ଅନୁଗୋଳ/ଆଠମଲ୍ଲିକପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଆଠମଲ୍ଲିକ ଗସ୍ତ ସମୟରେ ଅଞ୍ଚଳର ଆଧ୍ୟାତ୍ମିକ, ଯୋଗାଯୋଗ ଓ ଭିତ୍ତିଭୂମିର ବିକାଶ ପାଇଁ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିବା ସହ ଉଦଘାଟନ କରିଛନ୍ତି ।

ସାଂସଦ ବରଟିକିରା ଠାରୁ ଟାଙ୍ଗିଆନିଶା ଏବଂ ଛତିଆ ସାହି ଠାରୁ ପଦ୍ମପୋଖରୀ ପର୍ଯ୍ୟନ୍ତ ପକ୍କା ସଡ଼କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଆଠମଲ୍ଲିକ ଦୁର୍ଗାବଜାର ସ୍ଥିତ ଆରାଧ୍ୟା ଦେବୀ ମା’ ଦୁର୍ଗା ମନ୍ଦିରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ମାଧପୁର ବସଷ୍ଟାଣ୍ଡ୍ ଠାରେ ନୂତନ ହାଇମାଷ୍ଟ ଲାଇଟ୍ ସ୍ଥାପନ ପାଇଁ ଶ୍ରୀଗଣେଶ କରିଛନ୍ତି ଶ୍ରୀ ପ୍ରଧାନ । ଏହାସହ ପଶୁ ଡାକ୍ତରଖାନା ଛକ ଠାରୁ ମହାନଦୀ ସେତୁ ପର୍ଯ୍ୟନ୍ତ ନୂତନ ଆଲୋକୀକରଣ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ଯେ, ଏହିସବୁ ପଦକ୍ଷେପ ଆଗାମୀ ଦିନରେ ସ୍ଥାନୀୟ ଲୋକଙ୍କ ଯାତାୟତକୁ ସୁଗମ ଓ ସୁରକ୍ଷିତ କରିବା ସହ ସମଗ୍ର ଅଞ୍ଚଳର ଆର୍ଥିକ ଓ ସାମାଜିକ ପ୍ରଗତିକୁ ଅଧିକ ତ୍ୱରାନ୍ୱିତ କରିବ।

ସାଂସଦଙ୍କ ଏହି ଗସ୍ତ ସମୟରେ ଅନୁଗୋଳ, ଆଠମଲ୍ଲିକ ସମେତ ବିଭିନ୍ନ ସ୍ଥାନରେ ସ୍ଥାନୀୟ ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତାଙ୍କ ପକ୍ଷରୁ ତାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶ୍ରୀ ପ୍ରଧାନ ଆଠମଲ୍ଲିକ ସ୍ଥିତ ଦୁର୍ଗା ମନ୍ଦିରରେ ମଧ୍ୟ ଦର୍ଶନ କରିବା ସହ ମା’ଙ୍କ ପାଖରେ ଜଗତର କଲ୍ୟାଣ କାମନା କରିଥିଲେ ।