ନୂଆଦିଲ୍ଲୀ ୪।୯: ପଞ୍ଜାବରେ ଲଗାଣ ବର୍ଷା ଓ ତତ୍ ଜନିତ ବନ୍ୟା ଯୋଗୁ ପରିସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି। ପଞ୍ଜାବର ସମସ୍ତ ୨୩ଟି ଜାକ ଜିଲ୍ଲାର ୧,୪୦୦ରୁ ଅଧିକ ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏଣୁ ପଞ୍ଜାବ ସରକାର ରାଜ୍ୟକୁ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ବନ୍ୟା ଯୋଗୁ ପଞ୍ଜାବରେ ଭାରତ-ପାକ୍ ଅନ୍ତର୍ଜାତୀୟ ସୀମାରେ ପରିସ୍ଥିତି ମଧ୍ୟ ବିଗିଡି ଯାଇଛି। ଇଣ୍ଟରନ୍ୟାସନାଲ ବର୍ଡରରେ ୧୧୦ କିଲୋମିଟରରୁ ଅଧିକ ଫେନସିଂ (ବାଡ) କ୍ଷତିଗ୍ରସ୍ତ ହୋଇଥିବା ବେଳେ ସୁରକ୍ଷା ପାଇଁ ସୀମାରେ ସୀମା ସୁରକ୍ଷା ବଳ (ବିଏସଏଫ)ର ୯୦ଟି ପୋଷ୍ଟ ପାଣିରେ ବୁଡି ରହିଛି।

କେବଳ ପଞ୍ଜାବ ନୁହେଁ ପଡୋଶୀ ଜମ୍ମୁର ବର୍ଡର ଏରିୟା ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି। ଏଣୁ ବିଏସଏଫ ପକ୍ଷରୁ ମେଗା ପୁନନିର୍ମାଣ ଯୋଜନା ଆରମ୍ଭ ହୋଇଛି। ଭାରତର ପଶ୍ଚିମ ସୀମାରେ ଥିବା ୨,୨୮୯ କିଲୋମିଟର ଦୀର୍ଘ ଅନ୍ତର୍ଜାତୀୟ ସୀମା ରାଜସ୍ଥାନ, ଗୁଜରାଟ, ପଞ୍ଜାବ ଓ ଜମ୍ମୁ  ଦେଇ ଯାଇଛି। ଏଥିରୁ ଜମ୍ମୁରେ ବିଏସଏଫ ୧୯୨ କିଲୋମିଟର ଓ ପଞ୍ଜାବରେ ୫୫୩ କିଲୋମିଟର ଅଞ୍ଚଳ ଉପରେ ନଜର ରଖିଛି।

ପଞ୍ଜାବରେ ପାଖାପାଖି ୮୦ କିଲୋମିଟର ଓ ଜମ୍ମୁରେ ପାଖାପାଖି ୩୦ କିଲୋମିଟର ବାଡ଼ ବନ୍ୟା ଯୋଗୁ ସମ୍ପୂର୍ଣ୍ଣ ବୁଡି ରହିଥିବା ବେଳେ କେତେକ ସ୍ଥାନରେ ପାଣିର ପ୍ରଖର ସ୍ରୋତରେ ବାଡ଼ ଭାସି ଯାଇଛି ଅଥବା ଅସ୍ଥିର ହୋଇଛି। ବନ୍ୟା ଯୋଗୁ ଜମ୍ମୁରେ ପାଖାପାଖି ୨୦ ଓ ପଞ୍ଜାବରେ ୬୫ରୁ ୬୭ଟି ବିଏସଏଫ ପୋଷ୍ଟ (ବର୍ଡ ଆଉଟପୋଷ୍ଟ) ଜଳମଗ୍ନ ହୋଇଛି। ଏହା ଛଡା କେତେକ ଅଗ୍ରୀମ ରକ୍ଷା ବିନ୍ଦୁ (ଏଫଡିପି) ଓ ଉଚ୍ଚରେ ଥିବା ଇନିସ୍ପେକ୍ସନ ପୋଷ୍ଟ ମଧ୍ୟ ପ୍ରଭାବିତ ହୋଇଛି।  

ଏଣୁ ଏବେ ପ୍ରଭାବିତ କ୍ଷେତ୍ର ଉପରେ ଡ୍ରୋନ, ବଡ ସର୍ଚ୍ଚ ଲାଇଟ୍ ଦ୍ୱାରା ନଜର ରଖା ଯାଇଥିବା ବେଳେ ଡଙ୍ଗା ଦ୍ୱାରା ପାଟ୍ରୋଲିଂ କରାଯାଉଛି। ଅଧିକାରୀଙ୍କ ଅନୁସାରେ ଏବେ ପାଣି ଧିରେ ଧିରେ ହ୍ରାସ ହେଉଛି ଓ ବିଏସଏଫ ଖୁବ୍ ଶୀଘ୍ର ତାର ପୁରୁଣା ସ୍ଥିତିକୁ ଫେରିଯିବ। କିଛି ଦିନ ପୂର୍ବରୁ ଜମ୍ମୁରେ ବନ୍ୟା ପାଣିରେ ଭାସି ଯାଇ ଜଣେ ବିଏସଏଫ ଜବାନଙ୍କ ମୃତ୍ୟୁ ହୋଇଥିଲା।