କାଶ୍ମୀରୀଙ୍କୁ ଟାର୍ଗେଟ୍ କର ନାହିଁ; ପହଲଗାମରେ ମୃତ ବିନୟ ନରୱାଲଙ୍କ ପତ୍ନୀ କଲେ ଅପିଲ୍

Published By : Prameya-News7 Bureau | May 01, 2025 IST

ନୂଆଦିଲ୍ଲୀ: ଆମେ ନ୍ୟାୟ ଚାହୁଁ, ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ମିଳୁ । କିନ୍ତୁ ମୁସଲମାନଙ୍କୁ ଟାର୍ଗେଟ୍ କରାନଯାଉ । ପହଲଗାମ ଆକ୍ରମଣରେ ମୃତ ନୌସେନାର ଲେଫ୍ଟିନାଣ୍ଟ ବିନୟ ନରୱାଲଙ୍କ ପତ୍ନୀ ଲୋକଙ୍କୁ ଶାନ୍ତି ପାଇଁ ଅପିଲ୍ କରି ଏହା କହିଛନ୍ତି । ଗୁରୁବାର ସେ କହିଛନ୍ତି ଯେ ମୁସଲମାନ ଓ କାଶ୍ମୀରୀଙ୍କୁ ଟାର୍ଗେଟ୍ ନକରାଯିବା ଦରକାର । ଆମେ ଶାନ୍ତି ଚାହୁଁଛୁ । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଆକ୍ରମଣରେ ସାମିଲ ଲୋକଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବା ଦରକାର । 

ବିନୟଙ୍କ ଜୟନ୍ତୀରେ ପରିବାର ଲୋକ ରକ୍ତ ଦାନ କ୍ୟାମ୍ପ ଆୟୋଜନ କରିଥିଲେ । ଯଦି ଆଜି ବିନୟ ଜୀବିତ ଥାଆନ୍ତେ ତେବେ ତାଙ୍କ ଜନ୍ମ ଦିନକୁ ଧୁମଧାମରେ ପାଳନ କରାଯାଇଥାନ୍ତା, କିନ୍ତୁ ଆଜି ପରିବାର ଲୋକଙ୍କ ତାଙ୍କ ସ୍ମୃତିରେ ଜୟନ୍ତୀ ପାଳନ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ । ହିମାଂଶୀ କହିଛନ୍ତି, 'ବିନୟଙ୍କ ପାଇଁ ଦେଶବାସୀ ପ୍ରାର୍ଥନା କରିବା ଦରକାର । ସେ ଯେଉଁଠି ରୁହନ୍ତୁ, ଖୁସିରେ ରୁହନ୍ତୁ । ଆମେ ଆଜି ଏଠାରେ ଶୋକ ବ୍ୟକ୍ତ କରିବା ପାଇଁ ଉପସ୍ଥିତ ହୋଇନୁ, ବରଂ ତାଙ୍କ ଦେଶଭକ୍ତି ଓ ସାହସକୁ ସମ୍ମାନ କରିବା ପାଇଁ ଆସିଛୁ ।'

ହିମାଂଶୀ ଓ ବିନୟ ନରୱାଲଙ୍କ ବିବାହ ଏପ୍ରିଲ ୧୬ରେ ହୋଇଥିଲା ଓ ୧୯ ତାରିଖରେ ରିସେପ୍ସନ୍ ହୋଇଥିଲା । ଦୁହେଁ ହନିମୁନ୍ ପାଇଁ ପହଲଗାମ ବୁଲିବାକୁ ଯାଇଥିବା ବେଳେ ଏପ୍ରିଲ୍ ୨୨ରେ ଆତଙ୍କବାଦୀ ବିନୟଙ୍କୁ ହତ୍ୟା କରିଥିଲେ । ଏହି ଆକ୍ରମଣରେ ମୋଟ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଆତଙ୍କୀମାନେ ଧର୍ମ ପଚାରି ଲୋକଙ୍କୁ ହତ୍ୟା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.