ନୂଆଦିଲ୍ଲୀ,  ୪ |୧୧ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଘୋଟାଲା ମାମଲାରେ ପଳାତକ ମେହୁଲ ଚୋକସୀଙ୍କ ଭାରତ ପ୍ରତ୍ୟାର୍ପଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଏନେଇ ଅଣ୍ଟଓ୍ବର୍ପ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇ ସାରିଛନ୍ତି । କିନ୍ତୁ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି ମେହୁଲ । ଏହା ବିରୋଧରେ ସେ ବେଲଜିମ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଯାହା ଫଳରେ ସେ ତଦନ୍ତକାରୀ ଅଧିକାରୀଙ୍କ ସହ ପୁଣି ଲୁଚାଛପା ଖେଳ ଆରମ୍ଭ କରିଛନ୍ତି ।

ରିପୋର୍ଟ ଅନୁସାରେ, ଅକ୍ଟୋବର ୧୭ ତାରିଖରେ ଅଣ୍ଟଓ୍ବର୍ପ କୋର୍ଟ ମେହୁଲଙ୍କ ବିରୋଧରେ ଆଦେଶ ଦେଇଥିଲେ । ତାଙ୍କୁ ଭାରତ ପ୍ରତ୍ୟାର୍ପଣ କରିବା ପାଇଁ କୋର୍ଟ କହିବା ସହ କୌଣସି ଆଇନ ସମ୍ବନ୍ଧୀୟ ବାଧା ଯେପରି ନ ଉପୁଜେ ସେନେଇ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ବିରୋଧ କରି ଚୋକସୀ ଏବେ ବେଲଜିୟମ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ସରକାରୀ ଓକିଲଙ୍କ କହିବା କଥା ହେଲା, ଅକ୍ଟୋବର ୩୦ ତାରିଖରେ ଚୋକସୀ ଉପର କୋର୍ଟରେ ଆବେଦନ କରିଥିଲେ । ପୂର୍ବରୁ ଅଣ୍ଟଓ୍ବର୍ପ କୋର୍ଟର ଜଣିଆ ଖଣ୍ଡପୀଠ କହିଥିଲେ ଯେ, ୨୦୨୪ ମସିହା ଅକ୍ଟୋବର ୨୯ରେ ଜିଲ୍ଲା କୋର୍ଟ ଯେଉଁ ଆଦେଶ ଦେଇତିଲେ ତାହା ବୈଧ । ଯାହା ଫଳରେ ମୁମ୍ବାଇ ସ୍ପେଶାଲ କୋର୍ଟ ଦେଇଥିବା ଗିରଫ ଓ୍ୱାରେଣ୍ଟ୍ ବୈଧ ଅଟେ । ଯେଉଁଥିରେ ଚୋକସୀଙ୍କୁ ଭାରତ ପ୍ରତ୍ୟାର୍ପଣ କରାଯାଇ ପାରିବ ।

ଅଣ୍ଟଓ୍ବର୍ପ କୋର୍ଟରେ ଚୋକସୀ କହିଥିଲେ ଯେ, ତାଙ୍କୁ ଭାରତ ପ୍ରତ୍ୟାର୍ପଣ କରାଗଲେ ଅପହରଣ କରାଯାଇପାରେ । ଅଧିକାରୀମାନେ ସଠିକ ଭାବେ ତାଙ୍କର ତଦନ୍ତ କରିବେ ନାହିଁ । କିନ୍ତୁ ଏସବୁ ଅଭିଯୋଗକୁ କୋର୍ଟ ମନଗଢା କହି ଏଡାଇ ଯାଇଥିଲେ ।

ସରକାରୀ ଓକିଲ ଏନେଇ ଆହୁରି କୋର୍ଟରେ ଦର୍ଶାଇଥିଲେ ଯେ, ପଳାତକ ବ୍ୟବସାୟୀ ଚୋକସୀ ୧୩ ହଜାର କୋଟି ଟଙ୍କାର ଠକେଇର ମୁଖ୍ୟ ଅଭିଯୁକ୍ତ । ଯଦି ତାଙ୍କୁ ଭାରତ ଅଣାଯାଏ ତାହାଲେ ମାମଲାର ନିରପେକ୍ଷ ତଦନ୍ତ ହେବ । ତାଙ୍କ ସହ କୌଣସି ଦୁର୍ବ୍ୟବହାର ପ୍ରଦର୍ଶନ କରାଯିବ ନାହିଁ । ସିବିଆଇ ଯେଉଁ ଚାର୍ଜସିଟ୍ ଦାଖଲ କରିଛି ସେଥିରେ ଚୋକସୀ ୧୩୦୦୦ କୋଟିର ହେରଫେର କରିଥିବା ଉଲ୍ଲେଖ ରହିଛି । ଯାହା ମଧ୍ୟରେ କେବଳ ଚୋକସୀଙ୍କ ପାଖକୁ ୬୪୦୦ କୋଟି ଟଙ୍କା ଯାଇଛି ।