ରବିବାର ସନ୍ଧ୍ୟା ସୁଦ୍ଧା ଯାତ୍ରୀଙ୍କୁ ଟିକେଟ୍ ଟଙ୍କା ଫେରାଇବ ଇଣ୍ଡିଗୋ, ସରକାରଙ୍କ କଡ଼ା ନିର୍ଦ୍ଦେଶ

NEWS7
e-rickshaw-distrubute-in-bhadrak

ନୂଆଦିଲ୍ଲୀ: ଇଣ୍ଡିଗୋର ଶତାଧିକ ଉଡ଼ାଣ ରଦ୍ଦ ହେବା ଯୋଗୁଁ ହଜାର ହଜାର ଯାତ୍ରୀ ହଇରାଣ ହେଉଛନ୍ତି । ଏୟାର ଲାଇନ୍ସର ସିଇଓଙ୍କ ଅନୁସାରେ, ଡିସେମ୍ବର ୧୫ ପରେ ସ୍ଥିତିରେ ସୁଧାର ଆସିବ । ଏସବୁ ଭିତରେ ଦେଶର ବିଭିନ୍ନ ବିମାନ ବନ୍ଦରରେ ଫସି ରହିଛନ୍ତି ଯାତ୍ରୀ । ସେପଟେ ହଜାର ହଜାର ଟଙ୍କା ଦେଇ ଟିକେଟ୍ କାଟିଥିବା ଯାତ୍ରୀଙ୍କୁ ଟଙ୍କା ଫେରସ୍ତ ମିଳିବ କି ନାହିଁ ଆଶଙ୍କା ଥିଲା । ଏବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଇଣ୍ଡିଗୋକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୭ ତାରିଖ ସନ୍ଧ୍ୟା ସୁଦ୍ଧା ବାତିଲ ହୋଇଥିବା ବିମାନ ଯାତ୍ରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ଇଣ୍ଡିଗୋକୁ ଡେଡଲାଇନ୍ ମିଳିଛି । ସେହିଭଳି ଯାତ୍ରୀ ଛାଡ଼ିଯାଇଥିବା ଲଗେଜଗୁଡ଼ିକୁ ଦୁଇ ଦିନ ମଧ୍ୟରେ ସେମାନଙ୍କ ପାଖରେ ପହଞ୍ଚାଇବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଇଛି ମନ୍ତ୍ରାଳୟ ।

ଡିସେମ୍ବର ୫ରେ ଇଣ୍ଡିଗୋର ୧୦୦୦ ଉଡ଼ାଣ ବାତିଲ ହୋଇଥିଲା ଏବଂ ଏହି ସ୍ଥିତି ଶନିବାର ମଧ୍ୟ ଦେଖିବାକୁ ମିଳିଛି । ରିଫଣ୍ଡ ପ୍ରକ୍ରିୟାରେ ବଳିମ୍ବ ହେଲେ କିମ୍ବା ଅନିୟମିତତା ହେଲେ କମ୍ପାନୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରାଳୟ କହିଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ବାତିଲ ହୋଇଥିବା ବିମାନର ଯାତ୍ରୀଙ୍କୁ ରବିବାର ରାତି ୮ଟା ଭିତରେ ରିଫଣ୍ଡ ମିଳିବା ଦରକାର । ଏହା ସହ କୌଣସି ଯାତ୍ରୀଙ୍କ ପାଖରୁ ଶୁଳ୍କ ନିଆଯିବ ନାହିଁ । ସେପଟେ ଆଜି (ଶନିବାର) ମଧ୍ୟ ୪୦୦ରୁ ଅଧିକ ବିମାନ ଉଡ଼ାଣ ରଦ୍ଦ ହୋଇଛି ।

ଯାତ୍ରୀମାନଙ୍କ ଲାଗି ସ୍ବତନ୍ତ୍ର ରିଫଣ୍ଡ କେନ୍ଦ୍ର ସ୍ଥାପନ କରିବାକୁ ଏୟାର ଲାଇନକୁ ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ସ୍ଥିତି ସ୍ବାଭାବିକ ନହେବା ପର୍ଯ୍ୟନ୍ତ ସ୍ବୟଂଚାଳିତ ରିଫଣ୍ଡ ପ୍ରକ୍ରିୟା ଜାରି ରହିବ । ଏହା ବ୍ୟତୀତ ଉଡ଼ାଣ ବାତିଲ କିମ୍ବା ବିଳମ୍ବ ଯୋଗୁଁ, ରହିଯାଇଥିବା ଲଗେଜ୍କୁ ଯାତ୍ରୀଙ୍କ ପାଖରେ ପହଞ୍ଚାବାକୁ ଏୟାର ଲାଇନକୁ ନିର୍ଦ୍ଦେଶ ମିଳିଛି । ଏଥି ଲାଗି ଏୟାର ଲାଇନକୁ କେବଳ ୪୮ ଘଣ୍ଟା ସମୟ ଦିଆଯାଇଛି । ସୂଚନାଯୋଗ୍ୟ, ଲଗାତାର ବିମାନ ଉଡ଼ାଣ ବାତିଲ ହେବା ଯୋଗୁଁ ଦେଶରେ ସ୍ଥିତି ବିଗିଡ଼ି ଯାଇଛି । ବିମାନ ବନ୍ଦରରେ ଯାତ୍ରୀମାନେ ଭୟଙ୍କର ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଇଣ୍ଡିଗୋ ଏଥିପାଇଁ କ୍ଷମା ପ୍ରାର୍ଥନା କରିଥିଲେ ବି, ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।