News7 Logo

୭୨% ନିଯୁକ୍ତି ହ୍ରାସ ପାଇଛି, ହଜାର ହଜାର ହୋଇଛନ୍ତି ବେରୋଜଗାର; ଭାରତୀୟ IT ସେକ୍ଟରରେ ଚାକିରି ସଂକଟ

NEWS7
layoff

​​​​​​​ନୂଆଦିଲ୍ଲୀ: ଦେଶର ଅର୍ଥନୀତିର ଏକ ମଜଭୁତ ସ୍ତମ୍ଭ ହେଉଛି ଆଇଟି କ୍ଷେତ୍ର । ଏହା ବର୍ତ୍ତମାନ ଏକ ଗମ୍ଭୀର ସଙ୍କଟର ସମ୍ମୁଖୀନ ହେଉଛି । ଏହି କ୍ଷେତ୍ରରେ ଏବେ ନୂତନ ନିଯୁକ୍ତି ହ୍ରାସ ପାଉଛି । ଦୀର୍ଘ ବର୍ଷ ଧରି କାମ କରୁଥିବା ଅଭିଜ୍ଞ ଆଇଟି ପ୍ରଫେସନାଲଙ୍କୁ କମ୍ପାନିଗୁଡ଼ିକ ହଠାତ୍ ବାହାର କରୁଛନ୍ତି । ବିଶ୍ୱର ସବୁଠାରୁ ବଡ଼ ନିଯୁକ୍ତିଦାତାମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଭାରତୀୟ ଆଇଟି କ୍ଷେତ୍ର । ବର୍ତ୍ତମାନ ଏହା ୭୩ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଉଛି । ଏହି କ୍ଷେତ୍ର ଦେଶର GDPରେ ୭%ରୁ ଅଧିକ ଯୋଗଦାନ ଦିଏ  । ୨୦୨୫ରେ ଆଇଟି ସେବା ରପ୍ତାନି ୨୨୪ ବିଲିୟନ ଡଲାର (ପ୍ରାୟ ୧୯.୭୦ ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିଛି, ଯାହା ଏହି କ୍ଷେତ୍ରର ବିଶ୍ୱରେ ଗୁରୁତ୍ୱକୁ ଦର୍ଶାଉଛି । କିନ୍ତୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ, ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ଶୀର୍ଷ ଛଅଟି ଆଇଟି ଫାର୍ମରେ ନୂତନ ନିଯୁକ୍ତି ୭୨% ହ୍ରାସ ପାଇଛି ।

କୋଭିଡ୍-୧୯ ପୂର୍ବ ସ୍ତର ତୁଳନାରେ ନୂଆ ନିଯୁକ୍ତି ୫୦% ହ୍ରାସ ପାଇଛି । ସରଳ ଭାଷାରେ କହିବାକୁ ଗଲେ, ପୂର୍ବରୁ ବଡ଼ ଟେକ୍ କମ୍ପାନିଗୁଡ଼ିକ ୧୦୦ ଜଣ ନୂତନ ବେକାର ଯୁବକଙ୍କୁ ଏଣ୍ଟ୍ରି ଲେଭଲରେ ଚାକିରି ଦେଉଥିଲେ, କିନ୍ତୁ ଏବେ ଏହି ସଂଖ୍ୟା ୫୦କୁ ଖସି ଆସିଛି । ଯେଉଁଥି ପାଇଁ ନୂଆ ପିଢ଼ି ଲାଗି ଚାକିରି ସଙ୍କଟ ସୃଷ୍ଟି ହେଉଛି । ତେବେ ସବୁଠୁ ଚିନ୍ତାର ବିଷୟ ହେଉଛି ପୁରୁଣା କର୍ମଚାରୀଙ୍କ ଉପରେ ମଧ୍ୟ ଛଟେଇର ଛାୟା ମାଡ଼ି ଆସୁଛି । ୨୦୨୫ରେ ହିଁ ଇଣ୍ଟେଲ୍, ମାଇକ୍ରୋସଫ୍ଟ ଏବଂ ମେଟା ଭଳି ବଡ଼ କମ୍ପାନିଗୁଡ଼ିକ ବିଶ୍ୱବ୍ୟାପୀ ୬୦,୦୦୦ରୁ ଅଧିକ କର୍ମଚାରୀଙ୍କୁ ବାହାର କରିସାରିଛନ୍ତି, ଯାହା ଭାରତକୁ ମଧ୍ୟ ପ୍ରଭାବିତ କରିଛି ।

ଏହା ବ୍ୟତୀତ, ଦେଶର ସର୍ବବୃହତ ଆଇଟି କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ୍ ଜୁଲାଇରେ ୧୨,୦୦୦ କର୍ମଚାରୀ (ମୋଟ କର୍ମଚାରୀର ୨%)ଙ୍କୁ ବାହାର କରିଥିଲା । ୱର୍କଫୋର୍ସ ରିସର୍ଚ୍ଚ ଫାର୍ମ ଏକ୍ସଫେନୋ ଅନୁଯାୟୀ, ଗତ ୧୨ ମାସରେ ଶୀର୍ଷ ସାତଟି ଆଇଟି କମ୍ପାନି ୧୫ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ୭,୮୦୦ ବରିଷ୍ଠ କର୍ମଚାରୀଙ୍କୁ ଛଟେଇ କରିଛନ୍ତି ।

ଆଇଟି କ୍ଷେତ୍ରରେ ଚାକିରି ସଙ୍କଟ ପଛରେ ଅନେକ କାରଣ ରହିଛି ଏହା ମଧ୍ୟରୁ ସବୁଠାରୁ ବଡ଼ କାରଣ ହେଉଛି ଭୂରାଜନୀତିରେ ଅସ୍ଥିରତା ରୁଷ-ୟୁକ୍ରେନ ଯୁଦ୍ଧ, ଇସ୍ରାଏଲ-ଗାଜା ବିବାଦ ଏବଂ ଆମେରିକାର ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା ଟାରିଫ୍ ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଛି । ବିଶେଷଜ୍ଞଙ୍କ ମତରେ ଯେତେବେଳେ ବିଶ୍ୱ ଅର୍ଥନୀତି ଅସ୍ଥିର ଥାଏ, ସେତେବେଳେ ଭାରତୀୟ ଆଇଟି ପ୍ରଭାବିତ ହୁଏ ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ଏଆଇର ଦ୍ରୁତ ବିକାଶ । ଆଇଟି କ୍ଷେତ୍ରରେ ଏଆଇର ବହୁଳ ବ୍ୟବହାର ଲୋକଙ୍କ ନିଯୁକ୍ତିକୁ ବିପଦରେ ପକାଇବା ସହ, ନୂଆ ନିଯୁକ୍ତିକୁ ହ୍ରାସ କରୁଛି ।