ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ, ବିଜେଡିରୁ ଦୁଇ ବିଧାୟକ ସସପେଣ୍ଡ

NEWS7
ex-congress-mp-sajjan-kumar-convicted

ଭୁବନେଶ୍ଵର: ରାଜ୍ୟ ରାଜନୀତିରେ ଅପ୍ରତ୍ୟାଶିତ ଘଟଣା। ବିଜେଡି ପାର୍ଟିରୁ ଆସିଛି ବଡ଼ ଖବର। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ଗୁରୁବାର ଦଳରୁ ଦୁଇ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛି। ଦଳ ସଭାପତି ନବୀନ ପଟ୍ଟନାୟକ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର ସସପେଣ୍ଡ କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ବିଧାୟକଙ୍କୁ ସସପେଣ୍ଡ କରାଯାଇଛି। ଏ ନେଇ ବିଜେଡି ପକ୍ଷରୁ ପ୍ରେସ୍ ବିବୃତି ଜାରି କରାଯାଇଛି।​​​​​​​

ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏମିତି କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛନ୍ତି। ଉଲ୍ଲେଖନୀୟ  ସନାତନ ମହାକୁଡ଼ଙ୍କୁ ନିକଟରେ ଗୋଟିଏ ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଦେଖିବାକୁ ମିଳିଥିଲା। ମୋହନ ମାଝୀଙ୍କ ଜାନୁଆରୀ ୧୩ରେ କେନ୍ଦୁଝର ଗସ୍ତ ସମୟରେ ଏକ ସରକାରୀ କାର୍ଯ୍ୟକ୍ରମରେ ସନାତନ ମହାକୁଡ଼ଙ୍କୁ ଦେଖିବାକୁ ମିଳିଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚମ୍ପୁଆ ବିଧାୟକଙ୍କ ଢେର ପ୍ରଶଂସା କରିଥିଲେ। ବୋଧହୁଏ ସନାଙ୍କ ଏମିତି ଗତିବିଧିକୁ ନେଇ ବିଜେଡି ସୁପ୍ରିମୋ ଅସନ୍ତୋଷ ଥିଲେ। ଏହି କାରଣ ପାଇଁ ତାଙ୍କୁ ଦଳରୁ ସସପେଣ୍ଡ କରାଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା।

ଅନ୍ୟପଟେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ହେଉଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେଡିରେ ଯୋଗ ଦେଇଥିଲେ। ବାପା ବିଜୟ ବିଜେପିର ନେତା ହୋଇଥିଲେ ହେଁ ଅରବିନ୍ଦ ଖୋଦ୍ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଜେଡିରେ ସାମିଲ ହୋଇଥିଲେ। ଆଉ ବିଜେଡି ଟିକେଟରେ ପାଟକୁରାରୁ ବିଜୟୀ ହୋଇଥିଲେ। ତଥାପି ତାଙ୍କୁ ଦଳ କାହିଁକି ସସପେଣ୍ଡ କଲା ତାହା ସଭିଙ୍କୁ ବିସ୍ମିତ କରିଛି। କାରଣ ଅରବିନ୍ଦ କେବେ ବି ପାର୍ଟି ବିରୋଧରେ ମନ୍ତବ୍ୟ ଦେଇ ନାହାନ୍ତି। କିନ୍ତୁ ଏଠି କହି ରଖୁଛୁ ତାଙ୍କ ବାପା ବିଜୟ ମହାପାତ୍ର କେବେ ବି କ୍ଷମତାରେ ନ ଥିଲେ ବି ତାଙ୍କ ପାଖକୁ ଅନେକ ନେତାଙ୍କ ସୂଅ ଛୁଟିଥାଏ। ସାଂପ୍ରତିକ ରାଜନୀତିକୁ ନେଇ ବିଜୟଙ୍କ ସହ ଆଲୋଚନା ବି ହୁଏ। ବୋଧହୁଏ ବିଜୟଙ୍କ ଏହି ଗତିବିଧି ପାଇଁ ଅରବିନ୍ଦଙ୍କ ବିରୋଧରେ ଦଳ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି।