ପୂର୍ବତନ CJI ଚନ୍ଦ୍ରଚୂଡ଼ ଖାଲି କଲେ ଅଧିକାରୀକ ସରକାରୀ କ୍ୱାର୍ଟର

Published By : Prameya-News7 Bureau | August 01, 2025 IST

ନୂଆଦିଲ୍ଲୀ ୧।୮: ଭାରତର ପୂର୍ବତନ ପ୍ରଧାନ ନ୍ୟାୟାଧୀଶ (ସିଜେଆଇ) ଡି.ୱାଇ.ଚନ୍ଦ୍ରଚୂଡ଼ କୃଷ୍ଣ ମେନନ ମାର୍ଗସ୍ଥିତ ବଙ୍ଗଳା ନମ୍ବର ୫କୁ ଶୁକ୍ରବାର ଖାଲି କରିଦେଇଛନ୍ତି। ଅବସର ପରେ ନିର୍ଦ୍ଧାରିତ ସମୟ ସୀମାରୁ ଅଧିକ ସମୟ ଧରି ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଅଧିକାରୀକ କ୍ୱାର୍ଟର ଖାଲି ନ କରିବାରୁ ସାରା ଦେଶରେ ଚର୍ଚ୍ଚା ହୋଇଥିଲା। ତେବେ କ୍ୱାର୍ଟର ଖାଲି କରିବାରେ ବିଳମ୍ବ ପାଇଁ ଜଷ୍ଟିସ୍ ଚନ୍ଦ୍ରଚୂଡ଼ କିଛି ବ୍ୟକ୍ତିଗତ କାରଣ ଜଣାଇଥିଲେ। ଏ ବାବଦେ ସେ ସୁପ୍ରିମକୋର୍ଟ ପ୍ରଶାସନ ଓ ସିଜେଆଇଙ୍କୁ ସୂଚିତ ମଧ୍ୟ କରିଥିଲେ। 

ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଏହି ପଦକ୍ଷେପ ସେହି ସବୁ ଅଭିଯୋଗ ପରେ ଉଠାଇଛନ୍ତି ଯେଉଁଥିରେ ପୂର୍ବତନ ସିଜେଆଇ ତାଙ୍କ ଅବସର ପରେ ନିର୍ଦ୍ଧାରିତ ସମୟ ସୀମା ପରେ ମଧ୍ୟ ବଙ୍ଗଳାରେ ରହୁଥିବାର ଅଭିଯୋଗ ହୋଇଥିଲା। ଏହା ଛଡା ମାସକ ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ତାଙ୍କଠାରୁ ଆବାସୀୟ କ୍ୱାର୍ଟରକୁ ଖାଲି କରିବାକୁ ଅନୁରୋଧ କରିଥିଲେ। 

ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ଼ ଭାରତର ୫୦ତମ ସିଜେଆଇ ଥିଲେ। ତାଙ୍କର କାର୍ଯ୍ୟକାଳ ୧୦ ନଭେମ୍ବର ୨୦୨୪ରେ ଶେଷ ହୋଇଥିଲା। ନିୟମ ୩ (ବି) ୨୦୨୨ ଅନୁସାରେ ସିଜେଆଇ ରିଟାୟାରର ୬ ମାସ ପର୍ଯ୍ୟନ୍ତ କ୍ୱାର୍ଟରରେ ରହିବାର ଅନୁମତି ଥିଲା, ଯାହା ୧୦ ମେ ୨୦୨୫ରେ ସମାପ୍ତ ହୋଇସାରିଥିଲେ ବି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କ୍ୱାର୍ଟର ଖାଲି କରିନଥିଲେ। ଏହା ପରେ ସୁପ୍ରିମକୋର୍ଟ କୃଷ୍ଣମେନନ ମାର୍ଗସ୍ଥିତ ବଙ୍ଗଳା ନମ୍ବର ୫ ଖାଲି କରାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। 

ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ଼ ତାଙ୍କ ସିଜେଆଇ କାର୍ଯ୍ୟକାଳରେ ଅନେକ ଐତିହାସିକ ରାୟ ଦେଇଛନ୍ତି ଓ ଗୁରୁତ୍ୱପୂର୍ଣ୍ଣ ସୁଧାର କରିଛନ୍ତି। ତାଙ୍କ ଐତିହାସିକ ରାୟରେ ରାଜନୈତିକ ଫଣ୍ଡିଂ ଲାଗି ନିର୍ବାଚନୀ ବଣ୍ଡ ଯୋଜନା ଉଚ୍ଛେଦ ଓ ଆର୍ଟିକ୍ଲ ୩୭୦ ସମାପ୍ତ କରିବା ଲାଗି ନିଷ୍ପତ୍ତିକୁ କାୟମ ରଖିବା ନିମନ୍ତେ ତାଙ୍କ ରାୟ ଉଲ୍ଲେଖନୀୟ। ନିକଟରେ ସୁପ୍ରିମକୋର୍ଟ ରେଜିଷ୍ଟ୍ରାର ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ କାର ନିମନ୍ତେ ନମ୍ବର ପ୍ଲେଟ ଅନୁରୋଧ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.