ନୂଆଦିଲ୍ଲୀ ୨୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫର ପ୍ରଭାବ ଏବେ ପଡିବା ଆରମ୍ଭ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାକୁ ଆସୁଥିବା କମ ମୂଲ୍ୟର ପ୍ୟାକେଜ ଉପରେ ଟାରିଫ ଶୁଳ୍କରେ ରିହାତି ସମାପ୍ତ ହେବା କାରଣରୁ କେତେକ ଅନ୍ତର୍ଜାତୀୟ ଡାକ ସେବା ଏହି ନିୟମରେ ଅଧିକ ସ୍ପଷ୍ଟତା ଅପେକ୍ଷାରେ ଏବେ ସିପିଙ୍ଗ ରୋକି ଦେଇଛନ୍ତି। ‘ଡେ ମିନିମିସ୍’ ରିହାତି ଭାବେ ଜଣାଶୁଣା ଏହି ରିହାତିରେ ୮୦୦ ଡଲାରରୁ କମ ମୂଲ୍ୟର ପ୍ୟାକେଜ ଆମେରିକାରେ ଶୁଳ୍କ ମୁକ୍ତ ଥିଲା।
ଆମେରିକୀୟ ସୀମା ଶୁଳ୍କ ଓ ସୀମା ପାଟ୍ରୋଲ ଏଜେନ୍ସୀଙ୍କ ତଥ୍ୟ ଅନୁସାରେ ୨୦୨୪ରେ ଏହି ରିହାତିରେ ମୋଟ ୧.୩୬ ବିଲିୟନ ପ୍ୟାକେଜ ପଠାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୬୪.୬ ବିଲିୟନ ଡଲାର ଥିଲା। ୟୁରୋପର ବିଭିନ୍ନ ଡାକ ସେବା ଶନିବାର ଏକ ଘୋଷଣାରେ ନୂଆ ଆମଦାନୀ ଶୁଳ୍କକୁ ନେଇ ଭ୍ରମ ପରିସ୍ଥିତିରେ ଯୁକ୍ତରାଷ୍ଟ୍ର ଆମେରିକାକୁ ପ୍ୟାକେଜ୍ ସିପମେଣ୍ଟ ନିଲମ୍ବିତ କରାଯାଉଥିବା ସୂଚିତ କରିଛନ୍ତି। ଜର୍ମାନ, ଡେନମାର୍କ, ସ୍ୱିଡେନ ଓ ଇଟାଲୀର ଡାକସେବା ମଧ୍ୟ ତତ୍କାଳ ପ୍ରଭାବରେ ଆମେରିକାକୁ ଅଧିକାଂଶ ମାଲ ପଠାଇବା ଅଟକାଇ ଦେଇଛନ୍ତି।
ଫ୍ରାନ୍ସ ଓ ଅଷ୍ଟ୍ରିଆ ମଧ୍ୟ ସୋମବାର ଠାରୁ ଏହି ପଦକ୍ଷେପ ଗ୍ରହଣ କରିବେ। ସେହିପରି ବ୍ରିଟେନର ରୟାଲ ମେଲ ମଧ୍ୟ ମଙ୍ଗଳବାରଠାରୁ ଆମେରିକାକୁ ପଠାଯାଉଥିବା ସିପମେଣ୍ଟ ରୋକି ଦେବ ବୋଲି କହିଛି। ରୟାଲ ମେଲ୍ କହିଛି ଯେ ୟୁନାଇଟେଡ କିଙ୍ଗଡମରୁ ଆସୁଥିବା ୧୦୦ ଆମେରିକୀୟ ଡଲାର ବା ଅଧିକ ମୂଲ୍ୟର ସାମଗ୍ରୀ, ଯେଉଁଥିରେ ମିତ୍ର ଓ ପରିବାରଙ୍କୁ ଦିଆଯାଉଥିବା ଉପହାର ସାମିଲ ରହିଛି ତା ଉପରେ ଅତିରିକ୍ତ ୧୦% ଶୁଳ୍କ ଲାଗିବ।
ତେବେ ୟୁରୋପର ସବୁଠୁ ବଡ଼ ସିପିଙ୍ଗ ସେବା ପ୍ରଦାନକାରୀ କମ୍ପାନୀ ଡିଏଚଏଲ ଏକ ବୟାନରେ କହିଛି ଯେ କେତେକ ପ୍ରମୁଖ ପ୍ରଶ୍ନ ଏବେବି ଅସମାହିତ ରହିଛି। ଖାସ କରି ଭବିଷ୍ୟତରେ ସୀମା ଶୁଳ୍କ କିପରି ଓ କାହା ଦ୍ୱାରା ଅସୁଲ କରାଯିବ, କେଉଁ ଅତିରିକ୍ତ ଡାଟାର ଆବଶ୍ୟକତା ପଡିବ ଓ ଆମେରିକା ସୀମା ଶୁଳ୍କ ଓ ସୀମା ସୁରକ୍ଷାକୁ ଡାଟା କିପରି ପଠାଯିବ? ଆଦି। କମ୍ପାନୀ କହିଛି ଯେ ସେ ଏବେ ଆମେରିକା ଯାଉଥିବା ବ୍ୟବସାୟୀକ ଗ୍ରାହକଙ୍କଠୁ ସାମଗ୍ରୀ ଥିବା ପାର୍ସଲ ଓ ଡାକ ସାମଗ୍ରୀ ସ୍ୱୀକାର ଏବଂ ପ୍ରେରଣ କରିପାରିବ ନାହିଁ।
ତେବେ ପୋଷ୍ଟେ ଇଟାଲିୟନ କହିଛି ଯେ ଯେଉଁ ଡାକ ସିପମେଣ୍ଟରେ ସାମାନ ନଥିବ କେବଳ ସେଗୁଡିକୁ ସ୍ୱୀକାର କରାଯିବ। ବାକି ଡାକ ସେବା ଲୋକେ ଡିଏଚଏଲ ଏକ୍ସପ୍ରେସ୍ ଭଳି ସେବା ଦ୍ୱାରା ସିପିଂ କରିବେ। ସେହିପରି ନେଦରଲ୍ୟାଣ୍ଡରେ ପୋଷ୍ଟଏନଏଲ ମୁଖପାତ୍ର ଭାଉଟ୍ ଭିଟ୍ଟେଭେନ କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ନୂଆ ଶୁଳ୍କ ଲାଗୁ ଉପରେ ଜୋର ଦେଉଛି, ହେଲେ ଆମେରିକୀୟ ଅଧିକାରୀଙ୍କ ନିକଟରେ ଶୁଳ୍କ ଅସୁଲ ନିମନ୍ତେ କୌଣସି ବ୍ୟବସ୍ଥା ନାହିଁ। ସେ କହିଛନ୍ତି ଯେ ଏଥି ପାଇଁ ଆମେ ଆମେରିକୀୟ ସମକକ୍ଷଙ୍କ ସହିତ ମିଶି କାମ କରୁଛୁ। ଏଣୁ ପୁରା ୟୁରୋପରୁ ଏବେ ଆମେରିକାକୁ ଡାକ ଯୋଗାଯୋଗ ଠପ ହୋଇଯାଇଛି।