ଢେଙ୍କାନାଳ ଗସ୍ତରେ ମୁଖ୍ୟମନ୍ତ୍ରୀ, ୪ ହଜାର କୋଟି ଟଙ୍କାର ୨୩ ପ୍ରକଳ୍ପର କଲେ ଶିଳାନ୍ୟାସ

Published By : Prameya-News7 Bureau | June 04, 2025 IST

ଢେଙ୍କାନାଳ ୪ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଢେଙ୍କାନାଳକୁ ଏକ ଦିନିକିଆ ଗସ୍ତରେ ଯାଇ ଢେଙ୍କାନାଳବାସୀଙ୍କୁ ୪ ହଜାର କୋଟି ଟଙ୍କା ଅଟକଳର ୨୩ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।  ଭୁବନେଶ୍ୱରରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଗସ୍ତ କରିଥିଲେ । ଅପରାହ୍ନ ୩ଟା ୨୫ମିନିଟ୍ ସମୟରେ ସ୍ଥାନୀୟ ଡିପିଏସ୍‌ ସ୍କୁଲ ଠାରେ ସ୍ୱତନ୍ତ୍ର ହେଲିପ୍ୟାଡ଼ରେ ଅବତରଣ କରିଥିଲେ ।  ସେଠାରୁ କାର୍ ଯୋଗେ ପ୍ରଥମେ ବନମାଳୀ ପ୍ରସାଦ ଯାଇ ସେଠାରେ ୧୨୦ କୋଟି ଟଙ୍କାର ବାଜି ରାଉତ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପରେ ପରେ ମହିଷାପାଟ ସ୍ଥିତ ପଲ୍ଲିଶ୍ରୀ ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ନେତା ଓ କର୍ମୀ ମାନେ ବିରାଟ ପୁଷ୍ପମାଲ୍ୟ ଦେଇ ଭବ୍ୟ ସ୍ୱାଗତ କରିଥିଲେ । ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଉତ୍ପାଦିତ ପନିପରିବା ଓ ଫଳମୂଳ ସାଙ୍ଗକୁ ଲଙ୍ଗଳ ଅର୍ପଣ କରିଥିଲେ । ସାଧାରଣ ସଭାକୁ ଉଦ୍ଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ସଭାସ୍ଥଳ ଠାରେ, ସଦର ବ୍ଲକ ଅନ୍ତର୍ଗତ ଛାଟିଆ ଠାରେ ପ୍ରସ୍ତାବିତ ଆଇନକ୍ସ ୱିଣ୍ଡ କମ୍ପାନୀର ଏକ ସୋଲାର କାରଖାନା ପ୍ରକଳ୍ପ, ଜୋରନ୍ଦା ମହିମା ଗାଦୀର ବିକାଶ ପାଇଁ ୧୭୧ କୋଟି ଟଙ୍କାର ପ୍ରକଳ୍ପ, ଢେଙ୍କାନାଳ ମେଡ଼ିକାଲ କଲେଜ ଆଦି ୪ ହଜାର କୋଟି ଟଙ୍କା ବ୍ୟୟ ଅଟକଳ ୨୩ଟି ପ୍ରକଳ୍ପର ଏକ କାଳୀନ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଜନ ସାଧାରଣଙ୍କୁ  ଉଦ୍‌ବୋଧନ ଦେଇ ରାଜ୍ୟରେ ବିଜେପି ସରକାରର ଏକ ବର୍ଷର ସଫଳତା ବଖାଣିଛନ୍ତି ମୋହନ ମାଝୀ ।  

ଢେଙ୍କାନାଳ ଜିଲ୍ଲା ସଂଗ୍ରାମୀ ମାଟି ଓ ଢେଙ୍କାନାଳର ସଂସ୍କୃତି, ବିଶ୍ବ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ଏକ ନିଆରା । ମହିମା ଗାଦି ପାଇଁ ବିଗତ ସରକାର ଯେଉଁ ବଜେଟ୍ ଘୋଷଣା କରିଥିଲେ ତାହା ହୋଇପାରିଲା ନାହିଁ । ବିଜେପି ସରକାର ଆସିଲା ପରେ ଆମେ ମହିମା ଗାଦି ବିକାଶ ପାଇଁ ୧୭୧କୋଟି ଟଙ୍କା ବିନିଯୋଗ କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ଯୁବଗୋଷ୍ଠୀଙ୍କୁ ଆହୁରି ସଶକ୍ତ କରିବା ପାଇଁ କ୍ରୀଡ଼ାକ୍ଷେତ୍ରକୁ ଆହୁରି ସୁଦୃଢ଼ କରୁଛୁ । ଏହି ଜିଲ୍ଲାର ଯୁବ ନେତୃତ୍ବକୁ ସଦୃଢ କରିବାର ସମୟ ଆସିଛି । ଏହି ଜିଲ୍ଲାରେ ଶିଳ୍ପକ୍ଷେତ୍ରକୁ କିପରି ତ୍ବରାନ୍ବିତ କରାଯିବ ତାକୁ ବିଜେପି ସରକାର ପୂରଣ କରିବ । ଢେଙ୍କାନାଳ ଜିଲ୍ଲାର ୨୬ ହଜାର ଯୁବକ ଯୁବତୀମାନଙ୍କ ପାଇଁ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ଯୋଗାଇ ଦିଆଯିବ । ଇତି ମଧ୍ୟରେ ୪ଟି ଶିଳ୍ପ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅପରପକ୍ଷରେ ଆମ ସରକାର ମାତ୍ର ଏକ ବର୍ଷରେ କୃଷକ ମାନଙ୍କ ପାଇଁ ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି, ଶୀତଳ ଭଣ୍ଡାର, ମହିଳାଙ୍କ ପାଇଁ ସୁଭଦ୍ରା, ସ୍ୱାସ୍ଥ୍ୟ ପାଇଁ ଆୟୁଷ୍ମାନ, ପିଏମଶ୍ରୀ ଓ ଗୋଦାବରୀଶ ମିଶ୍ର ସ୍କୁଲ, ଢେଙ୍କାନାଳ ଜିଲ୍ଲାବାସୀଙ୍କ ଉନ୍ନତମାନର ଚିକିତ୍ସା ସେବା ପାଇଁ   ନୂତନ ମେଡ଼ିକାଲ କଲେଜ ଆଦି  ଅନେକ ଜନ ହିତକର ଯୋଜନା ପ୍ରଣୟନ କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

ଏହି ଅବସରରେ  ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ରୁଦ୍ର ନାରାୟଣ ପାଣି, ଅବିଭକ୍ତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର  ସମସ୍ତ ବିଧାୟକ, ବିଜେପି ନେତା କର୍ମୀ ଓ ସମର୍ଥକଙ୍କ ସମେତ ହଜାର ହଜାର ସଂଖ୍ୟାରେ ଜନ ସମାଗମ ହୋଇଥିଲେ । 

You Can Read:

ଶିକ୍ଷା ବିଭାଗକୁ ବଲାଙ୍ଗିର ବିଧାୟକଙ୍କ ତାଗିଦ୍ : କହିଲେ- ଏଣିକି ଛୁଟି ପରେ ଡିଇଓ, ବିଇଓ ଏବଂ ହେଡ୍ ମାଷ୍ଟର ସ୍କୁଲ ଟଏଲେଟ୍ ବ୍ୟବହାର କରନ୍ତୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.