନାହିଁ ବୋଲି ସେ କହିଥିଲେ ।
ନୋବେଲ ପୁରସ୍କାର ବିଜେତା କମ୍ପ୍ୟୁଟର ବୈଜ୍ଞାନୀ ହିଣ୍ଟନ ଏଆଇ ତିଆରିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଥିପାଇଁ ସେ ନିଜକୁ ଗୌରବାନ୍ୱିତ ମନେ କରୁଥିଲେ । କିନ୍ତୁ ଆଜି ତାଙ୍କ ଆଭିମୁଖ୍ୟ ବଦଳି ଯାଇଛି । ଏଆଇ ଯେ ମାନବତା ପାଇଁ ଶତ୍ରୁଠାରୁ କମ୍ ନୁହେଁ, ତାହା ସେ କହିବାକୁ ଚାହିଁଛନ୍ତି । ତାଙ୍କ ମୁତାବକ, କିଛି ପ୍ରଯୁକ୍ତି ପେସାଦାର ଏଆଇକୁ ନିୟନ୍ତ୍ରଣ ଲାଗି ଯେଉଁସବୁ ତରିକା ଆପଣାଉଛନ୍ତି, ତାହା ଭୁଲ ।