କାଠମାଣ୍ଡୁ: ନେପାଳରେ ଯୁବଗୋଷ୍ଠୀଙ୍କର ହିଂସକ ଆନ୍ଦୋଳନ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ବର୍ତ୍ତମାନ ଦେଶର କ୍ଷମତାସୀନ ସରକାର ଇସ୍ତଫା ଦେଇସାରିଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି, ରାଷ୍ଟ୍ରପତି ରାମଚନ୍ଦ୍ର ପୌଦେଲଙ୍କ ସମେତ ବିଭିନ୍ନ ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି। ନେପାଳ ସେନା ଦେଶର ଶାସନ ଭାର ହାତକୁ ନେଇଛି ବୋଲି ଘୋଷଣା କରିଛି। ଏଭଳି ସ୍ଥିତି ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଝାଲା ନାଥ ଖାନାଲ୍‌ଙ୍କ ପତ୍ନୀ ରବି ଲକ୍ଷ୍ମୀ ଚିତ୍ରାକରଙ୍କର ମୃତ୍ୟୁ ଘଟିଛି। ଆନ୍ଦୋଳନକାରୀମାନେ ତାଙ୍କ ଘରେ ନିଆଁ ଲଗାଇ ଦେବା ପରେ ପୋଡ଼ି ହୋଇ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, କିଛି ପ୍ରଦର୍ଶନକାରୀ ତାଙ୍କ ଘରେ ପଶି ନିଆଁ ଲଗାଇ ଦେଇଥିଲେ। ଏବଂ ତାଙ୍କୁ ଜବରଦସ୍ଥି ଘରେ ଭିତରେ ପୂରାଇ ଦେଇଥିଲେ। ଏଥିରେ ସେ ଜଳିଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ କୀର୍ତ୍ତିପୁର ବର୍ନ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ଥାଙ୍କୁ ମୃତ ଘୋଷଣା କରିଛନ୍ତି।

ନେପାଳରେ ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରୁ ପ୍ରତିବନ୍ଧକ ଉଠାଇ ଦେଇଥିବା ଘୋଷଣା କରିବା ସତ୍ତ୍ୱେ ନେପାଳରେ ଯୁବବର୍ଗଙ୍କର ହିଂସାତ୍ମକ ଆନ୍ଦୋଳନ ଜାରି ରହିଛି। ପ୍ରଦର୍ଶନର ଦ୍ୱିତୀୟ ଦିନରେ ଆଉ ଦୁଇଜଣଙ୍କ ମୃତ୍ୟୁ ହେବା ପରେ ପ୍ରଦର୍ଶନକାରୀମାନେ ଓଲିଙ୍କ ବହିଷ୍କାର ଏବଂ ସରକାରଙ୍କୁ ବରଖାସ୍ତ କରିବାକୁ ଦାବି କରିଥିଲେ। ଆନ୍ଦୋଳରେ ମୃତ୍ୟୁ ସଂଖ୍ୟା ୨୨ କୁ ବୃଦ୍ଧି ପାଇଛି ଏବଂ ୩୦୦ ରୁ ଅଧିକ ଆହତ ହୋଇଛନ୍ତି।

ନେପାଳର କେପି ଶର୍ମା ଓଲି ସରକାରଙ୍କର ପ୍ରିୟାପ୍ରୀତି ତୋଷଣ ଓ ଦୁର୍ନୀତି ନେଇ ଦେଶରେ ଯୁବବର୍ଗ ଅସନ୍ତୋଷ ଥିଲେ। ଦେଶରେ ମଝିରେ ମଝିରେ ଆନ୍ଦୋଳନ ତେଜିଥିଲା। ଯାହା ସୋସିଆଲ୍ ମିଡିଆରେ ଅଧିକ ପ୍ରସାରିତ ହେଉଥିଲେ। ଏଥିପାଇଁ ଓଲିଙ୍କ ସରକାର ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉପରେ ବ୍ୟାନ୍ ଲଗାଇ ଦେଇଥିଲେ। ଏହାପରେ ଆନ୍ଦୋଳନ ତେଜିଥିଲା। ଯାହା ବର୍ତ୍ତମାନ ସୁଦ୍ଧା ଜାରି ରହିଛି।