ପେଟ୍ରୋଲ, ଡିଜେଲ, ଔଷଧ ଏବଂ ଇଲେକ୍ଟ୍ରିକ ସାମଗ୍ରୀ ସବୁ ହୋଇଯିବ ମହଙ୍ଗା, ଜାଣନ୍ତୁ କାହିଁକି?

Published By : Prameya-News7 Bureau | February 03, 2025 IST

ନୂଆଦିଲ୍ଲୀ ୩।୨: ଡଲାର ତୁଳନାରେ ଭାରତୀୟ ମୁଦ୍ରା ସୋମବାର ଚିତପଟାଙ୍ଗ ମାରିଛି। ପ୍ରଥମ ଥର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୮୭କୁ ପାର କରିଛି। ସକାଳେ କରେନ୍ସି ବଜାର ଖୋଲିବାମାତ୍ରେ ଟଙ୍କା ୪୨ ପଇସାର ହ୍ରାସ ସହିତ ୮୭.୦୬ ସ୍ତରରେ ଖୋଲିଥିଲା। ତେବେ କାରବାର ଆରମ୍ଭ ହେବାର ମାତ୍ର ୧୦ ମିନିଟରେ ଟଙ୍କା ୫୫ ପଇସା ତଳକୁ ଖସିଯାଇଥିଲା। ଫଳରେ ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ଟଙ୍କାରେ ୮୭.୧୨ଟଙ୍କାକୁ ପଳେଇଛି। 

ଏବେ ପ୍ରଶ୍ନ ଉଠୁଛି ଟଙ୍କାର ମୂଲ୍ୟ ହ୍ରାସ ଭାରତୀୟଙ୍କ ପକେଟ୍ ଉପରେ କିପରି ପ୍ରଭାବ ପକାଇବ। ସେମାନଙ୍କ ଲାଗି କଣ ସବୁ ମହଙ୍ଗା ହେବ? ଚାଲନ୍ତୁ ବିସ୍ତୃତ ଆଲୋଚନା କରିବା। ଟଙ୍କା ଦୁର୍ବଳ ହେବାର ପ୍ରଭାବ ଅନେକ କ୍ଷେତ୍ରରେ ସ୍ପଷ୍ଟ ଦେଖାଯାଇ ପାରିବ। ଟଙ୍କା କମଜୋର ହେବା ଯୋଗୁ ଆମଦାନୀ ହେଉଥିବା ସାମଗ୍ରୀ ଅର୍ଥାତ ବିଦେଶରୁ ଆସୁଥିବା ଜିନିଷ ଅଧିକ ମହଙ୍ଗା ହୋଇଯିବ। ଏଥିରେ ଖାଦ୍ୟ ତୈଳ, ଡାଲି ଓ ଅନ୍ୟ ଜରୁରି ଅତ୍ୟାବଶକୀୟ ସାମଗ୍ରୀ ମହଙ୍ଗା ହେବ। ଆମଦାନୀ ମହଙ୍ଗା ହେବା ସହିତ ଏପରି ସବୁ ସାମଗ୍ରୀର ମୂଲ୍ୟ ମଧ୍ୟ ବଢିବ ଯେଉଁଗୁଡିକ ଘରୋଇ ବଜାରରେ ମୂଲ୍ୟ ବୃଦ୍ଧିର ସାମ୍ନା କରୁଛି। 

ତୈଳ ଓ ଇଲେକ୍ଟ୍ରୋନିକ ସାମଗ୍ରୀ ହେବ ମହଙ୍ଗା
ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଅଶୋଧିତ ତୈଳ ମଧ୍ୟ ମହଙ୍ଗା ହୋଇଯିବ। ଭାରତ ଅଶୋଧିତ ତୈଳର ଏକ ବଡ଼ ଆମଦାନୀକାରୀ ଦେଶ। ଟଙ୍କା ଦୁର୍ବଳ ହେବା ଯୋଗୁ ଅଶୋଧିତ ତୈଳ ଆମଦାନୀ ମହଙ୍ଗା ହୋଇଯିବ। ଫଳରେ ଦେଶେର ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ମହଙ୍ଗା ହୋଇଯିବ। ଫଳରେ ପରିବହନ ବ୍ୟୟ ବଢିବା ସହିତ ସବୁ ସାମଗ୍ରୀର ଦର ବଢିଯିବ। 

ଇଲେକ୍ଟ୍ରୋନିକ୍ସ ଓ କ୍ୟାପିଟାଲ ଗୁଡସ୍ ମଧ୍ୟ ମହଙ୍ଗା ହେବ
ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ମେସିନାରୀର ଅଧିକାଂଶ ଉପକରଣ ବିଦେଶରୁ ଆମଦାନୀ କରାଯାଇଥାଏ। ଟଙ୍କା ଦୁର୍ବଳ ହେବା ଯୋଗୁ ଏ ସବୁ ସାମଗ୍ରୀର ମୂଲ୍ୟ ମଧ୍ୟ ବଢିବ। ଏଣୁ ଉପଭୋକ୍ତାଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିବ। 

ଔଷଧ ମଧ୍ୟ ହୋଇଯିବ ମହଙ୍ଗା
ଭାରତ ଅଧିକାଂଶ ଔଷଧ ବିଦେଶରୁ ମଗାଇଥାଏ, ଅର୍ଥାତ ଆମଦାନୀ ହୁଏ । ଏଥିରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଐତିହାସିକ ସ୍ତରକୁ ଖସିବା ଏହାର ପ୍ରଭା ମଧ୍ୟ ସେହି ସବୁ ସାମଗ୍ରୀ ଉପରେ ପଡିବ ଯାହା ବିଦେଶରୁ ଆମଦାନୀ ହେଉଛି। ଡଲାରର ମୂଲ୍ୟ ବୃଦ୍ଧି ଯୋଗୁ ଭାରତରେ ଔଷଧ ମଧ୍ୟ ମହଙ୍ଗା ହୋଇଯିବ। 

କାହିଁକି ହ୍ରାସ ହେଲା ଟଙ୍କାର ମୂଲ୍ୟ?
ଭାରତୀୟ ମୁଦ୍ରାର ଏପରି ମୂଲ୍ୟ ହ୍ରାସ ପଛରେ ଅନେକ କାରଣ ରହିଛି। ସବୁଠୁ ବଡ଼ କାରଣଟି ହେଉଛି ଆମେରିକା ପକ୍ଷରୁ ଲଗାଯାଉଥିବା ଟାରିଫ। ଫଳରେ ଡଲାରର ଆକର୍ଷଣ ବଢିଯାଇଥିବା ବେଳେ ଏହି କାରଣରୁ ଡଲାର ତୁଳନାରେ ଅନ୍ୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇଛି। ଅନ୍ୟପଟେ ଆମେରିକାରେ ରୋଜଗାର ସୃଜନ ପରେ ଡଲାରର ଚାହିଦା ବଢିଯାଇଛି। ଫଳରେ ଭାରତୀୟ ମୁଦ୍ରା ଉପରେ ଚାପ ବୃଦ୍ଧି ପାଇଛି। ଅନ୍ୟପଟେ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହୋଇଛି। ଫଳରେ ଭାରତର ଆମଦାନୀ ବିଲ୍ ବଢିଛି। ଶେୟାର ବଜାରରୁ ବିଦେଶୀ ସଂସ୍ଥାଗତ ନିବେଶକ (ଏଫଆଇଆଇ)ଙ୍କ ପଳାୟନ ମଧ୍ୟ ଟଙ୍କା ମୂଲ୍ୟ ହ୍ରାସର ଆଉ ଏକ କାରଣ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.