LIVE TV

ଗାଜାରେ କ୍ଷମତା ନଛାଡ଼ିଲେ ପୂରା ସଫା କରି ଦିଆ ଯିବ ; ହମାସକୁ ପୁଣି ଧମକ ଦେଲେ ଟ୍ରମ୍ପ

NEWS7
 Donald Trump warned Hamas

ୱାଶିଂଟନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ସନ୍ଧ୍ୟା ୬ଟା ସମୟରେ ( ୱାଶିଂଟନର ସ୍ଥାନୀୟ ସମାୟାନୁସାରେ)ପୁଣି ଥରେ ହମାସକୁ ଧମକ ଦେଇଛନ୍ତି। ନିର୍ଦ୍ଧାରିତ ସମୟ ସୀମା ଶେଷ ହେବାରେ ଠିକ୍ ପୂର୍ବରୁ ହମାସକୁ କଡ଼ା ଚେତାବନୀ ଦେଇଛନ୍ତି ଯେ, ଯଦି ସେ ତାଙ୍କର ଶାନ୍ତି ଯୋଜନା ଅନୁସାରେ , ଗାଜାରେ ନିଜର କ୍ଷମତା ଓ ନିୟନ୍ତ୍ରଣ ତ୍ୟାଗ କରିବାକୁ ପ୍ରସ୍ତୁତ ନହୁଏ , ତ ତାକୁ ସଂପୂର୍ଣ୍ଣ ରୂପେ ସଫା କରି ଦିଆ ଯିବ। ଏହି ଧମକ ସମୟ ସୀମା ଶେଷ ହେବାର ମାତ୍ର ୧୨ ଘଣ୍ଟା ପୂର୍ବରୁ ଜାରି କରାଯାଇଛି।

ଶନିବାର ସିଏନଏନକୁ ଦେଇ ଥିବା ସାକ୍ଷାତକାରରେ ଯେବେ ଟ୍ରମ୍ପଙ୍କୁ ପଚରା ଯାଇଥିଲା  ଯେ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କଣ ଗାଜାରେ ବୋମାମାଡ଼ ରୋକିବା ପକ୍ଷରେ ଅଛନ୍ତି ଏବଂ ସେ କଣ ଆମେରିକାର ବ୍ୟାପକ ଶାନ୍ତି ପ୍ରୟାସର ସମର୍ଥନ କରନ୍ତି , ତ ଟ୍ରମ୍ପ ସଂକ୍ଷେପରେ କହିଛନ୍ତି ବିବି ହଁ କହୁଛନ୍ତି। ରବିବାର ପ୍ରସାରିତ ଇଣ୍ଟରଭ୍ୟୁରେ ଟ୍ରମ୍ପ ଆହୁରି କହିଛନ୍ତି ଯେ, ତାଙ୍କୁ ଶୀଘ୍ର ଜଣାପଡ଼ି ଯିବ ଯେ , ହମାସ ବାସ୍ତବରେ ଶାନ୍ତି ପ୍ରତି କେତେ ପ୍ରତିବଦ୍ଧ ଅଛି। ଶୁକ୍ରବାର ଟ୍ରମ୍ପ ପାଲେଷ୍ଟାଇନ୍ ଉଗ୍ରବାଦୀ ଗ୍ରୁପ୍ ହମାସକୁ ରବିବାର ସନ୍ଧ୍ୟା ୬ଟା ସମୟ ଯାଏ ଇସ୍ରାଏଲ ସହ ଶାନ୍ତି ଚୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯଦି ସେମାନେ ବିଫଳ ହୁଅନ୍ତି , ତେବେ ଏହାର ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ। ସେ ସ୍ପଷ୍ଟ କରି ଥିଲେ ଯେ, ଶାନ୍ତି ଯୋଜନାକୁ ଗ୍ରହଣ କରିବା, ଇସ୍ରାଏଲର ବନ୍ଧକମାନଙ୍କୁ ମୁକ୍ତ କରିବା ଏବଂ ସଂଘର୍ଷ ବନ୍ଦ କରିବା , ଏହା ହମାସ ପାଇଁ ଶେଷ ସୁଯୋଗ। ସେ ଜୋର ଦେଇ କହିଥିଲେ ଯେ, ଯେକୌଣସି ମୂଲ୍ୟରେ ଶାନ୍ତି ସ୍ଥାପନ କରିବାକୁ ପଡିବ।

ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଆଶା ପ୍ରକାଶ କରିଥିଲେ ଯେ, ଆଗାମୀ ଦିନରେ ଗାଜାରୁ ସମସ୍ତ ବନ୍ଧକଙ୍କ ମୁକ୍ତି ଘୋଷଣା କରାଯିବ ଯିବ। ଏହି ସମୟରେ, ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକାର ନୂତନ ଯୋଜନା ଉପରେ ଆଲୋଚନା କରିବା ପାଇଁ ସୋମବାର ଇଜିପ୍ଟରେ ହମାସ ସହିତ ପରୋକ୍ଷ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଶନିବାର ବିଳମ୍ବିତ ଏକ ସଂକ୍ଷିପ୍ତ ବିବୃତ୍ତିରେ ନେତନ୍ୟାହୁ କହିଛନ୍ତି ଯେ , ସେ ବୈଷୟିକ ସମସ୍ୟାଗୁଡ଼ିକୁ ଚୂଡ଼ାନ୍ତ କରିବା ପାଇଁ ଏକ ପ୍ରତିନିଧିମଣ୍ଡଳୀ ମିଶରକୁ ପଠାଇଛନ୍ତି । ସେ ଆହୁରି କହିଛନ୍ତି ଯେ କିଛି ଦିନ ମଧ୍ଯରେ ଏହି ଆଲୋଚନାକୁ ପୂରା କରିବାକୁ ଲକ୍ଷ୍ୟ  ରହିଛି। ହମାସ ଆମେରିକା ଯୋଜନାର କିଛି ସର୍ତ୍ତ ଗ୍ରହଣ କରିବାର ଘୋଷଣା କରିବା ପରେ ନେତନ୍ୟାହୁଙ୍କ ଏହି ବିବୃତ୍ତି ଆସିଛି। ରାଷ୍ଟ୍ରପତି ଟ୍ରମ୍ପ ହମାସର ବିବୃତ୍ତିକୁ ସ୍ୱାଗତ କରିଛନ୍ତି, କିନ୍ତୁ ଶନିବାର ଦିନ ଚେତାବନୀ ଦେଇଛନ୍ତି ଯେ , ହମାସକୁ ତୁରନ୍ତ ପଦକ୍ଷେପ ନେବାକୁ ପଡିବ, ନଚେତ୍ ସମସ୍ତ ସମ୍ଭାବନାର ଦ୍ୱାର ବନ୍ଦ ହୋଇଯିବ।