ଅନୁଗୋଳ ୧୦।୦୯ : ୮ ଜଣ ବାବା ବେଶ ଧାରୀ ବ୍ୟକ୍ତିଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଭାଲିଆବେଡ଼ା ଗାଁରେ ୮ ଜଣ ବାବା ବେଶଧାରୀ ବ୍ୟକ୍ତିଙ୍କୁ ସନ୍ଦେହ ହେବାରୁ ଅଟକ ରଖିଛନ୍ତି ଗ୍ରାମବାସୀ । ଅଟକ ଥିବା ବ୍ୟକ୍ତିଙ୍କ ଘର ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ୮ ଜଣ ବାବା ବେଶ ଧାରୀ ଲୋକ ଏକ କାର୍‌ରେ ଜଣେ ପିଲାକୁ ଅପହରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟଜଣେ ପାଟି କରିଥିଲା। ଏହା ଦେଖି ସ୍ଥାନୀୟ ଲୋକ ବାବାମାନଙ୍କୁ ଅଟକ ରଖିଛନ୍ତି। ତେବେ ସେମାନେ କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ଗାଁକୁ ଆସିଛନ୍ତି ତାହା ଷ୍ପଷ୍ଟ ହୋଇନାହିଁ। ଅଟକ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଓଡ଼ିଆ କହୁଥିବା ଜଣାପଡ଼ିଛି। ବାକି ଅଟକ ଥିବା ଅନ୍ୟ ବ୍ୟକ୍ତିଙ୍କ ଘର ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ବୋଲି ଜଣାପଡିଛି।

ସେପଟେ  ଏସମ୍ପର୍କରେ ଖବର ପାଇ ରେଙ୍ଗାଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କର ପରିଚୟ ଏବଂ କେଉଁ ଉଦ୍ଦେଶ୍ୟରେ ଗାଁରୁ ଆସିଛନ୍ତି, ସେନେଇ ପଚରାଉଚୁରା କରୁଛି ପୋଲିସ।