ବାରିପଦା ୦୨।୧୧ : ଟ୍ରେନ୍ ଧକ୍କାରେ ଗଲା ଦନ୍ତା ହାତୀର ଜୀବନ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଆଗ୍ରିଆ ରେଲୱେ କ୍ରସିଂ ଅଞ୍ଚଳରେ ଏହି ଘଟଣା ଘଟିଛି । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଏକ ଦନ୍ତା ହାତୀ ଆଗରିଆ ଅଞ୍ଚଳରେ ଥିବା ବେଳେ ଲୋକେ ପାଟିତୁଣ୍ଡ କରି ତାକୁ ଘଉଡା ଦେଇଥିଲେ। ଦନ୍ତାଟି ରେଳ ଧାରଣା ଉପରେ ଚାଲିଚାଲି ଯାଉଥିଲା । ରେଳ ଫାଟକ ପଡ଼ିଯିବା ଓ ଉଭୟ ସାଇଡ଼ ଲୁହାରେ ଘେରା ଥିବାରୁ ହାତୀଟି ବାହାରକୁ ଆସି ପାରିନଥିଲା। ଦ୍ରୁତ ଗତିରେ ଆସୁଥିବା ସାଲିମାର ଟ୍ରେନ୍ ହାତୀଟିକୁ ଧକ୍କା ଦେବାରୁ ସେ ଛିଟିକି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ଦନ୍ତାର ମୃତ୍ୟୁ ହୋଇଛି। ବେତନଟୀ ରେଞ୍ଜ ଅଞ୍ଚଳରେ ୩୦ରୁ ଉର୍ଦ୍ଧ୍ୱ ହାତୀ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବୁଲୁଥିବା ବେଳେ ଦନ୍ତାହାତୀଟି ଦଳରୁ ଅଲଗା ହୋଇ

ବେତନଟୀ ରେଞ୍ଜ ଆଗ୍ରିଆ ରେଲୱେ କ୍ରସିଂ ଅଞ୍ଚଳକୁ ଆସିଯାଇଥିଲା । ଦୁର୍ଘଟଣାରେ ଗୋଠଛଡା ଦନ୍ତାର ମୃତ୍ୟୁ ଘଟିଥିବା ବେଳେ ବନବିଭାଗ ଏବଂ ରେଳ ବିଭାଗ ମଧ୍ୟରେ ସମନ୍ୱୟର ଅଭାବରୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଖବରପାଇ ବାରିପଦା ବନଖଣ୍ଡର ଏସିଏଫ ଡେପୁଟି ରେଞ୍ଜର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l