୫ କୋଟି ବର୍ଷ ପୁରୁଣା ଇତିହାସ ଆଗରେ ବିଜ୍ଞାନ ନତମସ୍ତକ, ଗୁଜରାଟରୁ ମିଳିଲା ବାସୁକୀ ନାଗର ଜୀବାଶ୍ମ

Published By : Prameya-News7 Bureau | April 19, 2024 IST

ନୂଆଦିଲ୍ଲୀ: ଗୁଜରାଟର କଚ୍ଛରୁ ଆଜି ଯାଏ ସବୁଠୁ ଲମ୍ୱା ନାଗ ସାପର ଅବଶେଷ ମିଳିଛି । ଏହି ନାଗ ଟି-ରେକ୍ସରୁ ମଧ୍ୟ ଲମ୍ୱା ଥିଲା । ଏହି ନାଗର ପ୍ରଜାତିର ନାଁ ବାସୁକୀ ଇଣ୍ଡିକସ । ଭାରତୀୟ ପୁରାଣରେ ସମୁଦ୍ର ମନ୍ଥନରେ ବାସୁକୀ ନାଗ କଥା ଉଲ୍ଲେଖ ରହିଛି । ଆଇଇଟି-ରୁରକିର ବୈଜ୍ଞାନିକମାନେ ଏହି ଜୀବାଶ୍ମକୁ ଖୋଜି ବାହାର କରିଥିଲେ ଏବେ ତାହା ଏକ ବିଶାଳ ସାପ ଥିଲା ବୋଲି ସ୍ପଷ୍ଟ ହୋଇଛି । ଏହି ଅବଶେଷ ପ୍ରାୟ ୫ କୋଟି ବର୍ଷ ପୁରୁଣା । ଏହା ବିଭିନ୍ନ ପ୍ରଜାତି, ବିଶେଷ କରି ସରିସୃପଙ୍କ ଉତ୍ପତ୍ତି ଏବଂ ବିକାଶ ପ୍ରକ୍ରିୟାରେ ଭାରତର ଗୁରୁତ୍ୱପୂର୍ଣ୍ଣ ଶୃଙ୍ଖଳା ସ୍ଥାପନ କରୁଛି । ଗବେଷକମାନେ ସାପର ୨୭ କୋଷିକାକୁ ଖୋଜି ବାହାର କରିଛନ୍ତି ଏବଂ ଏଥିରୁ କିଛି ବଡ଼ ନାଗ ପରି ଦେଖିଯାଏ ଏବଂ ବିଷାକ୍ତ ନୁହେଁ । ରିସର୍ଚର୍ସଙ୍କ ଅନୁସାରେ ଏହି ବାସୁକୀ ନାଗର ଲମ୍ୱ ୧୧-୧୫ ମିଟର (ପ୍ରାୟ ୫୦ ଫୁଟ୍) ମଧ୍ୟରେ ହେବ ଏବଂ ଓଜନ ୧ ଟନ ରହିଥିବ ।

ବୈଜ୍ଞାନିକଙ୍କ କହିବା ଅନୁସାରେ ଏହାର ଆକାର କାରଣରୁ, ଏହା ଆନାକୋଣ୍ଡା ପରି ଧିର ସ୍ଥିରେ ଶିକାର କରୁଥିବ । ଅନୁସନ୍ଧାନର ନିଷ୍କର୍ସକୁ ସାଇଣ୍ଟିଫିକ୍ ରିପୋର୍ଟ୍ସ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି । ଗବେଷଣାକାରୀ ନୂଆ କରି ଖୋଜାଯାଇଥିବା ଏହି ସାପ ପ୍ରଜାତିର ନାଁ ଭଗବାନ ଶିବଙ୍କ ଗଳାରେ ପୌରାଣିକ ସାପର ନାଁ ଏବଂ ମିଳିଥିବା ଦେଶକୁ ଯୋଡ଼ି ବାସୁକୀ ଇଣ୍ଡିକସ (ବି.ଇଣ୍ଡିକସ) ରଖିଛନ୍ତି । ସେ କହିଛନ୍ତି ଯେ ବି.ଇଣ୍ଡିକସ ଏବେ ବିଲୁପ୍ତ ହୋଇ ସାରିଥିବା ମ୍ୟାଡତ୍ସୋଇଡେ ପରିବାର ସଦସ୍ୟ, ଯାହା ଆଫ୍ରିକା, ୟୁରୋପ ଏବଂ ଭାରତରେ ରହୁଥିଲା ।

ରିପୋର୍ଟରେ କୁହାଯାଇଛି ଯେ ଏହି ସାପ ଭାରତରେ ସୃଷ୍ଟି ଏକ ବିଶିଷ୍ଟ ବଂଶର ପ୍ରତିନିଧିତ୍ୱ କରୁଛି ଯାହା ପ୍ରାୟ ୫୪ରୁ ୩୪ ମିଲିୟନ ବର୍ଷ ପୂର୍ବେ ଇଓସିନ ସମୟରେ ଦକ୍ଷିଣ ୟୁରୋପରୁ ଆଫ୍ରିକା ଯାଏ ବ୍ୟାପ୍ତ ଥିଲା । କୁହାଯାଉଛି ଯେ ଆଧୁନିକ ସ୍ତନ୍ୟପାୟୀ ପ୍ରଜାତିଙ୍କ ପ୍ରଥମ ପୂର୍ବଜ ଏବଂ ସମ୍ପର୍କୀୟ ଇଓସିନ କାଳରେ ଆସିଥିଲେ । ଏଥିରେ ଜୀବାଶ୍ମକୁ ପ୍ରାୟ ୪୭ ମିଲିୟନ ବର୍ଷ ପୁରୁଣା ମଧ୍ୟ ଇଓସିନ କାଳର ବୋଲି କୁହାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.