News7 Logo

ଭାରତ ପାଇଁ ଖୋଲିବ ୟୁରୋପର ଦ୍ୱାର, EUର ବଡ଼ ଘୋଷଣା; ୨୦୨୫ ଶେଷ ସୁଦ୍ଧା FTA ଉପରେ ସହମତି

NEWS7

ନୂଆଦିଲ୍ଲୀ: ୟୁରୋପୀୟ ସଂଘ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଶିଖରକୁ ନେବା ପାଇଁ ଏକ ନୂଆ ରଣନୀତିକ ଏଜେଣ୍ଡାର ପ୍ରସ୍ତାବ ଦେଇଛି । ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭାନ୍ ଡେର ଲେୟେନ କହିଛନ୍ତି, ୟୁରୋପ ପୂର୍ବରୁ ଭାରତର ସବୁଠୁ ବଡ଼ ବାଣିଜ୍ୟିକ ସହଯୋଗୀ ଅଛି ଓ ଆମେ ଚଳିତ ବର୍ଷ ଶେଷ ସୁଦ୍ଧା ଆମର ମୁକ୍ତ ବାଣିଜ୍ୟ ବୁଝାମଣାକୁ ଚୂଡାନ୍ତ ରୂପ ଦେବା ପାଇଁ ପ୍ରତିବଦ୍ଧ ଅଛୁ । ୟୁରୋପ ବାଣିଜ୍ୟ ପାଇଁ ଖୋଲା ବଜାର । ଆମେ ଭାରତ ସହ ଆମ ମିଳିତ ଭବିଷ୍ୟତରେ ନିବେଶ କରିବା ପାଇଁ ପ୍ରସ୍ତୁତ ଅଛୁ ।

ଉର୍ସୁଲା ଭାନ୍ ଡେର୍ ଲେୟେନ କହିଛନ୍ତି, ବିଶ୍ୱସନୀୟ ସହଯୋଗୀଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଓ ପାରସ୍ପାରିକ ହିତ ତଥା ସମାନ ମୂଲ୍ୟରୁ ପ୍ରେରିତ ସହଭାଗୀତାକୁ ଦ୍ୱିଗୁଣିତ କରିବାର ସମୟ ଆସିସାରିଛି । ଆମର ନୂଆ ଇୟୁ-ଭାରତ ରଣନୀତି ସହ ଆମେ ଆମ ସମ୍ପର୍କକୁ ଭିନ୍ନ ସ୍ତରକୁ ନେଉଛୁ । ସେ ଆହୁରି କହିଛନ୍ତି, ଦ୍ୱିପାକ୍ଷିକ ସହଯୋଗକୁ ଗଭୀର, ବ୍ୟାପକ ଓ ଉନ୍ନତ ଢଙ୍ଗରେ ସମନ୍ୱିତ କରିବା ୨୦୨୪-୨୦୨୯ ପାଇଁ ଆମର ରାଜନୀତିକ ମାର୍ଗଦର୍ଶିକାର ଉଦ୍ଦେଶ୍ୟ । ଏହା ଦୁଇ ସହଯୋଗୀଙ୍କ ପାଇଁ ସମୃଦ୍ଧ ଓ ସୁରକ୍ଷା ତଥା ପ୍ରମୁଖ ବୈଶ୍ୱିକ ଆହ୍ୱାନର ମୁକାବିଲା କରିବାରେ ସହାୟକ ହେବ ।

ଏହି ଏଜେଣ୍ଡା ଉପରେ ଫୋକସ୍

ସମୃଦ୍ଧି ଓ ସ୍ଥିରତା: ଏହା ଅଧିନରେ ବାଣିଜ୍ୟ ଓ ନିବେଶକୁ ପ୍ରୋତ୍ସାହନ ଦେବା ତଥା ୨୦୨୫ ଶେଷ ସୁଦ୍ଧା ମୁକ୍ତ ବାଣିଜ୍ୟ ବୁଝାମଣା (ଏଫଟିଏ)କୁ ଚୂଡ଼ାନ୍ତ ରୂପ ଦେବା ସାମିଲ ଅଛି ।

ବୈଷୟିକ ଓ ନବସୃଜନ: ଏଥିରେ ଏଆଇ, ସେମିକଣ୍ଡକ୍ଟର, କମ୍ପ୍ୟୁଟିଂ ଓ ମହାକାଶ ଟେକ୍ନୋଲଜି ପରି ଗୁରୁତ୍ୱପୂର୍ଣ୍ଣ ଉଦ୍ୟୋଗରେ ସହଯୋଗକୁ ଗୁରୁତ୍ୱ ଦିଆଯାଇଛି ।

ପ୍ରତିରକ୍ଷା: ଏଥିରେ କ୍ଷେତ୍ରୀୟ ସୁରକ୍ଷା ଉପରେ ଗଭୀର ସହଭାଗୀତା ଓ ପ୍ରତିରକ୍ଷା ଉଦ୍ୟୋଗକୁ ସହଯୋଗ ଦେବା ସାମିଲ ଅଛି । ଏପରି କରି ଉତ୍ପାଦନ କ୍ଷମତା, ନବସୃଜନ ଓ ସୁରକ୍ଷିତ ଯୋଗାଣ ଶୃଙ୍ଖଳାକୁ ମଜଭୁତ କରାଯାଇପାରିବ ।

ଯୋଗାଯୋଗ: ଏହି ଯୋଜନା ଅଧିନରେ ସଂଯୁକ୍ତ ରାଷ୍ଟ୍ର ସୁଧାର, ବିଶ୍ୱ ବାଣିଜ୍ୟ ସଂଗଠନର ଆଧୁନିକୀକରଣ, ଜଳବାୟୁ ପରିବର୍ତ୍ତନ ମୁକାବିଲା, ମାନବାଧିକାର ଓ ସୁରକ୍ଷା ଉପରେ ସମନ୍ୱିତ ବହୁପାକ୍ଷିକ ସହଭାଗୀତା ମାଧ୍ୟମରେ ବୈଶ୍ୱିକ ଶାସନକୁ ମଜଭୁତ କରିବା ସାମିଲ ଅଛି।