ମୁମ୍ବାଇ ୧୯।୯: ମହାରାଷ୍ଟ୍ର ସରକାର ବମ୍ବେ ଉଚ୍ଚନ୍ୟାୟାଳଙ୍କୁ ସୂଚିତ କରିଛନ୍ତି ଯେ ୨୬/୧୧ ଆତଙ୍କବାଦୀ ଆକ୍ରମଣ ମାମଲାରୁ ନିର୍ଦ୍ଦୋଷରେ  ମୁକ୍ତ ହୋଇଥିବା ଫହିମ ଅଂସାରୀକୁ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ୍ ମିଳିବ ନାହିଁ, କାରଣ ତା ଉପରେ ଏବେବି ନଜର ରଖାଯାଉଛି। ଅଂସାରୀ ଅଟୋ ରିକ୍ସା ଚଳାଇ ଗୁଜୁରାଣ ମେଣ୍ଟାଇବାକୁ ଲାଇସେନ୍ସ ନିମନ୍ତେ କ୍ଲିୟରାନ୍ସ ମାଗିଥିଲା। ଏ ନେଇ ଅଂସାରୀର ଆବେଦନ ଉପରେ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ଚନ୍ଦ୍ର ଶେଖର ଓ ଜଷ୍ଟିସ୍ ଗୌତମ ଅଖଣ୍ଡଙ୍କ ପୀଠ ସରକାରଙ୍କୁ ପ୍ରଶ୍ନ କରିଥିଲେ।

ଏଥିରେ କୋର୍ଟ ସେ ଆତଙ୍କବାଦ ଅଭିଯୋଗରୁ ମୁକ୍ତ ହୋଇଥିବା ବେଳେ କେଉଁ ଆଇନ ଆଧାରରେ ଅଂସାରୀକୁ ପ୍ରମାଣପତ୍ର ଦେବାକୁ ମନା କରାଗଲା ବୋଲି ପ୍ରଶ୍ନ କରିବାରୁ ଜବାବରେ ସରକାରୀ ଓକିଲ ମନଖୁଭର ଦେଶମୁଖ କହିଛନ୍ତି ଯେ ଅଂସାରୀ  ପ୍ରମାଣପତ୍ର  ପାଇବା ପାଇଁ ଅଗଷ୍ଟ ୨୦୧୪ ଗାଇଡଲାଇନ ଅନୁସାରେ ପାତ୍ର ନୁହେଁ। ତା ବିରୋଧରେ ଏକ ଗୋପନୀୟ ରିପୋର୍ଟ ବି ରହିଛି ସେହି ଅନୁସାରେ ଅଂସାରୀ ଉପରେ ଏବେ ବି ନଜର ରଖାଯାଉଛି।

ମେ ୨୦୧୦ରେ ଏକ ସ୍ୱତନ୍ତ୍ର କୋର୍ଟ ୨୬/୧୧ ମାମଲାରେ ଏକମାତ୍ର ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବକୁ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ପ୍ରମାଣ ଅଭାବରୁ ଫହିମ ଅଂସାରୀ ଓ ସବାଉଦ୍ଦିନ ଅହମ୍ମଦ (ଉଭୟ ଭାରତୀୟ)ଙ୍କୁ ମୁକ୍ତ କରି ଦିଆଯାଇଥିଲା। ଉଭୟଙ୍କ ଉପରେ ୨୬ ନଭେମ୍ବର ୨୦୦୮ରେ ହୋଇଥିବା ଆକ୍ରମଣରେ ଷଡ଼ଯନ୍ତ୍ର କରିବା ଓ ଲସ୍କର-ଏ-ତୌୟବାକୁ ସହାୟତା କରିଥିବାର ଅଭିଯୋଗ ଥିଲା।

ପ୍ରସିକ୍ୟୁସନ ପକ୍ଷଙ୍କ ଅନୁସାରେ ଅଂସାରୀ ଓ ଅହମଦ ମୁମ୍ବାଇ ସହରର ନକ୍ସା ତିଆରି କରିଥିଲେ ଓ ଏହାକୁ ପାକିସ୍ତାନସ୍ଥିତ ଆକ୍ରମଣ ଷଡ଼ଯନ୍ତ୍ରକାରୀଙ୍କ ନିକଟକୁ ପଠାଇଥିଲେ। ସେମାନଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିବାର ନିଷ୍ପତ୍ତିକୁ ପ୍ରଥମେ ମୁମ୍ବାଇ ଉଚ୍ଚନ୍ୟାୟଳୟ ଓ ପରେ ସର୍ବୋଚ୍ଚ ନ୍ୟାୟାଳୟ କାୟମ ରଖିଥିଲେ।