ନୂଆଦିଲ୍ଲୀ ୧୫।୧୧: ବିଦେଶ ଯାତ୍ରା ଅଥବା ପରିଚୟ ପ୍ରମାଣ ରୂପେ ପାସପୋର୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏହାକୁ ଅଧିକ ସୁରକ୍ଷିତ ଓ ଟେକ୍ନିକାଲି ଉନ୍ନତ କରିବା ପାଇଁ ଭାରତ ସରକାର ପାସପୋର୍ଟ ସେବା ପ୍ରୋଗ୍ରାମ ଭି୨.୦ଲାଗୁ କରିଛନ୍ତି। ଏଥିରେ ସାରା ଦେଶରେ ଇ-ପାସପୋର୍ଟ ସିଷ୍ଟମ ଲାଗୁ ହୋଇଯାଇଛି। ଏବେ ଭାରତ ଏବଂ ବିଦେଶରେ ଥିବା ଭାରତୀୟ ଦୂତାବାସମାନଙ୍କରେ ନୂଆ ପାସପୋର୍ଟ ତଥା ରିନୱାଲ ନିମନ୍ତେ ଏବେ ଚିପ୍ ଆଧାରିତ ଇ-ପାସପୋର୍ଟ ଜାରି ହେବ।

ତେବେ ଏଥିରେ ଲୋକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ ଏହା ଦ୍ୱାରା କ’ଣ ପୁରୁଣା ପାସପୋର୍ଟ ବେକାର ହୋଇଯିବ? ତେବେ ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ ପୁରୁଣା ପାସପୋର୍ଟ ଏହାର ଏକ୍ସପାୟେରୀ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ଓ ପୂର୍ବ ଭଳି ଉପଯୋଗ ହେବ। ତେବେ ପାସପୋର୍ଟର ବୈଧତା ସମାପ୍ତ ହେବା ପରେ ଅଥବା ନୂଆ ଆବେଦନ ସ୍ଥିତିରେ ଆପଣଙ୍କୁ କେବଳ ଚିପ୍ ଯୁକ୍ତ ଇ-ପାସପୋର୍ଟ ମିଳିବ। ତେବେ ନୂଆ ପାସପୋର୍ଟ କରିବା ପାଇଁ ଅଲଗା ଫର୍ମ ଅଥବା ବିକଳ୍ପ ବାଛିବାକୁ ପଡିବ ନାହିଁ।

ଆବେଦନ ସମୟରେ ସିଷ୍ଟମ ନିଜକୁ ନିଜେ ଇ-ପାସପୋର୍ଟ ବିକଳ୍ପ ଲାଗୁ କରିଦେବ। ସରକାରଙ୍କ କହିବା କଥା ହେଉଛି ଏହି ପରିବର୍ତ୍ତନ ପାସପୋର୍ଟକୁ ଆହୁରି ସୁରକ୍ଷିତ ଓ ଯାତ୍ରୀଙ୍କ ଇମିଗ୍ରେସନ ପ୍ରକ୍ରିୟା ପୂର୍ବାପେକ୍ଷା ଅଧିକ ଦ୍ରୁତ ହେବ। ନୂଆ ଇ-ପାସପୋର୍ଟ କଭରରେ ଏକ ଛୋଟ ଗୋଲ୍ଡେନ କଲରର ଚିପ୍ ଲଗା ମିଳିବ। ଏହି ଚିପ୍ ର ଆରଏଫଆଇଡି ଟେକ୍ନୋଲଜି ପାସପୋର୍ଟଧାରୀଙ୍କ ବାୟୋମେଟ୍ରିକ ଡାଟା, ଫଟୋ ଓ ଅନ୍ୟ ବ୍ୟକ୍ତିଗତ ସୂଚନା ସୁରକ୍ଷିତ ରୂପେ ସଂଗ୍ରୁହିତ ରହିବ।

ଏହା ଦ୍ୱାରା ନକଲୀ ପାସପୋର୍ଟ ସମ୍ଭାବନା ହ୍ରାସ ହେବା ସହ ଅନ୍ତର୍ଜାତୀୟ ଟ୍ରାଭେଲ କାଳରେ ଦ୍ରୁତ ଭେରିଫିକେସନ ହେବ। ଏଣୁ ଏବେଠାରୁ କେବଳ ଇ-ପାସପୋର୍ଟ ଜାରି ହେବ। ପିଏସପି ଭି୨.୦ ଓ ଗ୍ଲୋବାଲ ପାସପୋର୍ଟ ସେବା ପ୍ରୋଗ୍ରାମରେ ଏବେ ସାରା ଦେଶରେ ଜାରି ହେବାକୁ ଥିବା ସବୁ ନୂଆ ରିନ୍ୟୁ କରାଯାଉଥିବା ପାସପୋର୍ଟ ଇ-ପାସପୋର୍ଟ ହେବ।