News7 Logo

ମାଥିଲି ପୋଲିସକୁ ସଫଳତା, ୮ ଦିନ ପରେ ୫ ଅଭିଯୁକ୍ତ ଗିରଫ

NEWS7
mathili

ମାଥିଲି ୧୮।୦୯ :  ପୋଲିସକୁ ମିଳିଲା ସଫଳତା । ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁରୁମ ପାଲ୍ଲୀରେ ଗୁଣିଗାରେଡି ସନ୍ଦେହରେ ନିରଞ୍ଜନ ଠାକୁରଙ୍କୁ ନିର୍ମମ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଘଟଣାର ୮ ଦିନ ପରେ ପୋଲିସ ତଦନ୍ତ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଖବର ଅନୁଯାୟୀ, ଗତ ୧୦ ତାରିଖରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁରୁମପାଲ୍ଲୀରେ ଗୁଣିଗାରେଡି ସନ୍ଦେହରେ ନିରଞ୍ଜନ ଠାକୁରଙ୍କୁ ଅତି ନିର୍ମମ ଭାବେ ଟାଙ୍ଗିଆରେ ହତ୍ୟା କରାଯାଇଥିଲା। ଘଟଣାର ୮ ଦିନ ପରେ ପୋଲିସ ତଦନ୍ତ କରି ସଂପୃକ୍ତ ଥିବା ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହତ୍ୟା କରିବା ପୂର୍ବରୁ ବହୁବାର ଉଦ୍ୟମ କରିଥିଲେ । କିନ୍ତୁ ସଫଳ ହୋଇପାରିନଥିଲେ । ଶେଷରେ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଯୋଜନା ବଦ୍ଧ ଭାବେ କୌଣସି ସୁରାକ ମଧ୍ୟ ଛାଡିନଥିଲେ । କିନ୍ତୁ ପୋଲିସ ବିଭିନ୍ନ ଦିଗରକୁ ଅନୁସନ୍ଧାନ କରିଥିଲା । ଆଉ ସନ୍ଧାନୀ କୁକୁରର ସହାୟତା ମଧ୍ୟ ନେଇଥିଲା ମାଥିଲି ପୋଲିସ । ବର୍ଷା ଲାଗି ସନ୍ଧାନୀ କୁକୁର  ଅଭିଯୁକ୍ତଙ୍କୁ ଧରିବାରେ ଫେଲ ମାରିଥିଲା । ଶେଷରେ ପୋଲିସ ହାତରେ ଲାଗିଥିଲା ଏକ ସୁରାକ । ଅପରାଧୀମାନେ ଗାଁରେ ଥିବା ଟ୍ରାନ୍ସଫର୍ମରୁ ବିଦ୍ୟୁତ କାଟି ହତ୍ୟା କରିଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ହିଁ ତଦନ୍ତକୁ ଜୋରଦାର କରିଥିଲା ପୋଲିସ । ସନ୍ଦେହରେ ଜଣଙ୍କୁ ଗିରଫ କରିଲା ପୋଲିସ । ଏହାପରେ ତାକୁ ଜେରା ପରେ ସବୁ ତଥ୍ୟ ପଦାକୁ ଆସିଥିଲା । ଆଉ ଜଣଙ୍କ ପରେ ଜଣେ ଆସାମୀକୁ ଗିରଫ କରିଲା ପୋଲିସ । ଘଟଣାରେ ମୋଟ ୫ଜଣଙ୍କୁ ଗିରଫ କରିଛି ପୋଲିସ ।

ତେବେ ଗିରଫ ୫ ଜଣଙ୍କର ମଧ୍ୟରେ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରତାପ ପୂଜାରୀ, ମାଷ୍ଟରମାଇଣ୍ଡ ଦିନେଶ ନାୟକ, ଜଗନ୍ନାଥ ନାୟକ, ମିଥୁନ ନାୟକ, ବିନୋଦ ନାୟକ ରହିଛନ୍ତି । ଏହାସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଗାଁ ପୋଖରୀରୁ ଜବତ ହୋଇଛି । ଗିରଫ ପରେ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।