'The AI Exchange' for Public: ଜାଣନ୍ତୁ 'ପ୍ଲାଟଫର୍ମ ୩୭'ର ରହସ୍ୟ ଏବଂ ସାଧାରଣ ଲୋକଙ୍କ ପାଇଁ ଖୋଲିବ Google

NEWS7
fugitive-mehul-choksi-arrested-in-belgium-indian-govt-demands-his-extradition

ଲଣ୍ଡନ: ଟେକ୍ ଜାଏଣ୍ଟ ଗୁଗଲ (Google) ନିଜର ଲଣ୍ଡନ ସ୍ଥିତ ମୁଖ୍ୟାଳୟର ନୂଆ ନାମକରଣ କରିଛି। ଏଣିକି ଏହା 'ପ୍ଲାଟଫର୍ମ ୩୭' ନାମରେ ପରିଚିତ ହେବ। ଗୁଗଲ ଡିପ୍ମାଇଣ୍ଡର ସିଇଓ ଡେମିସ୍ ହାସାବିସ୍ ଏକ ବ୍ଲଗ୍ ପୋଷ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି। ଲଣ୍ଡନର ଐତିହାସିକ କିଙ୍ଗସ୍ କ୍ରସ୍ (King’s Cross) ରେଳ ଷ୍ଟେସନ ନିକଟରେ ଥିବା ଏହି ବିଲ୍ଡିଂର ନାମକରଣ ପଛରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇତିହାସର ଏକ ବିଶେଷ ମୁହୂର୍ତ୍ତ ଲୁଚି ରହିଛି। ଆସନ୍ତା ଗ୍ରୀଷ୍ମ ଋତୁରେ ଗୁଗଲ ଡିପ୍ମାଇଣ୍ଡ ଏବଂ ଅନ୍ୟାନ୍ୟ ବିଭାଗର ଟିମ୍ ଏହି ନୂଆ ବିଲ୍ଡିଂକୁ ସ୍ଥାନାନ୍ତର ହେବା ଆରମ୍ଭ କରିବେ।

କାହିଁକି ରଖାଗଲା'ପ୍ଲାଟଫର୍ମ ୩୭'ନାଁ?

ହାସାବିସ୍ ସ୍ପଷ୍ଟ କରିଛନ୍ତି ଯେ 'ପ୍ଲାଟଫର୍ମ ୩୭' ନାମଟି ଦୁଇଟି ବିଶେଷ ଦିଗକୁ ଦର୍ଶାଉଛି:

ପ୍ରଥମତଃ, ଏହା ରେଳ ଷ୍ଟେସନ ନିକଟରେ ଥିବାରୁ ଏହାକୁ 'ପ୍ଲାଟଫର୍ମ' ବୋଲି ସମ୍ବୋଧିତ କରାଯାଇଛି।

ଦ୍ୱିତୀୟତଃ, ୨୦୧୬ ମସିହାରେ 'ଗୋ' (Go) ଚାମ୍ପିଅନ୍ ଲି ସେ-ଡୋଲଙ୍କ ବିପକ୍ଷ ମ୍ୟାଚରେ ଏଆଇ ସିଷ୍ଟମ୍ ଆଲଫାଗୋ ଦ୍ୱାରା ଖେଳାଯାଇଥିବା ଐତିହାସିକ 'ମୁଭ୍ ୩୭' କୁ ସମ୍ମାନ ଜଣାଇ ଏହି ନାମକରଣ କରାଯାଇଛି।

କ'ଣ ଏହି'ମୁଭ୍ ୩୭'?

'ଗୋ' ହେଉଛି ଏକ ଅତ୍ୟନ୍ତ ଜଟିଳ ରଣନୀତିକ ବୋର୍ଡ ଗେମ୍। ଡିପ୍ମାଇଣ୍ଡ ଦ୍ୱାରା ପ୍ରସ୍ତୁତ ଆଲଫାଗୋ ୨୦୧୬ ମ୍ୟାଚ୍ ବେଳେ ଏକ ଆଶ୍ଚର୍ଯ୍ୟଜନକ ଚାଲ୍ ଖେଳିଥିଲା। ପ୍ରଥମେ ମଣିଷ ବିଶେଷଜ୍ଞମାନେ ଏହାକୁ ଏକ ଭୁଲ୍ ବୋଲି ଭାବିଥିଲେ। କିନ୍ତୁ ପରେ ଏହା ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ ପାଲଟିଥିଲା ଏବଂ ଆଲଫାଗୋ ବିଜୟୀ ହୋଇଥିଲା। ଏହି ମୁହୂର୍ତ୍ତଟି ଆଧୁନିକ ଏଆଇ ସିଷ୍ଟମର ବିକାଶରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲା ଏବଂ ବିଜ୍ଞାନ, ବାୟୋଲୋଜି ଓ ଗଣିତ କ୍ଷେତ୍ରରେ ଏଆଇର ବ୍ୟବହାରକୁ ତ୍ୱରାନ୍ୱିତ କରିଥିଲା।

ସାଧାରଣ ଲୋକଙ୍କ ପାଇଁ'ଦି ଏଆଇ ଏକ୍ସଚେଞ୍ଜ'

ନୂଆ ମୁଖ୍ୟାଳୟ ସହ ଗୁଗଲ ସାଧାରଣ ଲୋକଙ୍କ ପାଇଁ 'ଦି ଏଆଇ ଏକ୍ସଚେଞ୍ଜ' (The AI Exchange) ନାମକ ଏକ ସାର୍ବଜନୀନ ସ୍ଥାନ ଖୋଲିବାକୁ ଯାଉଛି। ଏହା 'ପ୍ଲାଟଫର୍ମ ୩୭'ର ଗ୍ରାଉଣ୍ଡ ଫ୍ଲୋରରେ ଚଳିତ ବର୍ଷ ଶେଷ ଆଡ଼କୁ ଖୋଲିବ।

ଏଠାରେ ଦର୍ଶକମାନେ ଏଆଇ ଟେକ୍ନୋଲୋଜି ଏବଂ ସମାଜ ଉପରେ ଏହାର ପ୍ରଭାବ ବିଷୟରେ ଜାଣିବାକୁ ପାଇବେ।

ଏହି ସ୍ଥାନରେ ମାଗଣା ଶିକ୍ଷାଗତ କାର୍ଯ୍ୟକ୍ରମ,ଇଣ୍ଟରାକ୍ଟିଭ୍ ପ୍ରଦର୍ଶନୀ ଏବଂ ଏଆଇ ସମ୍ବନ୍ଧୀୟ ସାଂସ୍କୃତିକ ଇଭେଣ୍ଟମାନ ଆୟୋଜିତ ହେବ।

ବିଲ୍ଡିଂର ଅନ୍ୟାନ୍ୟ ବିଶେଷତ୍ୱ

ଆର୍କିଟେକ୍ଟ ଥୋମାସ୍ ହେଦରୱିକ୍ ଏବଂ ବଜାର୍କ ଇଙ୍ଗେଲ୍ସଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଏହି ବିଲ୍ଡିଂରେ ସ୍ଥାୟୀ ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଇଛି। 'ପ୍ଲାଟଫର୍ମ ୩୭' ଏକ 'ହଙ୍ଗ୍' ସ୍ଥାପତ୍ୟ ଶୈଳୀରେ ନିର୍ମିତ, ଯେଉଁଥିରେ କୌଣସି ସ୍ତମ୍ଭ ବା ପିଲାର ନାହିଁ। ଏହାଦ୍ୱାରା କର୍ମଚାରୀମାନଙ୍କୁ କାମ କରିବାକୁ ଏକ ଖୋଲା ପରିବେଶ ମିଳିପାରିବ। ଏହାବ୍ୟତୀତ ଲଣ୍ଡନ ୱାଇଲ୍ଡଲାଇଫ୍ ଟ୍ରଷ୍ଟ ଏବଂ କ୍ୟାମଡେନ୍ ସହଯୋଗରେ ଛାତ ଉପରେ ଏକ ସୁନ୍ଦର ବଗିଚା ନିର୍ମାଣ କରାଯାଇଛି, ଯାହା ଜୈବବିବିଧତା ବଜାୟ ରଖିବା ସହ ସହରର ସୁନ୍ଦର ଦୃଶ୍ୟ ଉପଭୋଗ କରିବାର ସୁଯୋଗ ଦେବ। ହାସାବିସ୍ ଏହି ବିଲ୍ଡିଂକୁ ଏକ ଅଫିସ୍ ନୁହେଁ, ବରଂ 'ବିଜ୍ଞାନ ଓ ବୁଦ୍ଧିମତ୍ତାର ସ୍ମାରକୀ' ବୋଲି ଆଖ୍ୟା ଦେଇଛନ୍ତି।