ନୂଆଦିଲ୍ଲୀ: ନିଜର ଦୁଇ ଦୁଇ ଜଣ ପତ୍ନୀ... ପୁଣି ୧୮ ସନ୍ତାନ... ତଥାପି ରଖିଥିଲେ ଅବୈଧ ସଂପର୍କ... ହେଲେ ଏହି ପରକୀୟା ପ୍ରୀତି ହେଲା କାଳ... ନେଇଗଲା ଜୀବନ... ଅପହରଣର ଅନେକ ଦିନ ପରେ ଉଦ୍ଧାର ହେଲା ଗାଁ ମୁଖିଆଙ୍କ ମୃତଦେହ। ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା। ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଥିବାବେଳେ, ଅଭିଯୁକ୍ତ ପ୍ରେମିକାକୁ ଗିରଫ କରିଛି।

ଘଟଣା ଉତ୍ତର ପ୍ରଦେଶର ସୁମେରପୁରର। ପୋଲିସର ସୂଚନା ଅନୁସାରେ, ଗାଁର ପୂର୍ବତନ ମୁଖ୍ୟ ମୁସ୍ତକା ଗୁଲସନ ଓରଫ ମୁନ୍ନାର ଦୁଇ ପତ୍ନୀ ଅଛନ୍ତି। ହେଲେ ଏହା ସତ୍ତ୍ବେବି ସେ ଅନ୍ୟ ଜଣେ ବିବାହିତ ମହିଳାଙ୍କ ସହ ଅବୈଧ ସମ୍ପର୍କ ରଖିଥିଲେ। ପ୍ରକୃତରେ ଉକ୍ତ ମହିଳାଙ୍କ ସ୍ବାମୀ ବାହାରକୁ କାମ ପାଇଁ ପ୍ରତିଦିନ ବାହାରକୁ ଯାଉଥିଲେ। ଏମିତିରେ ମୁନ୍ନା ସାହାଯ୍ୟ କରିବା ବାହାନାରେ ତାଙ୍କ ଘରକୁ ବାରମ୍ବାର ଯାଉଥିଲେ। ତେବେ ଧୀରେ ଧୀରେ ସେମାନଙ୍କ ସମ୍ପର୍କ ଘନିଷ୍ଠ ହୋଇଥିଲା। ଆଉ ମୁନ୍ନା ମହିଳାଙ୍କୁ ତାଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା।

ଏମିତି ହୋଇଥିଲା ହତ୍ୟା ଷଡ଼ଯନ୍ତ୍ର ?

ତେବେ କୌଣସି କାରଣରୁ ମୁନ୍ନା ଏବଂ ମହିଳାଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ହେଲେ ମୁନ୍ନା ମହିଳାଙ୍କୁ ଦେଖା କରିବାକୁ ଚାପ ପକାଇବା ସହ ବ୍ଲାକମେଲିଂ କରିବା ଆରମ୍ଭ କରିଦେଇଥିଲା। ଏଥିରେ ବିରକ୍ତ ହୋଇ ମହିଳା ଜଣକ ନିଜ ଭାଇଙ୍କୁ ସବୁ କଥା କହିଥିଲେ। ଏହା ପରେ ନିଜ ଭାଇ ସହ ମିଶି ମୁନ୍ନାର ପ୍ରେମିକା କରିଥିଲା ହତ୍ୟା ଷଡ଼ଯନ୍ତ୍ର।

Also Read: ଡକ୍ଟର ପ୍ରିନ୍ସିଙ୍କ ଘାତକ ଜିଦ୍: ବିଲେଇ ପାଳିବାକୁ ମନା କରିବାରୁ ଜୀବନ ହାରିଦେଲେ

ଆଉ ଯୋଜନା ମୁତାବକ ମହିଳା ଜଣକ ମୁନ୍ନାଙ୍କୁ ତାଙ୍କ ବାପଘରକୁ ଡାକିଥିଲେ। ମୁନ୍ନା ସେଠାରେ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ମହିଳାଙ୍କ ଭାଇ ଏବଂ ତାଙ୍କ ସହଯୋଗୀ ମୁନ୍ନାର ମୁଣ୍ଡକୁ ଏକ ଲୁହା ରଡରେ ଆକ୍ରମଣ କରିଥିଲେ। ଏଥିରେ ତା’ର ଜୀବନ ଚାଲିଯାଇଥିଲା। ଏହା ପରେ ସେମାନେ ମୁନ୍ନାର ମୃତଦେହକୁ ଅଖାରେ ପୂରାଇ ଏକ କେନାଲରେ ଫିଙ୍ଗିଦେଇଥିଲେ।

କଲ୍ ରେକର୍ଡରୁ ଧରାପଡ଼ିଲା ଅଭିଯୁକ୍ତ

ସେପଟେ ମୁନ୍ନାଙ୍କ ପରିବାର ଲୋକ ଥାନାରେ ନିଖୋଜ ମାମଲା ରୁଜୁ କରାଇଥିଲେ। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତକ୍ରମେ ପୋଲିସ ମୁନ୍ନାର ମୋଟରସାଇକେଲ ଏକ ନିର୍ଜନ ସ୍ଥାନରୁ ଜବତ କରିଥିଲା। ଏହାପରେ ପୋଲିସ ମୁନ୍ନାର କଲ ରେକର୍ଡକୁ ମଧ୍ୟ ଯାଞ୍ଚ କରିଥିଲା। ଯେଉଁଥିରୁ ମହିଳାଙ୍କ ପାଖରେ ପହଞ୍ଚିଥିଲା ପୋଲିସ। ଶେଷରେ ମହିଳା ସବୁ ସତ କହିଥିଲେ। ପୋଲିସ ମାର୍ଚ୍ଚ ୨୨ ତାରିଖରେ ମୁନ୍ନାର ମୃତଦେହ କେନାଲରୁ ଉଦ୍ଧାର କରିଥିଲା।

ତେବେ ପୋଲିସ ମହିଳା ଏବଂ ତାଙ୍କ ଭାଇଙ୍କ ସମେତ ପୋଲିସ ୨ ଜଣକୁ ଗିରଫ କରିଥିବା ବେଳେ, ହତ୍ୟାରେ ସହଯୋଗ କରିଥିବା ଯୁବକଙ୍କୁ ଖୋଜୁଛି ପୋଲିସ। ରିପୋର୍ଟ ଅନୁସାରେ, ମୁନ୍ନା ଗାଁ ନିର୍ବାଚନରେ ଲଢ଼ିବାକୁ ଯୋଜନା କରୁଥିଲେ। ତାଙ୍କ ପଛରେ ତାଙ୍କର ଦୁଇ ପତ୍ନୀ ଏବଂ ୧୮ ସନ୍ତାନ ଅଛନ୍ତି। ପ୍ରତି ପତ୍ନୀଙ୍କ ଠାରୁ ତାଙ୍କର ୬ ପୁଅ ଏବଂ ୩ ଝିଅ ଅଛନ୍ତି ।