LIVE TV

ଚୀନ୍ ରେ ପୂର୍ବତନ କୃଷିମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ, ଲାଞ୍ଚ କାରବାରରେ ହୋଇଥିଲେ ଦୋଷୀ ସାବ୍ୟସ୍ତ

NEWS7
gfx

ଚାଙ୍ଗଚୁନ ୨୮।୯: ଚୀନ୍ ର ପୂର୍ବତନ କୃଷିମନ୍ତ୍ରୀ ଓ ଗ୍ରାମ୍ୟ ବ୍ୟାପାର ମନ୍ତ୍ରୀ ତାଙ୍ଗ ରେନଜିୟନଙ୍କୁ ଲାଞ୍ଚ ନେବା ଅଭିଯୋଗରେ ମୃତ୍ୟୁଦଣ୍ଡାଦେଶ କରାଯାଇଛି। କୋର୍ଟଙ୍କ ରାୟ ଦୁଇ ବର୍ଷ ପରେ କାର୍ଯ୍ୟକାରୀ ହେବ। ତାଙ୍କ ଉପରେ ୩୮ ନିୟୁତ ଆମେରିକୀୟ ଡଲାର ଲାଞ୍ଚ ନେବାର ଅଭିଯୋଗ ଥିଲା। ଚାଙ୍ଗଚୁନର ମଧ୍ୟସ୍ଥ ପ୍ୟୁପିଲସ୍ କୋର୍ଟ ତାଙ୍ଗଙ୍କୁ ରାଜନୈତିକ ଅଧିକାରରୁ ଆଜୀବନ ବଞ୍ଚିତ କରିବାକୁ ଓ ତାଙ୍କର ସମସ୍ତ ବ୍ୟକ୍ତିଗତ ସମ୍ପତ୍ତି ଜବତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।  

କୋର୍ଟ କହିଛନ୍ତି ଯେ ଲାଞ୍ଚରୁ ଅର୍ଜିତ ଅବୈଧ ଧନକୁ ଜାତୀୟ ରାଜକୋଷରେ ଜମା କରାଯିବ। ତାଙ୍ଗ ୨୦୦୭-୨୦୨୪ ମଧ୍ୟରେ ତାଙ୍କ ପଦପଦବୀର ଫାଇଦା ନେଇ ବ୍ୟବସାୟ, ପ୍ରୋଜେକ୍ଟ କଣ୍ଟ୍ରାକ୍ଟିଂ ଓ ଚାକିରୀ କରାଇ ଦେବା ପାଇଁ ଅନ୍ୟମାନଙ୍କଠାରୁ ଲାଞ୍ଚ ନେଇଥିଲେ। ଏହି ଲାଞ୍ଚରେ ସେ ୨୬୮ ମିଲିୟନ ୟୁଆନ (୩୮ ମିଲିୟନ ଡଲାର) ସହିତ ମୂଲ୍ୟବାନ ଉପହାର ସ୍ୱୀକାର କରିଥିଲେ। ତାଙ୍ଗ କୋର୍ଟରେ ତାଙ୍କର ଅପରାଧ ସ୍ୱୀକାର କରିଛନ୍ତି ଓ ଶେଷ ବୟାନରେ ପଶ୍ଚାତାପ ମଧ୍ୟ କରିଛନ୍ତି। ତେବେ ତାଙ୍କ ଅପରାଧ ଦେଶ ଓ ଜନତାଙ୍କ ସ୍ୱାର୍ଥର ଗୁରୁତର କ୍ଷତି କରିଛି ବୋଲି କୋର୍ଟ କହିଛନ୍ତି।

ଯେହେତୁ ସେ ଅପରାଧ ସ୍ୱୀକାର କରିଛନ୍ତି ଓ ଲାଞ୍ଚ ସମ୍ପତ୍ତି ଫେରାଇଛନ୍ତି ଏଣୁ କୋର୍ଟ ତାଙ୍କୁ ରାୟରେ ମହଲତ ଦେଇଛନ୍ତି। ୨୦୧୨ ମସିହାରେ ସି ଜିନପିଙ୍ଗ ଦେଶର ରାଷ୍ଟ୍ରପତି ହେବା ପରେ ବ୍ୟାପକ ଦୁର୍ନୀତି ନିବାରଣ ଅଭିଯାନ ହାତକୁ ନେଇଥିଲେ। ଏହି ଅଭିଯାନରେ ୧ ନିୟୁତରୁ ଅଧିକ ଅଧିକାରୀଙ୍କୁ ଦଣ୍ଡିତ କରାଯାଇଛି ଅଥବା ସେମାନଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ହୋଇଛି। ଏମାନଙ୍କ ମଧ୍ୟରେ ଅନେକ ଉଚ୍ଚ ସୈନ୍ୟ ଅଧିକାରୀ ମଧ୍ୟ ଅଛନ୍ତି। ତାଙ୍ଗଙ୍କ ମାମଲା ଏହି ଅଭିଯାନର ଅଂଶବିଶେଷ ଓ ଏଥିରୁ ଏହି ବାର୍ତ୍ତା ଯାଉଛି ଯେ ଉଚ୍ଚ ପଦପଦବୀରେ ବସିଥିବା ଅଧିକାରୀଙ୍କ ଲାଗି ଦୁର୍ନୀତିର କୌଣସି ସ୍ଥାନ ନାହିଁ।