ଆଗୁଆ ପ୍ରାର୍ଥୀ ଘୋଷଣା କରିବାକୁ କହିଥିଲା କଂଗ୍ରେସ, ଏପ୍ରିଲ ପ୍ରଥମ ସପ୍ତାହରେ ଏତିକି ଆସନରେ ଆସିପାରେ ପ୍ରାର୍ଥୀ ତାଲିକା

Published By : Prameya-News7 Bureau | March 28, 2024 IST

ଭୁବନେଶ୍ଵର: ଆଗୁଆ ପ୍ରାର୍ଥୀ ଘୋଷଣା କରିବାକୁ କହିଥିବା କଂଗ୍ରେସ ଏବେ କେବଳ ତାରିଖ ଗଡ଼ାଇ ଚାଲିଛି। କିଛି ଦିନ ପୂର୍ବରୁ ମେଣ୍ଟ ସମ୍ଭାବନାକୁ ଅନାଇ ବସିଥିବା ରାଜ୍ୟ କଂଗ୍ରେସର ଏବେ ପୁଣି କାହିଁକି ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଛି ତାହା ବୁଝା ପଡ଼ୁନାହିଁ । ଆସନ୍ତା ଶନିବାର ଦିଲ୍ଲୀରେ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ ବସୁଛି । ଯେଉଁଥିରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମୋହର ବାଜିବ ବୋଲି କୁହାଯାଉଛି । ପ୍ରଥମ ପର୍ଯ୍ୟାୟରେ ୧୦ ଲୋକସଭା ଓ ୬୦ ବିଧାନସଭା ପାଇଁ  ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ । ସେପଟେ କିନ୍ତୁ ନର୍ଲା ବିଧାନସଭା ଆସନରୁ ଲଢ଼ିବା ନେଇ ଆଗୁଆ  ସଂକେତ ଦେଇଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ । 

Also read: ବିଜେପିରେ ମିଶିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ, କେଉଁଠୁ ଲଢିବେ ବଢିଲା ଚର୍ଚ୍ଚା ?

ଘୁଞ୍ଚି ଘୁଞ୍ଚି ଯାଉଛି କଂଗ୍ରେସର ପ୍ରାର୍ଥୀ ଘୋଷଣା ଅବଧି । ମାର୍ଚ୍ଚ ପ୍ରଥମ ସପ୍ତାହରୁ ଏପ୍ରିଲ୍ ପ୍ରଥମ ସପ୍ତାହ ଯାଏଁ ଗଲାଣି କଥା । ଏବେ ଦଳ କହୁଛି ଆସନ୍ତା ଶନିବାର ଦିଲ୍ଲୀରେ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ ବସିବ । ଆଉ ରବିବାର ରାଜ୍ୟ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଉପରେ ମୋହର ମାରିବ କେନ୍ଦ୍ରୀୟ ନିର୍ବାଚନ କମିଟି । ପ୍ରଥମ ପର୍ଯ୍ୟାୟରେ ୧୦ ଲୋକସଭା ଓ ୬୦ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ । ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧୀନରେ ଥିବା ବିଧାନସଭା ଆସନଗୁଡ଼ିକରେ ପ୍ରାର୍ଥୀ ଘୋଷଣା ହୋଇପାରେ । ଏଥର ନିର୍ବାଚନରେ ରାଜ୍ୟ କଂଗ୍ରେସ ୧୦୦ରୁ ଅଧିକ ଆସନ ଜିତି ସରକାର ଗଢ଼ିବ ବୋଲି ଦମ୍ଭ ଦେଖାଇଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ । ସେହିଭଳି ନିଜେ ମଧ୍ୟ ୪୦ବର୍ଷ ପରେ ପୁଣି ଓଡ଼ିଶା ବିଧାନସଭାକୁ ଯିବା ପାଇଁ ମନ ବଳାଇଛନ୍ତି ଭକ୍ତ ଦାସ । ଏମିତିକି ସେ ଏଥର ନର୍ଲା ବିଧାନସଭା ଆସନରେ ଲଢ଼ିବା ନେଇ ଆଗୁଆ ସଂକେତ ବି ଛାଡ଼ିଛନ୍ତି । 

ପ୍ରାର୍ଥୀ ଘୋଷଣାର ପଛରେ ପଡ଼ିଥିବା କଂଗ୍ରେସ ଆସନ୍ତା ପଣା ସଂକ୍ରାନ୍ତି ପରଠୁ ପ୍ରଚାରକୁ ଜୋରଦାର୍ କରିବାକୁ ଯୋଜନା କରିଛି । ପଶ୍ଚିମ, ଉତ୍ତର ,ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୪ଟି ବଡ଼ ସମାବେଶ କରି କର୍ମୀଙ୍କ ମନୋବଳ ବଢ଼ାଇବାକୁ ଚେଷ୍ଟା କରିବ ଦଳ । ଏସବୁ ସମାବେଶରେ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ଼ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧୀ, ସୋନିଆ ଗାନ୍ଧି, କହ୍ନେୟା କୁମାର ଏବଂ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଯୋଗଦେବେ । ୨୦୧୯ ନିର୍ବାଚନରେ ମାତ୍ର ୯ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ଜିତିଥିବା କଂଗ୍ରେସ ଏଥର ନିଜ ସ୍ଥିତିରେ ସୁଧାର ଆଣିବାକୁ ଭରପୁର ପ୍ରୟାସ ଚଳାଇଛି । 

 

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.