ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତରେ ଭାରତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରିଛି। ଯାହା ଭାରତର ପ୍ରତିରକ୍ଷା ବିଭାଗକୁ ମଜଭୁତ କରିବ। ଅନ୍ୟପକ୍ଷରେ ଭାରତ ଉପରେ ଶୁଲ୍କ ଭାର ମଧ୍ୟ ଲଦିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
ହ୍ୱାଇଟ୍ ହାଉସ୍ରେ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୈଠକରେ ପ୍ରତିରକ୍ଷା ସମ୍ପର୍କିତ ବ୍ୟବସାୟିକ ସହଯୋଗକୁ ବଢ଼ାଇବା ପାଇଁ ଏକାଧିକ ଚୁକ୍ତି ହୋଇଛି। ଏଥିରେ ଆମେରିକା ଭାରତକୁ ଏଫ୍-୩୫ ଫାଇଟର ଜେଟ୍ ବିକ୍ରି କରିବାକୁ ଡିଲ୍ ହୋଇଛି।
ଏନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି “ରଣନୈତିକ ଏବଂ ବିଶ୍ୱସ୍ତ ଅଂଶୀଦାର ଭାବରେ ଆମେରିକା ଭାରତର ପ୍ରତିରକ୍ଷା ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଆମେ ଆଗାମୀ ସମୟରେ ମିଳିତ ବିକାଶ, ମିଳିତ ଉତ୍ପାଦନ ଏବଂ ଟେକ୍ନୋଲୋଜୀ ଟ୍ରାନ୍ସଫର କ୍ଷେତ୍ରରେ ସକ୍ରିୟତାର ସହ ଆଗକୁ ବଢ଼ୁଛୁ। ନୂଆ ପ୍ରଯୁକ୍ତିବିଦ୍ୟା ଏବଂ ଉପକରଣ ଆମର କ୍ଷମତାକୁ ବୃଦ୍ଧି କରିବ।”
ଏନେଇ ଦୁଇ ଦେଶ ପକ୍ଷରୁ ମିଳିତ ବିବୃତ୍ତି ଜାରି ହୋଇଛି। ଏଥିରେ ସବୁଠାରୁ ବଡ଼ କଥା ହେଲା ଦୁଇ ଦେଶ ଏକ ୧୦ ବର୍ଷିୟା ପ୍ରତିରକ୍ଷା ସହଯୋଗ ପାଇଁ ଚୁକ୍ତି ସ୍ୱାକ୍ଷରିତ କରିବେ ବୋଲି ଘୋଷଣା କରିଛନ୍ତି। ଦୁଇ ଦେଶର ସୁରକ୍ଷା ନେଇ ବଢ଼ୁଥିବା ଆହ୍ୱାନ୍କୁ ପ୍ରତିହତ କରିବା ପାଇଁ ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କକୁ ମଜବୁତ କରିବା ଉଦ୍ଦେଶ୍ୟରେ ଏହି ଚୁକ୍ତି କରାଯିବ ବୋଲି ସୂଚନା ମିଳିଛି।
ଉଭୟ ପକ୍ଷ ଭାରତର ସାମରିକ ବାହିନୀରେ ଆମେରିକୀୟ ପ୍ରତିରକ୍ଷା ପ୍ରଣାଳୀର ବୃଦ୍ଧି ପାଉଥିବା ସମନ୍ୱୟକୁ ସ୍ୱୀକାର କରିଛନ୍ତି, ଯେଉଁଥିରେ C-130J ସୁପର ହର୍କ୍ୟୁଲସ୍, C-17 ଗ୍ଲୋବେମାଷ୍ଟର୍ III, P-8I ପୋଜିଡନ୍, CH-47F ଚିନୁକ୍ , MH-60R ଶିହକ୍, AH-64E ଆପାଚେ ଭଳି ଏୟାରକ୍ରାଫ୍ଟ ରହିଛି। ସେହିପରି ଭାରତର ଗୁଳି ବର୍ଷଣ କ୍ଷମତା(ଫାୟାରପାୱାର) ଏବଂ ନିରୀକ୍ଷଣ କ୍ଷମତା(ସର୍ଭିଲାନ୍ସ କାପାବିଲିଟିସ୍)କୁ ଆହୁରି ସୁଦୃଢ଼ କରିବା ପାଇଁ, ଆମେରିକା ହାର୍ପୁନ୍ ଆଣ୍ଟି-ସିପ୍ ମିସାଇଲ୍, M777 ହାୱିଜର୍ ଏବଂ MQ-9B ଡ୍ରୋନ୍ ବିକ୍ରି ବୃଦ୍ଧି କରିବ।
ମୋଦୀଙ୍କ ଆମେରିକା ଗସ୍ତରେ ଉଭୟ ପକ୍ଷ ନୂଆ ଅସ୍ତ୍ର କିଣିବା ଏବଂ ଦୁହେଁ ମିଶି ଉତ୍ପାଦନ କରିବା ନେଇ ଚୁକ୍ତିନାମା ଘୋଷଣା କରିଛନ୍ତି। ଭାରତ ମହାସାଗରରେ ନିରୀକ୍ଷଣ ବୃଦ୍ଧି କରିବା ପାଇଁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍, ଯୁଦ୍ଧ ଟ୍ୟାଙ୍କ(ଷ୍ଟ୍ରାଇକର ଇନ୍ଫାଣ୍ଟ୍ରି କମ୍ବାଟ୍ ଭେଇକଲ), ଏବଂ ଛଅଟି ଅତିରିକ୍ତ P-8I ସାମୁଦ୍ରିକ ପାଟ୍ରୋଲିଂ ବିମାନ ଆମେରିକା ଭାରତକୁ ବିକ୍ରି କରିବ। ଏନେଇ ଟ୍ରମ୍ପ କହିଛନ୍ତି “ବର୍ଷ ଆରମ୍ଭରୁ, ଆମେ ଭାରତକୁ ବିଲିୟନ ଡଲାର ସାମରିକ ବିକ୍ରୟ ବୃଦ୍ଧି କରିବୁ।”
ଭାରତକୁ ଏକ ପ୍ରମୁଖ ପ୍ରତିରକ୍ଷା ଅଂଶୀଦାର ଏବଂ ରଣନୈତିକ ବାଣିଜ୍ୟ ପ୍ରାଧିକରଣ-1(ଷ୍ଟ୍ରାଟେଜିକ୍ ଟ୍ରେଡ୍ ଅଥୋରାଇଜେସନ) (STA-1) ଧାରକ ବୋଲି ସ୍ୱୀକାର କରି, ଆମେରିକା ଏବଂ ଭାରତ ଆନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ପରିବହନ ନିୟମାବଳୀ (ITAR) ସମେତ ଅସ୍ତ୍ରଶସ୍ତ୍ର ସ୍ଥାନାନ୍ତର ନିୟମାବଳୀ ସମୀକ୍ଷା କରିବାକୁ ସହମତ ହୋଇଛନ୍ତି। ଭାରତରେ ପ୍ରତିରକ୍ଷା ବାଣିଜ୍ୟ, ଟେକ୍ନୋଲୋଜୀ ଟ୍ରାନ୍ସଫର ଏବଂ ଆମେରିକା ଦ୍ୱାରା ପ୍ରଦାନ କରାଯାଇଥିବା ସାମରିକ ଉପକରଣର ରକ୍ଷଣାବେକ୍ଷଣକୁ ସରଳ କରିବା ଏହି ପଦକ୍ଷେପର ଲକ୍ଷ୍ୟ।
ସେହିପରି ଗତବର୍ଷ ହୋଇଥିବା ସବୁଠାରୁ ବଡ଼ ଡିଲ୍ GE-F414 ଜେଟ୍ ଇଞ୍ଜିନ୍ ପାଇଁ ଟେକ୍ନୋଲୋଜୀ ଟ୍ରାନ୍ସଫର ନେଇ କଥା ଆଗକୁ ବଢ଼ିପାରେ ବୋଲି ଆଶା କରାଯାଉଛି। ଗତ ବର୍ଷ ଘୋଷିତ ଏକ ଐତିହାସିକ ଚୁକ୍ତି ଅନୁସାରେ ଆମେରିକା ସହଯୋଗରେ ଓଏଙି ଇଞ୍ଜିନକୁ ଜେନେରାଲ ଇଲେକ୍ଟ୍ରିକ୍ ଏବଂ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଉତ୍ପାଦନ କରିବେ।
କେବେ କରୋନା ତ କେବେ ଯୁଦ୍ଧ ଯୋଗୁ ବିଶ୍ୱ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବା କାରଣରୁ ଭାରତ ଏହାର ହାଲୁକା ଯୁଦ୍ଧ ବିମାନ (LCA) ମାର୍କ 1A ଏବଂ ମାର୍କ 2 ପାଇଁ ଜେଟ୍ ଇଞ୍ଜିନ ହାସଲ କରିବାରେ ବିଳମ୍ବର ସମ୍ମୁଖୀନ ହୋଇଛି। ଏହି ଚୁକ୍ତିକୁ ଚୂଡ଼ାନ୍ତ କରିବା ଦ୍ୱାରା LCA ମାର୍କ 2 କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବ। ଏହାଦ୍ୱାରା ଭାରତ ଏହାର ପୁରୁଣା ମିରାଜ-୨୦୦୦, ଜାଗୁଆର ଏବଂ MiG-୨୯ ଯୁଦ୍ଧ ବିମାନକୁ ବଦଳାଇବା ପାଇଁ ଲକ୍ଷ୍ୟ ରଖିଛି।
ଉଭୟ ରାଷ୍ଟ୍ର ଏକ ପାରସ୍ପରିକ ପ୍ରତିରକ୍ଷା କିଣିବିକା (RDP) ଚୁକ୍ତିନାମା ପାଇଁ ଆଲୋଚନା ଆରମ୍ଭ କରିବେ। ଉଭୟ ଦେଶ ମଧ୍ୟରେ କ୍ରୟ ପ୍ରଣାଳୀକୁ ସମାନ କରିବେ ଏବଂ ପ୍ରତିରକ୍ଷା ସାମଗ୍ରୀ ଏବଂ ସେବାର ଆଦାନପ୍ରଦାନକୁ ସହଜ କରିବାକୁ ଆଲୋଚନ ହେବ ବୋଲି ସୂଚନା ମିଳିଛି।