ବିଭିନ୍ନ ସ୍ଥାନରେ ବଜ୍ରାଘାତ : ୪ ଜଣଙ୍କ ମୃତ୍ୟୁ, ୫ ଜଣ ଗୁରୁତର

Published By : Prameya-News7 Bureau | June 07, 2024 IST

କାମାକ୍ଷାନଗର।ଖଣ୍ଡପଡା।କରଞ୍ଜିଆ।ନୂଆପଡା ୭।୬: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ନେଇଛି ୪ ଜଣଙ୍କ ଜୀବନ । ସେହିଭଳି ୫ ଜଣ ବଜ୍ରାଘାତରେ ଗୁରୁତର ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେଙ୍ଗାଳି ବାଘୁଆ ଗାଁରେ ବଜ୍ରପାତ ହୋଇଛି ।  ବଜ୍ରପାତରେ ଜଣେ   ଫାଇନାନ୍ସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ବଡମ୍ବା  ଅଞ୍ଚଳର ସନ୍ତୋଷ କୁମାର ବେହେରା ଏବଂ ଗୁରୁତର ଫାଇନାନ୍ସ କର୍ମଚାରୀ ଜଣଙ୍କ ଢେଙ୍କାନାଳର ସନ୍ଧ୍ୟାରାଣୀ ଜେନା ବୋଲି ଜଣାପଡିଛି । ଉଭୟେ କାମାକ୍ଷାନଗର ସ୍ଥିତ ଚୈତନ୍ୟ ଫାଇନାନ୍ସରେ କାମ କରୁଥିଲେ । ସେହିଭଳି ମାଳପୁରା ଗାଁର ଦେବସ୍ମିତା ନାଏକ ଘରେ ବସିଥିବା ବେଳେ ବଜ୍ରାଘାତର ଶିକାର ହୋଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସେହିଭଳି ନୟାଗଡ ଜିଲ୍ଲା ଖଣ୍ଡପଡାରେ ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାଁ ସୁକାନ୍ତି ବେହେରା ହୋଇଥିବା ବେଳେ ତାଙ୍କ ଘର ଖଣ୍ଡପଡା ବ୍ଲକ ବଳଭଦ୍ର ପ୍ରସାଦ ଗାଁର ବୋଲି ଜଣାପଡିଛି ।

ସେପଟେ ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ କୁଇଲିପାଳ ଗ୍ରାମରେ ବଜ୍ରପାତ ହୋଇଛି । ବଜ୍ରାଘାତ ଫଳରେ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ଖୁଦୁରା ନାଏକ ଏବଂ ତାଙ୍କ ଝିଅ ସୋମବାରୀ ଘର ବାରଣ୍ଡାରେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ହୋଇଥିଲା ।

ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା କିରିକିଟା ଗାଁରେ ବଜ୍ରାଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ସିଙ୍ଗଲ ମାଝୀଙ୍କୁ ଉଦ୍ଧାର କରି ଖଡ଼ିଆଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ କିରିକିଟା ଗ୍ରାମର ତହସିଲ ମାଝୀ । ଉଭୟ ଚାଷ ଜମିରେ ଥିବା ବେଳେ ବଜ୍ରପାତ ହୋଇଥିଲା ।

You Can Read :

୬ ମାସ ଛୁଟିରେ ଗଲେ ଆଇଏଏସ ସୁଜାତା କାର୍ତ୍ତିକେୟନ, ନଭେମ୍ବର ୨୬ ଯାଏଁ ଛୁଟିରେ ରହିବେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.