News7 Logo

ଭାରତ ଉପରେ ଅତିରିକ୍ତ ଟାରିଫ ଲଗାଇବନି EU, ଜାଣନ୍ତୁ କହିଲା କ’ଣ?

NEWS7

ନୂଆଦିଲ୍ଲୀ ୧୪।୯: ଋଷିଆରୁ ଅଶୋଧିତ ତୈଳ କ୍ରୟ ନେଇ ଆମେରିକାର ବଢୁଥିବା ଚାପ ସତ୍ତ୍ୱେ ୟୁରୋପୀୟ ସଂଘ (ଇୟୁ) ଭାରତ ଉପରେ ଅତିରିକ୍ତ ଶୁଳ୍କ ଲାଗୁ ନିମନ୍ତେ ସେପରି କୌଣସି ପଦକ୍ଷେପ ନେବ ନାହିଁ। ଗତ ସପ୍ତାହରେ ୟୁରୋପୀୟ ସଂଘର ରାଜନୈତିକ ଓ ସୁରକ୍ଷା କମିଟି ସହିତ ଭାରତୀୟ ପକ୍ଷ ଏହି ପ୍ରସଙ୍ଗ ଉଠାଇଥିଲା। ତେବେ ଅଧିକାରୀମାନେ କହିଥିଲେ ଯେ ଭାରତ-ଇୟୁ ମଧ୍ୟରେ ମୁକ୍ତ ବାଣିଜ୍ୟ ବୁଝାମଣା (ଏଫଟିଏ) ଲାଗୁ କରିବା ବର୍ତ୍ତମାନ ଆମର ପ୍ରାଥମିକତା। ଏଣୁ ଶୁଳ୍କ ବ୍ୟବସ୍ଥା କରି ଦ୍ୱିପାକ୍ଷୀୟ ସମ୍ପର୍କକୁ ଖରାପ କରିବା ଆମ ଉଦ୍ଦେଶ୍ୟ ନୁହେଁ।

ତେବେ ଭାରତ-ଇୟୁ ବୈଠକ କାଳରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଜି-୭ ସଦସ୍ୟ ଖାସ କରି ୟୁରୋପୀୟ ଦେଶଙ୍କୁ ଋଷିଆରୁ ତୈଳ ଆମଦାନୀ କରୁଥିବା ଦେଶ (ଭାରତ ଓ ଚୀନ୍) ଉପରେ ଉଚ୍ଚ ଟାରିଫ ଲଗାଇବା ପାଇଁ ସୁପାରିଶ କରିଥିଲା। ତେବେ ଭାରତ ଏବେ ଏହା ମାନି ଚଳୁଛି ଯେ ୟୁରୋପୀୟ ସଂଘ ପକ୍ଷରୁ ଏପରି କୌଣସି ପଦକ୍ଷେପ ନିଆଯିବ ନାହିଁ। ହେଲେ କୂଟନୈତିକ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଆମେରିକା ପକ୍ଷରୁ ୟୁରୋପୀୟ ଦେଶଙ୍କୁ  ଋଷିଆରୁ ତୈଳ ଆମଦାନୀ କରୁଥିବା ଦେଶଙ୍କ ଉପରେ ଅଧିକ ଟ୍ୟାକ୍ସ ଲାଗୁ କରିବା ପାଇଁ ୨-୩ ମାସ ପୂର୍ବରୁ ଚାପ ପକାଯାଉଛି।

ତେବେ ୟୁରୋପୀୟ ଦେଶମାନେ ଏ ପର୍ଯ୍ୟନ୍ତ ଏପରି କରିବେ ବୋଲି କୌଣସି ସଂକେତ ଦେଇ ନାହାନ୍ତି। ଏଥିରେ ଯଦି ଭାରତର କଥା କୁହାଯାଏ ତେବେ ଇୟୁ ଗତ ସପ୍ତାହରେ ପ୍ରଥମ ଥର କୌଣସି ଏସିୟ ଦେଶକୁ ତାଙ୍କ ୨୭ ଦେଶଙ୍କ ରାଜଦୂତଙ୍କୁ ନୂଆ ଦିଲ୍ଲୀ ପଠାଇଛନ୍ତି। କେବଳ ଏତିକି ନୁହେଁ ଇୟୁ ଚଳିତ ସପ୍ତାହରେ ଭାରତ ସହିତ ଦ୍ୱିପାକ୍ଷୀୟ ସମ୍ପର୍କ ଉପରେ ଏକ ଦୃଷ୍ଟି-ପତ୍ର ଜାରି କରିବାକୁ ଯାଉଛି। ଯାହା ଆର୍ଥିକ ଓ ରଣନୈତିକ ଭାଗିଦାରୀକୁ ବଢାଇବାର ସଂକେତ ଦେଉଛି। ଏହା ଛଡା ଭାରତ-ଇୟୁ ମୁକ୍ତ ବାଣିଜ୍ୟ ବୁଝାମଣା(ଏଫଟିଏ) ବାର୍ତ୍ତା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଏଣୁ ଆମେରିକା ଚାପ ସତ୍ତ୍ୱେ ଭାରତ ସହିତ ସମ୍ପର୍କର ସ୍ଥିରତା ଆଶା କରାଯାଉଛି।  

ଗତ ଶୁକ୍ରବାର ହୋଇଥିବା ଏହି ବାର୍ତ୍ତା କାଳରେ ଏଫଟିଏରେ ସାମିଲ ମୋଟ ପ୍ରସଙ୍ଗରୁ ୬୦-୬୫% ପ୍ରସଙ୍ଗରେ ସହମତି ହୋଇ ସାରିଛି। ଭାରତ ଓ ୟୁରୋପ ୨୦୨୫ରେ ଏଫଟିଏ ଉପରେ ନିଷ୍ପତ୍ତି ନେବାକୁ ସଂକଳ୍ପ ବଦ୍ଧ ହୋଇଛନ୍ତି। ଭାରତ ପ୍ରଶାନ୍ତ କ୍ଷେତ୍ରରେ ଚୀନ ବିରୋଧରେ ଇୟୁ ରଣନୀତିର ଅଂଶବିଶେଷ ହେଉଛି ଭାରତ। ଏଣୁ ପୁରା ପ୍ରକରଣରେ ଭାରତ ସହିତ ଇୟୁର ସମ୍ବଦ୍ଧ ଉପରେ ଦୃଷ୍ଟି-ପତ୍ରକୁ ଏକ ସକରାତ୍ମକ ପଦକ୍ଷେପ ରୂପେ ଦେଖାଯାଉଛି। ସେହିପରି ଇଣ୍ଡୋ-ପେସିଫିକ ରଣନୀତିରେ ଭାରତ ନିଜ ଭୂମିକାକୁ ଅଧିକ ମଜଭୁତ କରିବାକୁ ଏବେ ଧ୍ୟାନ ଦେବ। ଏହା ଛଡା ଆତଙ୍କବାଦ ବିରୋଧରେ ସହଯୋଗ, ସାଇବର ସୁରକ୍ଷା, ସାମୁଦ୍ରିକ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସହଯୋଗ ବଢାଇବାରେ ଭାରତ-ଋଷିଆ ସମ୍ପର୍କକୁ ବାଧା ମନେ କରାଯିବ ନାହିଁ।