News7 Logo

ବିହାର ଭୋଟ ପାଇଁ EC ଙ୍କ ନୂଆ ଗାଇଡଲାଇନ, EVM ବାଲଟ ପେପରରେ ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ

NEWS7
EVM

ପାଟନା ୧୭।୯: ବିହାରରେ ଆଗାମୀ କିଛି ସପ୍ତାହ ପରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ହେବ। ତେବେ ଏଥି ପାଇଁ ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରି ନାହାନ୍ତି। ତେବେ ଭୋଟ ତାରିଖ ଘୋଷଣା ପୂର୍ବରୁ ନୂଆ ଗାଇଡଲାଇନ ଜାରି ହୋଇଛି। ନିର୍ବାଚନ ଆୟୋଗ ବିହାରରୁ ଏକ ନୂଆ ପ୍ରୟୋଗ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ପ୍ରୟୋଗ ଅନୁସାରେ ଇଭିଏମ ବାଲଟ ପେପରରେ ଏବେ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ଲାଗିବ। ଏାହ ପୂର୍ବରୁ ଏହି ଫଟୋ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଲାଗୁଥିଲା।

ଏହି ପ୍ରୟୋଗ ପ୍ରଥମେ ବିହାରରୁ ଆରମ୍ଭ ହେବ। ପରେ ଅନ୍ୟ ରାଜ୍ୟରେ ମଧ୍ୟ କାର୍ଯ୍ୟକାରୀ ହେବ। ନୂଆ ପରିବର୍ତ୍ତନ ଅନୁସାରେ ପ୍ରାର୍ଥୀଙ୍କ ମୁହଁ ବାଲଟ ପେପରର ତିନି ଚତୁର୍ଥାଂଶରେ ଲାଗିବ। ଏହା ଦ୍ୱାରା ମତଦାନ ଚିହ୍ନଟ ଲାଗି ସହଜ ହେବ। ଏହା ଛଡା କ୍ରମ ସଂଖ୍ୟାକୁ ମଧ୍ୟ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦିଆଯିବ। ଏହି ପଦକ୍ଷେପ ନିର୍ବାଚନର ପାରଦର୍ଶିତା ବଢାଇବା ସହିତ ଭୋଟରଙ୍କ ସୁବିଧାକୁ ଧ୍ୟାନରେ ରଖି ନିଆଯାଇଛି। ଏହି ପରିବର୍ତ୍ତନ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ଗଣତାନ୍ତ୍ରିକ, ନିରପେକ୍ଷ ଓ ଶରଳ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।

ବିହାରରୁ ଆରମ୍ଭ ହେଉଥିବା ନିର୍ବାଚନ ସଂସ୍କାର ଖୁବ୍ ଶୀଘ୍ର ସାରା ଦେଶରେ ଲାଗୁ କରିବାକୁ ଯୋଜନା ରହିଛି। ଏହା ଦ୍ୱାରା ସାରା ଦେଶରେ ନିର୍ବାଚନର ମାନ ଓ ବିଶ୍ୱସନୀୟତାରେ ସୁଧାର ଆସିବ। ନିର୍ବାଚନ ଆୟୋଗଙ୍କ ଏହି ପଦକ୍ଷେପ ଗଣତନ୍ତ୍ରର ଚେରକୁ ମଜଭୁତ କରିବା ସହିତ ମତଦାନକୁ ଅଧିକ ସୁରକ୍ଷିତ ଓ ଅଧିକ ପ୍ରଭାବୀ କରିବାରେ ସହାୟକ ହେବ। ଇଭିଏମ ମେସିନକୁ ନିର୍ବାଚନରେ ଭୋଟ ଗ୍ରହଣ ପାଇଁ ବ୍ୟବହାର କରାଯାଏ।

ଭୋଟର ଏଥିରେ ଏକ ବଟନ ଚିପି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥାନ୍ତି। ଏହି ଭୋଟ ସିଧା ମେସିନରେ ରେକର୍ଡ ହୋଇଥାଏ। ୨୦୦୪ ମସିହା ନିର୍ବାଚନରେ ଦେଶରେ ପ୍ରଥମ ଥର ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ)ର ବ୍ୟବହାର ହୋଇଥିଲା। ସେବେଠାରୁ ଏ ପର୍ଯ୍ୟନ୍ତ ସବୁ ସାଧାରଣ ନିର୍ବାଚନରେ ଭୋଟ ଗ୍ରହଣ ପାଇଁ ଇଭିଏମ ବ୍ୟବହୃତ ହୋଇ ଆସୁଛି।