LIVE TV
LIVE TV

ବଞ୍ଚିବାକୁ ଚାହୁଁଛି, କିନ୍ତୁ କ’ଣ କରିପାରିବି...ଆତ୍ମହତ୍ୟା କରିଦେଲେ ଆଉ ଜଣେ ବିଏଲଓ

NEWS7
donald-trump-for-illegal-immigrants-guantanamo-bay-jail-cuba-usa

ବରେଲି: ବିହାର ପରେ ୧୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ସ୍ବତନ୍ତ୍ର ବ୍ୟାପକ ସଂଶୋଧନ (ଏସଆଇଆର) ଜାରି ରହିଛି । ଏଥିପାଇଁ ବୁଥସ୍ତରୀୟ ଅଧିକାର (ବିଏଲଓ) କାର୍ଯ୍ୟ କରୁଛନ୍ତି । କିନ୍ତୁ କାର୍ଯ୍ୟ ଚାପ ଯୋଗୁଁ ବିଏଲଓ ଆତ୍ମହତ୍ୟା କରୁଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି । ଉତ୍ତର ପ୍ରଦେଶର ମୁରାଦାବାଦରେ ଜଣେ ବିଏଲଓ ସର୍ବେଶ ସିଂହ ଏସଆଇ ପ୍ରକ୍ରିୟା ପୂରା କରିବାରେ ବିଫଳ ହେବା ଭୟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଚିନ୍ତାରେ ରାତିରେ ଶୋଇପାରୁ ନଥିଲେ ଏବଂ ବିଫଳ ହେଲେ ଚାକିରି ଯିବାର ଭୟ ମଧ୍ୟ ତାଙ୍କୁ ବ୍ୟଥିତ କରୁଥିଲା । ସେହିଭଳି ବିଜନୋରରେ ଜଣେ ମହିଳା ଅଧିକାରୀ ଶୋଭାରାଣୀ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁଁ ରୋଗରେ ପଡ଼ିଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ତାଙ୍କ ପରିବାର ଅଭିଯୋଗ କରିଛି । ସେପଟେ ଏସଆଇର ସହ ଜଡ଼ିତ ଉପରିସ୍ଥ ଅଧିକାରୀମାନେ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେମାନଙ୍କ ଅନୁସାରେ, ବିଏଲଓଙ୍କ ମୃତ୍ୟୁ ଏବଂ ଏସଆଇଆର ଚାପ୍ ସହ କୌଣସି ଲିଙ୍କ ନାହିଁ ।

ଜାହିଦପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ ୪୬ ବର୍ଷୀୟ ସର୍ବେଶ ସିଂହ । ସେ ସୁଇସାଇଡ୍ ନୋଟ୍ରେ ଲେଖିଛନ୍ତି, ‘ରାତି ଭାରି କଷ୍ଟରେ କଟୁଛି । ଦିନରେ ଶାନ୍ତି ମିଳୁନି । ମୁଁ ବଞ୍ଚିବାକୁ ଚାହୁଁଛି, କିନ୍ତୁ କଣ କରିପାରିବି ? ଏଭଳି ଅଶାନ୍ତି ଭିତରେ ମୁଁ ମୋ ନିଜକୁ ଭୟ କରୁଛି ।’ତାଙ୍କ ପତ୍ନୀ ବବଲି କହିଛନ୍ତି, ସର୍ବେଶ ଅନେକ ଦିନ ହେଲାଣି କେବଳ ୨-୩ ଘଣ୍ଟା ଶୋଇ ପାରୁଥିଲେ । ସେ ଡିଜିଟାଲ ପ୍ରସେସ୍ ବୁଝିପାରୁ ନଥିଲେ । ବିଶେଷ କରି ଏସଆଇଆର ଫର୍ମ ଅପଲୋଡ଼ କରିବା ତାଙ୍କ ପାଇଁ ଅଡ଼ୁଆ ହେଉଥିଲା। ଫଳରେ ସେ ତାଙ୍କ ବିରୋଧରେ ହେବାକୁ ଥିବା ସମ୍ଭାବ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ଭୟ କରୁଥିଲେ । ସେପଟେ ଠିକ୍ ସମୟରେ କାମ ପୂରା ନହେଲେ ପରିଣାମ ଖରାପ ହେବ ବୋଲି ଉପରିସ୍ଥ ଅଧିକାରୀ ପ୍ରତିଦିନ ଫୋନ୍ କରି ଧମକାଉଥିଲେ । ୪ ଝିଅଙ୍କ ବାପା ସର୍ବେଶ ପରିବାରରେ ଜଣେ ରୋଜଗାରିଆ ବ୍ୟକ୍ତି ଥିଲେ । ୨ ଝିଅଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ରହୁଥିବାରୁ ସର୍ବେଶ ଚିନ୍ତାରେ ରହୁଥିଲେ । ଏଥିପାଇଁ ମଧ୍ୟ ତାଙ୍କର ମାନସିକ ସ୍ଥିତି ଭଲ ରହୁନଥିଲା ବୋଲି ସର୍ବେଶଙ୍କ ପତ୍ନୀ ବବଲି କହିଛନ୍ତି ।

ସର୍ବେଶଙ୍କ ପରିବାର ଶବ ବ୍ୟବଚ୍ଛେଦ ପାଇଁ ମନା କରିବା ସହ ୫ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛି । ଏହା ସହ ପରିବାରକୁ ଗୋଟିଏ ସରକାରୀ ଚାକିରି ଦିଆଯାଉ ବୋଲି ସର୍ବେଶଙ୍କ ପରିବାର କହିଛି । ମୁରାଦବାଦ ଜିଲ୍ଳାପାଳ ଅନୁଜ ସିଂହ କହିଛନ୍ତି, ସର୍ବେଶ ବଢ଼ିଆ କାମ କରୁଥିଲେ । ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାରେ ସେ ପାରଙ୍ଗମ ଥିଲେ । କିନ୍ତୁ ହଠାତ ସେ କଣ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ, ସେନେଇ ତଦନ୍ତ ହେବ । ଆମେ ସମସ୍ତ ବିଏଲଓଙ୍କୁ ପ୍ରଶିକ୍ଷଣ ଦେଇଛୁ । ମୃତକଙ୍କ ପରିବାକୁ ସରକାରୀ ଚାକିରି ମିଳିବ ଏବଂ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ।

ଏହା ପୂର୍ବରୁ ଶନିବାର ବିଜନୋରରେ ୫୬ ବର୍ଷୀୟ ଜଣେ ମହିଳା ବିଏଲଓ ଶୋଭାରାଣୀ ହୃଦଘାତରେ ପ୍ରାଣ ହରାଇଥିଲେ । ଶୋଭାରାଣୀଙ୍କ ପୁଅ କହିଛନ୍ତି ଯେ, ତାଙ୍କ ମା’ଙ୍କୁ ଅଧିକ କାମ ଦିଆଯାଇଥିଲା । ସେ ଅସୁସ୍ଥ ଥିବା ସତ୍ବେ ଅଧିକ ରାତି ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ । ତାଙ୍କୁ ଡାଇବେଟିସ୍ ଥିବା ବେଳେ ସେ ଅନେକ ଦିନ ହେଲା ଭଲରେ ଶୋଇନଥିଲେ । ଏସଆଇଆର ପାଇଁ କାର୍ଯ୍ୟଚାପ ଖୁବ ଅଧିକ ବଢ଼ିଯାଇଥିଲା । ଶନିବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ହସ୍ପିଟାଲ୍ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ଶୋଭାରାଣୀଙ୍କୁ ମୃତ ଘୋଷଣା କରିଥିଲେ । ଦୁଃଖର କଥା ହେଉଛି ଯେ, ତାଙ୍କର ଗୋଟିଏ ବୋଲି ପୁଅର ବାହା ଘର ହେବାର ଥିଲା । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଶୋଭାରାଣୀଙ୍କ ମୃତ୍ୟୁ ପୂରା ପରିବାରକୁ ଶୋକରେ ବୁଡ଼ାଇ ଦେଇଛି ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଅନ୍ୟ ୫ ଜଣ ବିଏଲଓଙ୍କ ଜୀବନ ଯାଇଛି। ସୁଧିର କୁମାର, ବିପିନ ଯାଦବ, ସର୍ବେଶ କୁମାର ଗଙ୍ଗଓ୍ବାର, ବିଜୟ କୁମାର ବର୍ମା ଏବଂ ରଞ୍ଜୁ ଦୁବେଙ୍କ ମୃତ୍ୟୁ ହୋଇଛି । ଏସଆଇଆର ଲାଗି ଅତ୍ୟଧିକ କାର୍ଯ୍ୟ ଚାପ ସେମାନଙ୍କ ଜୀବନ ଯିବାର କାରଣ ହୋଇଛି ବୋଲି ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି ।