ନୂଆଦିଲ୍ଲୀ: ଭାରତ ସରକାରଙ୍କ ବିରୋଧରେ କୋର୍ଟରେ ମାମଲା ଦାୟର କଲା ଏଲନ ମସ୍କଙ୍କ ସୋସିଆଲ୍ ମିଡିଆ କମ୍ପାନୀ ଏକ୍ସ(ପୂର୍ବର ଟ୍ୱିଟର)। ଭାରତ ସରକାର ଆଇଟି ଆକ୍ଟର ଧାରା ୭୯(୩)(ବି)ର ଅପବ୍ୟବାହର କରୁଛନ୍ତି ବୋଲି ଅଭିଯୋଗ କରି ଏକ୍ସ କର୍ଣ୍ଣାଟକ ହାଇକୋର୍ଟରେ ମାମଲା ଦାୟର କରିଛି। ଭାରତରେ ସରକାରୀ କର୍ତ୍ତୃପକ୍ଷ ଉପଯୁକ୍ତ ଆଇନଗତ ପ୍ରକ୍ରିୟାକୁ ଏଡାଇ ଅନଲାଇନରେ କଣ୍ଟେଣ୍ଟ ରୋକିବାକୁ ଏକ ବେଆଇନ ସିଷ୍ଟମର ସ୍ଥାପନ କରୁଛନ୍ତି ବୋଲି ଏକ୍ସ କୋର୍ଟ ଆବେଦନରେ ଜଣାଇଛି।
ଆଇଟି ଆଇନ ଅନୁସାରେ, ଯଦି ସରକାର କର୍ତ୍ତୃପକ୍ଷଙ୍କ କହିବା ପରେ ବି ଏକ୍ସ ଭଳି ପ୍ଲାଟଫର୍ମଗୁଡ଼ିକ କଣ୍ଟେଣ୍ଟ ନ ହଟାନ୍ତି କିମ୍ବା ବ୍ଲକ୍ ନ କରନ୍ତି ତେବେ ସେମାନଙ୍କୁ ଦିଆଯାଉଥିବା ଆଇନଗତ ସୁରକ୍ଷା ହଟାଇ ନିଆଯିବ। ଏନେଇ ଏକ୍ସ ଯୁକ୍ତି ବାଢ଼ିଛି ଯେ ଏହି ଆଇଟି ଆକ୍ଟର ଏହି ଧାରା ଅନଲାଇନ୍ କଣ୍ଟେଣ୍ଟ ବ୍ଲକ୍ କରିବାକୁ ସରକାରଙ୍କୁ କ୍ଷମତା ଦେଇ ନାହିଁ। ୨୦୧୫ରେ ଆଇଟି ଆକ୍ଟରେ ସୁପ୍ରିମକୋର୍ଟଙ୍କ ଶ୍ରେୟା ସିଂଘଲଙ୍କ ଖଣ୍ଡପୀଠଙ୍କ ରାୟରେ ଅନ୍ଲାଇନ ବିଷୟବସ୍ତୁକୁ ସୁରକ୍ଷା ଦେବା ପାଇଁ ଧାରା ୬୯ଏ ନିର୍ଦ୍ଧାରିତ କରାଯାଇଥିଲା। ହେଲେ ସରକାରୀ କର୍ତ୍ତୃପକ୍ଷ ଧାରା ୬୯ଏକୁ ଅଣଦେଖା କରୁଛନ୍ତି।
ପଢନ୍ତୁ- ପଛରେ ପଡ଼ିବେ ଜର୍ମାନୀ, ଚୀନ ଓ ଫ୍ରାନ୍ସ: ଲଞ୍ଚ୍ ହେବ ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଏହି ରୁଟ୍ରେ ଚାଲିବ
କମ୍ପାନୀ ଆହୁରି କହିଛି ଯେ ଧାରା ୬୯ଏ ଜାତୀୟ ସୁରକ୍ଷା ଭଳି କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ କଣ୍ଟେଣ୍ଟ ବ୍ଲକ୍ କରିବାକୁ ଅନୁମତି ଦେଇଥାଏ। ତେବେ ଏଥିପାଇଁ ଏକ ସମୀକ୍ଷା ପ୍ରକ୍ରିୟା ବି କରିବାକୁ ପଡ଼ିଥାଏ। ଏହାର ବିପରୀତରେ, ଧାରା ୭୯(୩)(ବି) ରେ କୌଣସି ସ୍ପଷ୍ଟ ନିୟମ ନାହିଁ। ଏଥିରେ କର୍ତ୍ତୃପକ୍ଷଙ୍କୁ ଉପଯୁକ୍ତ ଯାଞ୍ଚ ବିନା ବିଷୟବସ୍ତୁକୁ ଅବରୋଧ କରିବାକୁ ଅନୁମତି ଦିଏ। ଯଦି ଏଭଳି ହେଲା ତେବେ ଭାରତରେ ବ୍ୟାପକ ସେନସରସିପ୍ ସୃଷ୍ଟି କରିପାରେ ବୋଲି କମ୍ପାନୀ ଦାବି କରିଛି।
କେବଳ ସେତିକି ନୁହେଁ ଏଭଳି କାର୍ଯ୍ୟ ପାଇଁ ଭାରତରେ କମ୍ପାନୀର ବ୍ୟବସାୟକୁ କ୍ଷତି ପହଞ୍ଚୁଛି। ଆଇନଗତ ତଥ୍ୟ ଶେୟାର କରିବା ଏହା ୟୁଜରଙ୍କ ଉପରେ ନିର୍ଭର କରେ। ହେଲେ ଏଭଳି ବାରମ୍ବାର ବ୍ଲକ୍ କରିବା ଦ୍ୱାରା ଏକ୍ସ ଭାରତରେ ଗ୍ରାହକଙ୍କ ବିଶ୍ୱାସ ହରାଉଛି ବୋଲି କମ୍ପାନୀ ଦାବି କରିଛି। ଏଥିସହିତ ‘ସହଯୋଗ’ ପୋର୍ଟାଲରେ ଯୋଗ ଦେବାକୁ କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ମଧ୍ୟ କମ୍ପାନୀ ବିରୋଧ କରିଛି। ଏହି ପୋର୍ଟାଲ ଧାରା ୭୯(୩)(ବି)ର ନିର୍ଦ୍ଦେଶର ଅନୁପାଳନ ପାଇଁ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C) ଦ୍ୱାରା ପରିଚାଳିତ ହେଉଛି।
ଏକ୍ସ ସହଯୋଗକୁ ପୋର୍ଟାଲକୁ ଏକ "ସେନ୍ସରସିପ୍ ପୋର୍ଟାଲ୍" ବୋଲି କହିବା ସହିତ ଏଭଳି ସିଷ୍ଟମ୍ ତିଆରି କରିବା ଓ ଏଥିପାଇଁ କମ୍ପାନୀଗୁଡ଼ିକୁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତି ଦେବାକୁ ବାଧ୍ୟ କରିବାରେ କୌଣସି ଆଇନଗତ ଆଧାର ନାହିଁ ବୋଲି କହିଛି। ଏଥିସହିତ ସେ ପୂର୍ବରୁ ପ୍ରଣୟନ ହୋଇଥିବା ୨୦୨୧ ଆଇଟି ନିର୍ଦ୍ଦେଶାବଳୀର ପଳନ କରୁଛି। ଏହି ଆଇନ ଅନୁଯାୟୀ କମ୍ପାନୀ ପ୍ଲାଟଫର୍ମଗୁଡ଼ିକରୁ ମିଳୁଥିବା ଅଭିଯୋଗ ସଂଗ୍ରହ ଓ ଏହାର ସମାଧାନ ପାଇଁ ଅଧିକାରୀଙ୍କୁ ନିଯୁକ୍ତି ମଧ୍ୟ ଦେଇଛି। ଏହା ସତ୍ତ୍ୱେ ବି ପୁଣି ଏଭଳି ଆଇନ ଆଣିବା ଆଇନଗତ ଗ୍ରହଣୀ ନୁହେଁ ବୋଲି କମ୍ପାନୀ ଦାବି କରିଛି।
ପଢନ୍ତୁ- Realme P3 ସିରିଜ ଲଞ୍ଚ୍: ସ୍ମାର୍ଟଫୋନ ସହ ୨ ଇଅର ବଡ୍ସ ଲଞ୍ଚ, ଦାମ୍ ବି ସୁହାଇଲା ଭଳି
କର୍ଣ୍ଣାଟକ କୋର୍ଟରେ କରିଥିବା ଆବେଦନରେ ଏକ୍ସ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ବିରୋଧରେ ମଧ୍ୟ ଅଭିଯୋଗ ଆଣିଛି। ମନ୍ତ୍ରଣାଳୟ କଣ୍ଟେଣ୍ଟ ବ୍ଲକ୍ କରିବା ପାଇଁ ଏକ ସମାନ୍ତରାଳ ବ୍ୟବସ୍ଥା ତିଆରି କରିବାକୁ ରାଜ୍ୟ ଏବଂ ପୋଲିସକୁ ଉତ୍ସାହିତ କରୁଥିବା ଅଭିଯୋଗ କରିଛି। ପ୍ରମାଣ ସ୍ୱରୂପ,କ୍ସ ଫେବୃଆରୀ ୨୦୨୪ରେ ରେଳମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଏକ ଆଦେଶକୁ ଦର୍ଶାଇଛି କମ୍ପାନୀ।