News7 Logo

ସରକାର ଭାଙ୍ଗିବାରେ ଧୁରନ୍ଧର Gen-Z ପ୍ରଦର୍ଶନକାରୀ, ଏହି ସବୁ ଦେଶରେ ବଦଳାଇ ସାରିଛନ୍ତି ଶାସନ

NEWS7
gen z

ନୂଆଦିଲ୍ଲୀ: ନେପାଳରେ ଦୁର୍ନୀତି ଓ ସୋସିଆଲ୍ ମିଡିଆ ଉପରେ ବ୍ୟାନ ବିରୋଧରେ କାଠମାଣ୍ଡୁରେ Gen-Zଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । Gen-Z ପ୍ରଦର୍ଶକାରୀ ସଂସଦ ପରିସରରେ ପ୍ରବେଶ କରିଛନ୍ତି । ଉଗ୍ର ପ୍ରଦର୍ଶନକୁ ଦେଖି ନେପାଳ ଗୃହ ମନ୍ତ୍ରୀ ରମେଶ ଲେଖକ ସଂସଦ ଛାଡ଼ି ପଳାୟନ କରିଛନ୍ତି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଘର ବାହାରେ କର୍ଫ୍ୟୁ ଲଗାଯାଇଛି । ଯଦି ଗତ କିଛି ବର୍ଷରେ ବିଭିନ୍ନ ଦେଶରେ ହୋଇଥିବା ଆନ୍ଦୋଳନକୁ ଦେଖିବା, ତେବେ Gen-Z ଯେଉଁଠାରେ ଉଗ୍ର ପ୍ରଦର୍ଶନ କରିଛନ୍ତି, ସେଠାରେ କ୍ଷମତା ପରିବର୍ତ୍ତନ ହୋଇଛି । ବାଂଲାଦେଶ, ଥାଇଲାଣ୍ଡଠାରୁ ଆରମ୍ଭ କରି ଶ୍ରୀଲଙ୍କା ଏହାର ବଡ଼ ଉଦାହରଣ ।

ସୁଦାନ- ୩୦ ବର୍ଷ ଯାଏ ସୁଦାନର କ୍ଷମତାରେ ଥିବା ଏକ ଛତ୍ରବାଦ ଓମର ଅଲ୍-ବସିରଙ୍କୁ Gen-Zଙ୍କ ପାଇଁ ୨୦୧୯ରେ ଇସ୍ତଫା ଦେବାକୁ ପଡ଼ିଥିଲା । ୨୦୧୮ରେ ଜେନେରେସନ୍-ଜେଡ୍ ପିଲାମାନେ ରୁଟି ଓ ଇନ୍ଧନକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ । ପରେ ଧୀରେ ଧୀରେ ସାଧାରଣ ନାଗରିକ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ୨୦୧୯ରେ ଶେଷ ବେଳକୁ ବସିରଙ୍କୁ ସୁଡାନ ଛାଡ଼ିବାକୁ ପଡ଼ିଥିଲା । ବସିରଙ୍କୁ ହଟାଇବା ପାଇଁ Gen-Z ପ୍ରଦର୍ଶନକାରୀ ସୋସିଆଲ୍ ମିଡିଆର ଖୁବ ବ୍ୟବହାର କରିଥିଲେ । ସୁଦାନରେ ଏହି ଯୁବକ ଯୁବତୀମାନେ ସୁଦାନୀ ପ୍ରଫେସନଲ୍ ଆକ୍ଟିଭିଜମ ନାମକ ଏକ ସଂସ୍ଥା ମଧ୍ୟ ଗଠନ କରିଥିଲେ । ଏହି ସଂସ୍ଥା ଆନ୍ଦୋଳନର କାମକୁ ମନିଟରିଂ କରୁଥିଲା ।

ଶ୍ରୀଲଙ୍କା- ୨୦୨୨ରେ ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ Gen-Z ବିକ୍ଷୋଭକାରୀ ରାଜପକ୍ଷେଙ୍କ ଚୌକି ଦୋହଲାଇ ଦେଇଥିଲେ । ଆର୍ଥିକ ସଂକଟ ଓ ଉଚ୍ଚ ମୁଦ୍ରାସ୍ଫୀତିକୁ ନେଇ ଶ୍ରୀଲଙ୍କାର ଲୋକ ରାସ୍ତାକୁ ଓହ୍ଲାଇଥିଲେ । ସରକାର ଆନ୍ଦୋଳନକୁ ହାଲୁକାରେ ନେଇ ଲାଠି ମାଡ଼ କରିଥିଲା । ସରକାରରେ ଥିବା ରାଷ୍ଟ୍ରପତି ଓ ତାଙ୍କ ଘନିଷ୍ଠଙ୍କ ବିରୋଧରେ ଦୁର୍ନୀତିର ଲମ୍ୱା ଅଭିଯୋଗ ରହିଥିଲା । ଶେଷରେ ପ୍ରଦର୍ଶନକାରୀ ରାଜଧାନୀ କୋଲମ୍ୱୋରେ ଏକାଠି ହୋଇଥିଲେ । କୋଲମ୍ୱୋରେ ଗୋଟା ଗୋ ହୋମ୍ ନାମକ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଆନ୍ଦୋଳନ ତୀବ୍ର ହେବା ପରେ ୨୦୨୨ ଜୁଲାଇରେ ଗୋଟବାୟା ରାଜପକ୍ଷେ ପରିବାର ସମେତ ଦେଶ ଛାଡ଼ି ପଳାୟନ କରିଥିଲେ । ୨୦୨୪ ନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟି ସେଠାରେ ସରକାରକୁ ଆସିଥିଲା ।

ଥାଇଲାଣ୍ଡ: ୨୦୧୪ରେ ପ୍ରୟୁତ ଚାନଙ୍କ ନେତୃତ୍ୱରେ ଥାଇଲାଣ୍ଡରେ ସରକାର ଗଠନ କରାଯାଇଥିଲା । ଚାନଙ୍କ ଉପରେ ଏକଛତ୍ରବାଦର ଅଭିଯୋଗ ଆସିଥିଲା । ୨୦୨୦ରେ, କରୋନା ସମୟରେ ଚାନ ସରକାରଙ୍କ ବିରୁଦ୍ଧରେ ଲୋକଙ୍କ ସ୍ୱର ଉଠିଥିଲେ, କିନ୍ତୁ ପ୍ରତିବାଦକୁ ଅଧିକ ବଳ ମିଳି ନଥିଲା । ଏହା ପରେ, ଜେନେରେସନ-ଜେଡ୍ ଆନ୍ଦୋଳନକୁ ନିଜ ହାତରେ ନେଇଥିଲେ । ଜେନେରେସନ-ଜେଡ୍ ଆନ୍ଦୋଳନକାରୀଙ୍କ ଦୁଇଟି ମୁଖ୍ୟ ଦାବି ଥିଲା । ପ୍ରଥମତଃ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ-ଓ-ଚାଙ୍କ ଇସ୍ତଫା ଏବଂ ଅନ୍ୟଟି ନୂତନ ସମ୍ବିଧାନ ପ୍ରସ୍ତୁତ ପାଇଁ, ଯେଉଁଥିରେ ସେନାର ରାଜନୈତିକ ନିୟନ୍ତ୍ରଣ ହ୍ରାସ ପାଇବ । ବିରୋଧ ପ୍ରଦର୍ଶନ ଆଗରେ ଶେଷରେ ଚାନଙ୍କୁ ୨୦୨୧ରେ ଇସ୍ତଫା ଦେବାକୁ ପଡିଥିଲା ।

ବାଂଲାଦେଶ- ୨୦୨୪ ଜୁଲାଇରେ ବାଂଲାଦେଶରେ ମଧ୍ୟ Gen-Z ଆନ୍ଦୋଳନକାରୀ ଶେଖ ହସିନା ସରକାରଙ୍କ ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଥିଲେ । ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ଏହି ଆନ୍ଦୋଳନ ମୁଣ୍ଡ ଟେକିଥିଲା । କିନ୍ତୁ ଶେଖ ହସିନାଙ୍କ ସରକାର ଏହାକୁ ଠିକ୍ ଭାବରେ ପରିଚାଳନା କରିପାରିଲେ ନାହିଁ । ଯାହାର ପରିଣାମ ସ୍ୱରୂପ ପୋଲିସ ଜେନେରେସନ-ଜେଡ୍ ଯୁବକମାନଙ୍କ ଉପରେ ଗୁଳି ଏବଂ ଲାଠି ଚଳାଇଥିଲା । ଶେଷରେ ଅଗଷ୍ଟ ୫ରେ ଶେଖ ହାସିନାଙ୍କୁ ନିଜ ଦେଶ ବାଂଲାଦେଶରୁ ପଳାୟନ କରିବାକୁ ପଡ଼ିଲା । ସେବେଠାରୁ ବାଂଲାଦେଶରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଅଛି । Gen-Zଙ୍କ ଇଚ୍ଛା ଅନୁଯାୟୀ ବାଂଲାଦେଶର ସମ୍ବିଧାନ ପରିବର୍ତ୍ତନ କରିବାକୁ ମଧ୍ୟ ପ୍ରୟାସ କରାଯାଉଛି ।