ନୂଆଦିଲ୍ଲୀ: ଚିପ୍ସ ପ୍ୟାକେଟ୍ ହେଉ କି ବିସ୍କୁଟ ଡବା ଅଥବା ଶୀତଳ ପେୟ ବୋତଲ, ଏବେ କିଣିବା ପୂର୍ବରୁ ପ୍ୟାକେଟ୍ ରେ ଲେଖା ଛୋଟଛୋଟ ଘୋଷଣା ପଢିବାର ଆବଶ୍ୟକତା ହୁଏତ ଆଉ ପଡି ନ ପାରେ। ଭାରତରେ ପ୍ୟାକେଜଡ୍ ଫୁଡ ସାମ୍ନାରେ ଏବେ ଲାଲ ରଙ୍ଗର ଚେତାବନୀ ଚିହ୍ନ ଲଗାଇବାକୁ ପ୍ରସ୍ତୁତି ହେଉଛି। ଏହି ଚିହ୍ନରୁ ତୁରନ୍ତ ଜଣାପଡିଯିବ କେଉଁ ଖାଦ୍ୟ ଓ ପାନୀୟ ପଦାର୍ଥରେ ଚିନି, ଲୁଣ ଓ ଫ୍ୟାଟ୍ ଆବଶ୍ୟକତାରୁ ଅଧିକ ରହିଛି। ମୋଟା ହେବା, ଡାୟବେଟିଜ ଅଥବା ଜୀବନଶୈଳୀ ସମ୍ପର୍କିତ ରୋଗକୁ ନେଇ ବଢୁଥିବା ଚିନ୍ତାରେ ଏହି ପ୍ରସଙ୍ଗ ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି।

ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (ଏଫଏସଏସଏଆଇ) ସୁପ୍ରିମକୋର୍ଟରେ ଫ୍ରଣ୍ଟ ପ୍ୟାକେଜ୍ ଚେତାବନୀ ଲେବୁଲ ପ୍ରସ୍ତାବ ରଖିଛି। କାରଣ ଆଇସିଏମଆର-ଏନଆଇଏନର ୨୦୨୪ଆହାର ସମ୍ପର୍କିତ ଗାଇଡଲାଇନ ମଧ୍ୟ ଅଧିକ ଚିନି, ଲୁଣ, ଫ୍ୟାଟ୍ ଓ ଅଧିକ ପ୍ରୋସେସଡ ଖାଦ୍ୟ ପ୍ରତି ସାବଧାନତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛି। ତେବେ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ ଏପରି ଖାଦ୍ୟ ପଦାର୍ଥରେ ଚେତାବନୀ ଚିହ୍ନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏଣୁ ଏବେ ପ୍ରଶ୍ନ ଉଠୁଛି ପ୍ୟାକେଟ ରେ ଲାଲ ଚିହ୍ନ ଲଗାଇଲେ ଲୋକେ ସେମାନଙ୍କ ଖାଇବା ଅଭ୍ୟାସ ବଦଳାଇ ଦେବେକି? ନା ଏହା ପ୍ୟାକେଜିଂରେ ଆଉ ଏକ ଚିହ୍ନ ହୋଇ ରହିବ?

ସୁପ୍ରିମକୋର୍ଟରେ ଦିଆଯାଇଥିବା ପ୍ରସ୍ତାବରେ ପ୍ୟାକେଟ ସମ୍ମୁଖରେ ଲାଲ ରଙ୍ଗର ହେକ୍ସାଗନ ବା ୬ କୋଣିଆ ଚିହ୍ନ ଲଗାଇବା କଥା କୁହାଯାଇଛି। ଏଥିରେ ପ୍ରଡକ୍ଟ ହିସାବରେ ‘ଅଧିକ ଚିନି’, ‘ଅଧିକ ଲୁଣ’, ଅଧିକ ତୈଳାକ୍ତ ଅଥବା ଅତ୍ୟଧିକ ମିଠା ପେୟ ଭଳି ଚେତାବନୀ ଦେଖା ଯାଇ ପାରିବ। ଏହାର ଉଦ୍ଦେଶ୍ୟ ହେଉଛି ଗ୍ରାହକକୁ ପ୍ୟାକେଟ୍ ଓଲଟାଇ ଏଥିରେ ଛୋଟଛୋଟ ଅକ୍ଷରରେ ଲେଖାଥିବା ପୋଷଣ ସମ୍ପର୍କିତ ସୂଚନା ପଢିବାର ଆଉ ଆବଶ୍ୟକତା ନାହିଁ। କ୍ରୟ ସମୟରେ ହିଁ ଗ୍ରାହକ ଜାଣି ପାରିବେ କେଉଁ ଖାଦ୍ୟ ଅଥବା ପାନୀୟରେ ଅଧିକ ଚିନି, ଲୁଣ, ତୈଳ ଓ ମିଠା ଅଛି।

ରିପୋର୍ଟ ଅନୁସାରେ ଭାରତରେ ପ୍ୟାକେଜଡ୍ ଫୁଡ ସାମ୍ନାରେ ଚେତାବନୀ ଲେବୁଲ ଲଗାଇବା ଉଦ୍ୟମ ଦୀର୍ଘ ସମୟରୁ ହୋଇ ଆସୁଛି। ହେଲେ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀଙ୍କ ଆପତ୍ତି ଯୋଗୁ ଏହା ବାରମ୍ବାର ଅଟକୁଛି। ଏବେ ସୁପ୍ରିମକୋର୍ଟରେ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତାଙ୍କ ପିଟିସନ ଓ ସରକାର ଶୀଘ୍ର ପଦକ୍ଷେପ ନିଅନ୍ତୁ ଦାବିରେ ଏଫଏସଏସଏଆଇ ପୁଣି ଥରେ ଚେତାବନୀ ଲେବୁଲ ପ୍ରସ୍ତାବ ରଖିଛି। ତେବେ ଏହାକୁ ଏବେବି ଶେଷ ବା ଅନ୍ତିମ ନିୟମ ମନେ କରାଯାଇ ପାରିବନି। ପ୍ରସ୍ତାବ ଅନୁସାରେ ଏପରି ପ୍ରଡକ୍ଟ ଯେଉଁଥିରେ ନିର୍ଦ୍ଧାରିତ ସୀମାରୁ ଅଧିକ ଦୁଇ ବା ତତୋଧିକ ପୋଷକତତ୍ୱ ଯେପରି ଲୁଣ, ଚିନି ଓ ସାଚ୍ୟୁରେଟେଡ ଫ୍ୟାଟ ଥିବ ତା ଉପରେ ଲାଲ ଚେତାବନୀ ଲଗାଇବା କଥା କୁହାଯାଇଛି। ଏହାକୁ ପର୍ଯ୍ୟାୟକ୍ରମେ ଲାଗୁ କରିବାର ପ୍ରସ୍ତାବ ରହିଛି। ତେବେ ଏପରି କିଛି ଖାଦ୍ୟପଦାର୍ଥ ଯେଉଁଥିରେ କେବଳ ଏକ ମୁଖ୍ୟ ସାମଗ୍ରୀ ଥାଏ ତେବେ ଏହାକୁ ଏଥିରୁ ବାହାରେ ରଖାଯିବ।