ନୂଆଦିଲ୍ଲୀ:ନିର୍ବାଚନ ଆୟୋଗ ଶୁକ୍ରବାର ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ସିଡ୍ୟୁଲରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଏହା ସହିତ ରାଜ୍ୟରେ ଭୋଟଦାନ କେନ୍ଦ୍ରଗୁଡିକୁ ତର୍କ ସଙ୍ଗତ କରିବା ଓ ସ୍ଥାନାନ୍ତର କରିବା ପ୍ରସ୍ତାବକୁ ଆୟୋଗ ଅନୁମୋଦନ କରିଛନ୍ତି। ଏହି ରିଭିଜନ ଲାଗି ୧ ଜାନୁୟାରୀ ୨୦୨୭କୁ କ୍ୱାଲିଫାଇଂ ତାରିଖ ନିର୍ଦ୍ଧାରିତ କରାଯାଇଛି। ଏହାର ଅର୍ଥ ଯେ କେହିବି ଏହି ତାରିଖ ସୁଦ୍ଧା ଅଥବା ଏହା ପୂର୍ବରୁ ୧୮ବର୍ଷ ବୟସରେ ପଦାର୍ପଣ କରନ୍ତି ସେ ଭୋଟର ରୂପେ ନିଜର ପଞ୍ଜିକରଣ କରାଇ ପାରିବେ।

ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ୨୭ ନଭେମ୍ବରରେ ପଠାଇଥିବା ପତ୍ରରେ ନିର୍ବାଚନ ଆୟୋଗ କହିଛନ୍ତି ଯେ ସେ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ନଭେମ୍ବର ୧୮ ତାରିଖରେ ପଠାଯାଇଥିବା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଏବେ ସଂଶୋଧନ କାର୍ଯ୍ୟକ୍ରମ ଅନୁସାରେ ପୋଲିଂ ଷ୍ଟେସନଗୁଡିକୁ ତର୍କ ସଂଗତ କରିବା ଓ ସେମାନଙ୍କୁ ରି ଆରେଞ୍ଜମେଣ୍ଟ କରିବା କାମ ଡିସେମ୍ବର ୩ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ। ସେହିପରି ରାଜ୍ୟରେ ଏକିକୃତ ଭୋଟର ଲିଷ୍ଟ ଡ୍ରାଫ୍ଟ ଡିସେମ୍ବର ୧୫ରେ ପ୍ରକାଶନ କରାଯିବ। ଏବେ ଭୋଟର ଡିସେମ୍ବର ୧୫ ୨୦୨୬ରୁ ୧ ଫେବୃଆରୀ ୨୦୨୭ ମଧ୍ୟରେ ସେମାନଙ୍କ ଦାବି ଓ ଆପତ୍ତି କରିପାରିବେ।

ଏହି ସବୁ ଦାବି ଓ ଆପତ୍ତିର ସମାଧାନ ୧ ଫେବୃଆରୀ ୨୦୨୭ ସୁଦ୍ଧା କରାଯିବ। ରାଜ୍ୟର ଚୂଡ଼ାନ୍ତ ଭୋଟର ଲିଷ୍ଟ ୮ ଫେବୃଆରୀ ୨୦୨୭ରେ ପ୍ରକାଶ କରାଯିବ। ନିର୍ବାଚନ ଆୟୋଗଙ୍କ ଉପସଚିବ ଶକ୍ତି ଶର୍ମା ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ଚିଠି ମାଧ୍ୟମରେ ଏହି ପରିବର୍ତ୍ତନ ସମ୍ପର୍କରେ ଅବଗତ କରାଇଛନ୍ତି। କମିଶନ ଏହା ମଧ୍ୟ କହିଛନ୍ତି ଯେ ସମ୍ପୃକ୍ତ ରାଜ୍ୟର ସମସ୍ତ ରାଜନୈତିକ ଦଳଙ୍କୁ ଏହି ପରିବର୍ତ୍ତନ ବିଷୟରେ ଅବଗତ କରାଯିବ ଏବଂ ଭୋଟରଙ୍କୁ ସେମାନଙ୍କ ନୂତନା ମତଦାନ କେନ୍ଦ୍ର ସମ୍ପର୍କରେ ସଚେତନ କରିବା ପାଇଁ ବ୍ୟାପକ ପ୍ରଚାର କରାଯିବ ବୋଲି କହିଛନ୍ତି।