ପୁରୀ ୨୯।୩: ମଦ ପାଇଁ ସାଙ୍ଗ ପାଲଟିଗଲା ସୈତାନ । ମଦ ମିଳିଲାନି ବୋଲି ସାଙ୍ଗକୁ ଅତି ନିର୍ମମ ଭାବେ ହତ୍ୟା କଲା ସାଙ୍ଗ । ଶୁକ୍ରବାର ବିଳମ୍ବିତ ରାତିରେ ପୁରୀ ସମୁଦ୍ର କୂଳ ଥାନା ଅନ୍ତର୍ଗତ ପେଣ୍ଠକଟା ତାରିଣୀ ବସ୍ତିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୁରୀ ପୋଲିସ । ମୁଖ୍ୟ ଅଭିଯୁକ୍ତ ତାରିଣୀ ବସ୍ତିର ଗୋବିନ୍ଦ ପାଇକରାୟକୁ ସମୁଦ୍ରକୂଳ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଠାରୁ ପୋଲିସ ଗୋଟିଏ ଚାପଡ, ଦୁଇଟି ମୋବାଇଲ ଫୋନ୍ ପୋଲିସ ଜବତ କରିଛି ।

ପୁରୀ ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ତପୁ, ଗୋବିନ୍ଦ ଓ ଅନ୍ୟ ସାଙ୍ଗ ଚାରି ଜଣ ଏକାଠି ହୋଇ ରେଳ ଷ୍ଟେସନ ଠାରେ ମଦ୍ୟପାନ କରିଥିଲେ । ପରେ ଆହୁରି ମଦ ଆଣିବା ପାଇଁ ତପୁ କହିବାରୁ ଗୋବିନ୍ଦ ମଦ ଯୋଗାଇ ଦେବ ବୋଲି କହିଥିଲା । ତେବେ ଗୋବିନ୍ଦ ମଦ ଆଣି ନ ପାରିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଗୋବିନ୍ଦ ଉତକ୍ଷିପ୍ତ ହୋଇ ଘର ଭିତରୁ ଏକ ଚାପଡ ଆଣି ତପୁ ଓ ବବୁଲ୍‌କୁ ମରଣାନ୍ତକ ଆକ୍ରମଣ କରିଥିଲା । ତପୁ ବାଲି ଉପରେ ମୁହଁ ମାଡି ପଡିଯିବାରୁ ଗୋବିନ୍ଦ ଏକ ପଥରରେ ତପୁ ମୁଣ୍ଡକୁ ଛେଚି ଦେଇଥିଲା । ଘଟଣାସ୍ଥଳରେ ହିଁ ତପୁର ମୃତ୍ୟୁ ହୋଇଥିଲା ।

Also Read:- ସମୁଦ୍ରରେ ବୁଡ଼ି ଯାଉଥିଲେ ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର କଲେ ଲାଇଫ୍ ଗାର୍ଡ

ସେହିପରି ବବୁଲ୍ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଖସି ଆସିଥିଲା । ତାକୁ ସ୍ଥାନୀୟ ଲୋକ ପ୍ରଥମେ ପୁରୀ ଓ ପରେ କଟକ ଏସସିବିରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଏହି ଘଟଣାକୁ ପୋଲିସ ଅତି ଗୁରୁତ୍ବର ସହ ନେଇ ତଦନ୍ତ ଚଳାଇଥିଲା । ତେବେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଏହି ହତ୍ୟା ଘଟଣାର ପର୍ଦ୍ଦାଫାଶ କରିବା ପୁରୀ ପୋଲିସ ପାଇଁ ବଡ଼ ସଫଳତା ମିଳିଛି ବୋଲି ଏସ୍‌ପି କହିଛନ୍ତି ।