ଆମେରିକା ଠାରୁ ପଞ୍ଚମ ପିଢୀର F-35 ବିମାନ କିଣିବାକୁ ପଛକୁ ହଟିଲା ୟୁରୋପ, ଆଗରୁ ବାଟ କାଟିଛି ଭାରତ

Published By : Prameya-News7 Bureau | August 24, 2025 IST

ନୂଆଦିଲ୍ଲୀ ୨୪।୮: ଭାରତ ପରେ ଆମେରିକାକୁ ଏବେ ୟୁରୋପରୁ ବଡ଼ ଝଟକା ଲାଗିଛି। ସ୍ପେନ୍ ଓ ସ୍ୱିଜରଲ୍ୟାଣ୍ଡ ପଞ୍ଚମ ପିଢୀର ଆମେରିକୀୟ ଏଫ-୩୫ ଯୁଦ୍ଧ ବିମାନ କିଣିବାକୁ ମନା କରିଦେଇଛନ୍ତି। ଫଳରେ ଟ୍ରମ୍ପ ପ୍ରଶାସନକୁ ଝଟକା ଲାଗିଛି। ଏଫ-୩୫ ଯୁଦ୍ଧ ବିମାନ ବଦଳେ ଦୁଇ ଦେଶ ୟୁରୋପୀୟ ବିକଳ୍ପ ଉପରେ ଭରସା କରି ନିଜର ପ୍ରତିରକ୍ଷା ରଣନୀତିକୁ ନୂଆ ଦିଗ ଦର୍ଶନ କରିଛନ୍ତି। ଏଥିରୁ ଆମେରିକୀୟ ଯୁଦ୍ଧ ବିମାନ ପାଇଁ ୟୁରୋପୀୟ ଦେଶଙ୍କ ନୀତି ସ୍ପଷ୍ଟ ହୋଇଯାଇଛି। 

ତେବେ ସ୍ପେନ ଓ ସ୍ୱିଜରଲ୍ୟାଣ୍ଡ ଯୁଦ୍ଧ ବିମାନର ମୂଲ୍ୟକୁ ନେଇ ନୁହେଁ ବରଂ ଆମେରିକାର ‘ସଷ୍ଟେନମେଣ୍ଟ ମନୋପଲି’କୁ ନେଇ ଚିନ୍ତା ଯୋଗୁ ଏପରି ପଦକ୍ଷେପ ନେଇଥିବା ଜଣାପଡିଛି। ଏଥିରେ ସବୁ ଅପଗ୍ରେଡ, ସଫ୍ଟୱେର ଓ ଅପରେସନାଲ ଡାଟା ଉପରେ ଆମେରିକାର ନିୟନ୍ତ୍ରଣ ରହିବ। ଏହି ସ୍ଥିତି ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ରଣନୈତିକ ଜଟିଳତା ସୃଷ୍ଟି କରିପାରେ। ଏଣୁ ସ୍ପେନ ଅଚାନକ ତାର ଏଫ-୩୫ କ୍ରୟ ଯୋଜନାକୁ ବାତିଲ କରିଦେଇଥିବା ବେଳେ ସ୍ୱିଜରଲ୍ୟାଣ୍ଡରେ ମଧ୍ୟ ଏହି ଡିଲ ରଦ୍ଦ କରିବା ପାଇଁ ଦାବି ବଢିବାରେ ଲାଗିଛି। 

ମାଦ୍ରିଦ ନିଜ ନୌସେନାର ଜୁଆନ କାର୍ଲୋସ-୧ ଏୟାରକ୍ରାଫ୍ଟ କ୍ୟାରିୟ ପାଇଁ  ଏଫ-୩୫ବି କିଣିବାକୁ ଯୋଜନା କରିଥିଲା। ହେଲେ ଏବେ ଏହାକୁ ରଦ୍ଦ କରିଦେଇଛି। ଏହା ବଦଳେ ସ୍ପେନ୍ ୨୫ଟି ୟୁରୋଫାଇଟର ଟାଇଫୁନ କିଣିବା ପାଇଁ ଫ୍ୟୁଚର କମ୍ବାଟ ଏୟାର ସିଷ୍ଟମସ ସହିତ ଆଲୋଚନା ଆରମ୍ଭ କରିଛି। ଏହି ନିଷ୍ପତ୍ତି ସ୍ପେନ ନୌସେନା କ୍ଷମତାକୁ ବର୍ତ୍ତମାନ ଲାଗି ଦୁର୍ବଳ କରିବ। କାରଣ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ସ୍ପେନ ନିକଟରେ ଅସଲି ପଞ୍ଚମ ପିଢୀର ବିମାନ ଉପଲବ୍ଧ ହେବ ନାହିଁ। 

ହେଲେ ଏହାର ଫାଇଦା ଦେଶର ଘରୋଇ ଉଦ୍ୟୋଗଙ୍କୁ ମିଳିବ। ୟୁରୋପୀୟ ପ୍ରୋଗ୍ରାମସରେ ସ୍ପେନ ବିପୁଳ ନିବେଶ କରି ନିଜର ସପ୍ଲାଇ ଚେନ୍, ରୋଜଗାର ଓ ବୈଷୟିକ କ୍ଷମତାକୁ ମଜଭୁତ କରିବ ଓ ଏହା ସବୁ ୟୁରପୀୟ ମାଲିକାନାରେ ରହିବ। ସେହିପରି ସ୍ୱିଜରଲ୍ୟାଣ୍ଡ ୨୦୨୨ ମସିହାରେ ଜନମତ ସଂଗ୍ରହ କରି ୩୬ଟି ଏଫ-୩୫ଏ ବିମାନ କିଣିବାକୁ ମଞ୍ଜୁରୀ ଦେଇଥିଲା। ଏହାର ମୂଲ୍ୟ ପ୍ରାୟ ୬ ବିଲିୟନ ସ୍ୱିସ୍ ଫ୍ରାଙ୍କ ଥିଲା। ହେଲେ ୨୦୨୩ ଶେଷ ବେଳକୁ ପରିସ୍ଥିତି ବଦଳି ଯାଇଥିଲା। 

ଆମେରିକା ସ୍ୱିସ୍ ଅଧିକାରୀଙ୍କୁ ଗୁପ୍ତ ବ୍ରିଫିଙ୍ଗରେ ଏହି କଣ୍ଟ୍ରାକ୍ଟ ସମ୍ପୂର୍ଣ୍ଣ ଫିକ୍ସ ନଥିବା ଓ ମୂଲ୍ୟବୃଦ୍ଧି ଏବଂ ସାମଗ୍ରୀ ବାବଦ ବ୍ୟୟ ବଢିବାରୁ ମୂଲ୍ୟ ବଢିବ ବୋଲି କହିଥିଲେ। ଏହା ପରେ ଆମେରିକା ସ୍ୱିସ୍ ରପ୍ତାନୀ ଉପରେ ନୂଆ ଟାରିଫ ଲଗାଇ ଦେଇଛି। ଏଣୁ ଡିଲ ଉପରେ ଏବେ ବିଶ୍ୱାସ ହ୍ରାସ ହୋଇଥିବା ବେଳେ ଏବେ ସ୍ୱିସ୍ ନେତାମାନେ ଏହି କାରବାରକୁ କମ କରିବାକୁ ଅଥବା ରଦ୍ଦ କରିବାକୁ ଦାବି କରୁଛନ୍ତି। 

ଏପଟେ ଭାରତ ଏବେ ସ୍ୱଦେଶୀ ଯୁଦ୍ଧ ବିମାନ ଲାଗି ଇଞ୍ଜିନ ନିର୍ମାଣରେ ଆତ୍ମନିର୍ଭର ହେବା ପାଇଁ ଦେଶରେ ବଡ଼ ପଦକ୍ଷେପ ନେଉଛି। ଫରାସୀ କମ୍ପାନୀ ସଫ୍ରାନ ସହ ମିଶି  ଭାରତ ୧୨୦ କେଏନ୍ ର ଶକ୍ତିଶାଳୀ ଇଞ୍ଜିନ ଡେଭଲପ କରିବ, ଯାହା ପଞ୍ଚମ ପିଢୀର ଷ୍ଟିଲଥ୍ ଫାଇଟର ଜେଟ୍ କୁ ବଳ ଦେବ। ଏହି ଡିଲ ଯୋଗୁ ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀ ଆହୁରି ମଜଭୁତ ହେବ। ଏଣୁ ଆମେରିକାକୁ ଏହା ଝଟକା ଲାଗିଛି। କାରଣ ଆମେରିକା ଭାବୁଥିଲା ଭାରତ ଜିଇ-୪୧୪ ଇଞ୍ଜିନ କ୍ରୟ କରିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.