ନୂଆଦିଲ୍ଲୀ: ଜମ୍ମୁ- କାଶ୍ମୀରର ରିୟାସୀ ଜିଲ୍ଲାର ତ୍ରିକୁଟା ପାହାଡ଼ରେ ଅବସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିର ରାସ୍ତାରେ ମଙ୍ଗଳବାର ଭୁସ୍ଖଳନ ହୋଇଛି। ଅର୍ଦ୍ଦକୁମାରୀ ସ୍ଥିତ ଇନ୍ଦ୍ରପ୍ରସ୍ଥ ଭୋଜନାଳୟ ନିକଟରେ ହୋଇଥିବା ଏହି ଭୟଙ୍କର ଭୁସ୍ଖଳନ ଯୋଗୁ ୫ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ସେହିଭଳି ୧୪ ଜଣ ଆହତ ହୋଇଛନ୍ତି। କିଛି ଶ୍ରଦ୍ଧାଳୁ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଥିବାରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନାଥାଉକି, ଜମ୍ମୁ- କାଶ୍ମୀରର ଅନେକ ସ୍ଥାନରେ ତିନି ଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ତ୍ରିକୂଟା ପାହାଡ଼ରେ ମଙ୍ଗଳବାର ଭୁସ୍ଖଳନ ଘଟିଛି। ତେବେ ବର୍ଷା ଯୋଗୁ ଏପର୍ଯ୍ୟନ୍ତ ୮ ଜଣକ ମୃତ୍ୟୁ ହୋଇସାରିଛି। ଏଥିରେ ମଙ୍ଗଳବାର ପ୍ରାଣ ହରାଇଥିବା ପାଞ୍ଚ ଶ୍ରଦ୍ଧାଳୁ ଅଛନ୍ତି।
ସେପଟେ ପ୍ରବଳ ବର୍ଷା ଯୋଗୁ ୨୪ରୁ ଅଧିକ ଘର ଏବଂ ପୋଲ କ୍ଷତିଗ୍ରସ୍ତ ହୋଇଛି। ଜମ୍ମୁରେ ପ୍ରାୟ ସବୁ ଜଳାଶୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି। ଫଳରେ ସହର ଏବଂ ଅନ୍ୟ ସ୍ଥାନରେ ଅନେକ ତଳିଆ ଅଞ୍ଚଳ ଏବଂ ରସ୍ତା ଜଳମଗ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ଉମର ଅବ୍ଦୁଲା କହିଛନ୍ତି ଜମ୍ମୁର ଅନେକ ସ୍ଥାନରେ ସ୍ଥିତି ବେଶ୍ ଗମ୍ଭୀର ରହିଛି। ସେ ନିଜେ ସ୍ଥିତି ଉପରେ ନଜର ରଖିଛନ୍ତି।
ଅଧିକାରୀଙ୍କ ସୂଚନା ଅନୁସାରେ ଜମ୍ମୁ- ଶ୍ରୀନଗର ଏବଂ କିସ୍ତଓ୍ବାଡ଼ା- ଡୋଡା ଜାତୀୟ ରାଜପଥ ଉପରେ ଯାତାୟତ ବନ୍ଦ କରାଯାଇଛି। ସେହିଭଳି ୧୦ରୁ ଅଧିକ ପାହାଡ଼ି ରାସ୍ତାରେ ଭୁସ୍ଖଳନ ଏବଂ ଆକସ୍ମିକ ବନ୍ୟା କାରଣରୁ ଅବରୋଧ ହୋଇଥିବା ଜଣାପଡ଼ିଛି।