ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ହୁଗୁଳାପଟା ଗ୍ରାମ ଛକରେ ଏକ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ। ମୃତକ ଜଣଙ୍କ ହେଲେ ଗ୍ରାମର ସାଇବାଣୀ ସାହୁ(୭୦)।ତେବେ ଘଟଣାରେ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ବାଇକ ଜାଳିଦେବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବାଇକ ଚାଳକଙ୍କୁ ହେପାଜତକୁ ନେବା ସହ ଲୋକଙ୍କୁ ରାସ୍ତା ଅବରୋଧରୁ ହଟାଇବାକୁ ବୁଝାଇଛି।
ସୂଚନା ଅନୁଯାୟୀ, ଗ୍ରାମର ସାଇବାଣୀ ସାହୁ କୌଣସି କାମରେ ଛକକୁ ଆସିଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ସାଇବାଣୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।
ସେହିଭଳି ବାଇକରେ ବସିଥିବା ୨ ଯୁବକ ମଧ୍ୟ ଆହତ ହୋଇଥିଲେ । ତେବେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଦାବିରେ ଗ୍ରାମବାସୀମାନେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଘଟଣସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା।