ନୂଆଦିଲ୍ଲୀ: ଜାପାନର ଉତ୍ତର-ମଧ୍ୟ କ୍ଷେତ୍ର ନୋଟୋରେ ବଡ଼ ଧରଣର ଭୂକମ୍ପ ହୋଇଛି । ଜାପାନ ପାଣିପାଗ ବିଜ୍ଞାନ ଏଜେନ୍ସି ଏହା ସ୍ପଷ୍ଟ କରିଛି । ଏଜେନ୍ସି ଅନୁସାରେ ନୋଟୋ ଉପଦ୍ୱୀପର ପଶ୍ଚିମ ଉପକୂଳରେ ୧୦ କିଲୋମିଟର ଗଭୀରରେ ୬.୪ ତୀବ୍ରତାର ଏକ ଭୂକମ୍ପ ହୋଇଛି ।
ଜାପାନର ନୋଟୋ ଭୂକମ୍ପରେ ପ୍ରଭାବିତ ହୋଇଛି, ଚଳିତ ବର୍ଷ ଆରମ୍ଭ ହୋଇଥିବା ଘାତକ ଭୂମିକମ୍ପରୁ ସ୍ୱଭାବିକ ସ୍ଥିତିକୁ ଫେରିବାକୁ ଅଞ୍ଚଳ ଉଦ୍ୟମ କରୁଛି । ରିପୋର୍ଟ ଅନୁସାରେ ଭୂକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇ ନାହିଁ । କୌଣସି ପ୍ରକାର କ୍ଷୟକ୍ଷତି ନେଇ ସୂଚନା ସାମନାକୁ ଆସି ନାହିଁ ।
ଭୂକମ୍ପ ଯୋଗୁଁ ସୁନାମୀ ବିପଦ ନଥିବା ଏଜେନ୍ସି କହିଛି । ୟୁଏସଜିଏସ୍ ଭୂକମ୍ପ ତୀବ୍ରତା ୬.୧ ଥିବା କହିଛି । ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଜାନୁଆରୀ ୧ରେ ନୋଟୋରେ ୭.୬ ତୀବ୍ରତାର ଭୂକମ୍ପ ହୋଇଥିଲା । ଏହି ଭୂକମ୍ପରେ ୩୭୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ଏହାସହ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିଲା ।
ମଙ୍ଗଳବାର ସକାଳେ ମଧ୍ୟ ଜାପାନରେ ଭୂକମ୍ପ ଅନୁଭବ ହୋଇଥିଲା । ଓଫୁନାଟୋରୁ ୫୧ କିଲୋମିଟର ଦୂର ଦକ୍ଷିଣ ପୂର୍ବରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ଥିଲା । ଭାରତୀୟ ସମୟ ଅନୁସାରେ ସକାଳ ୧୦.୦୧ ମିନିଟରେ ଏହି ଭୂକମ୍ପ ହୋଇଥିଲା । ୩୫ କିଲୋମିଟର ଗଭୀରରେ ଭୂକମ୍ପର କେନ୍ଦ୍ର ଥିଲା ।