LIVE TV

ଭାରତ-ଚୀନ ମଧ୍ୟରେ ରବିବାର ଆରମ୍ଭ ହେବ ସିଧା ବିମାନ ସେବା, ଜାଣନ୍ତୁ କ’ଣ କହିଲା ବେଜିଂ?

NEWS7
flight service

ନୂଆଦିଲ୍ଲୀ ୨୪।୧୦:  ଭାରତ ଓ ଚୀନ୍ ମଧ୍ୟରେ ରବିବାର ସିଧା ବିମାନ ସେବା ଆରମ୍ଭ ହେବାକୁ ଯାଉଛି।ଏହାକୁ ବେଜିଂ ଦୁଇ ଦେଶଙ୍କ ମଧ୍ୟରେ ବନ୍ଧୁତ୍ୱର ନୂଆ ଉଡାଣ ବୋଲି କହିଛି। ଚୀନ୍‌ ଶୁକ୍ରବାର କହିଛି ଯେ ଭାରତ ସହିତ ନିଜ ସମ୍ପର୍କକୁ ଦୀର୍ଘକାଳୀକ ଓ ରଣନୈତିକ ଦୃଷ୍ଟିରେ ଦେଖିବାକୁ ଏବେ ପ୍ରସ୍ତୁତ ଅଛି। ଭାରତ-ଚୀନ ମଧ୍ୟରେ ପୁଣି ବିମାନ ସେବା ବୃହତ୍ତ ଜନସଂଖ୍ୟାର ଦୁଇ ଦେଶଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଆଦାନପ୍ରଦାନକୁ ପ୍ରୋତ୍ସାହନ କରିବା ଦିଗରେ ଏକ ସକରାତ୍ମକ ପଦକ୍ଷେପ ଭାବେ ଦେଖାଯାଉଛି।

ଅକ୍ଟୋବର ୨୬ରୁ ଚୀନ୍ କୁ ସିଧା ବିମାନ ସେବା ଆରମ୍ଭ ହେଉଥିବା ନେଇ ଭାରତ ଗାନ୍ଧି ଜୟନ୍ତୀ ଅବସରରେ ଘୋଷଣା କରିଥିଲା। ଏହା ପରେ ଇଣ୍ଡିଗୋ ଅକ୍ଟୋବର ୨୬ରୁ କୋଲକାତା-ଗୁଆଙ୍ଗଝୋଉ ଓ ନଭେମ୍ବର ୧୦ ତାରିଖରୁ ଦିଲ୍ଲୀ-ଗୁଆଙ୍ଗଝୋଉ ଉଡାଣ ପୁଣି ଆରମ୍ଭ କରିବ ବୋଲି ଘୋଷଣା କରିଛି। ସେହିପରି ଚୀନ ଏୟାର ଲାଇନ ଚାଇନା ଇଷ୍ଟର୍ଣ୍ଣ  ନଭେମ୍ବର ୯ ତାରିଖରୁ ସାଂଘାଇ-ନୂଆଦିଲ୍ଲୀ ବିମାନ ସେବା ଆରମ୍ଭ କରିବ ବୋଲି ଘୋଷଣା କରିଛି।

ପ୍ରାୟ ୫ ବର୍ଷ ପରେ ଚୀନ୍‌ ସହ ଭାରତର ସିଧା ବିମାନ ସେବା ସ୍ଥାପିତ ହେବାକୁ ଯାଉଛି। ଏହି ଅବସରରେ ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଗୁଓ ଜିୟାକୁନ ମିଡିଆ ବ୍ରିଫିଙ୍ଗରେ କହିଛନ୍ତି ଯେ ଏହା ଦୁଇ ଦେଶଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଲାଗୁ କରିବାରେ ନବୀନତମ ପ୍ରଗତି। ବେଜିଂ କହିଛି ଯେ ଭାରତ ସହିତ ମିଶି ଚୀନ୍-ଭାରତ ସମ୍ପର୍କକୁ ରଣନୈତିକ ଓ ଦୀର୍ଘକାଳୀକ ପରିପ୍ରେକ୍ଷରେ ଦେଖିବାକୁ ଓ ସମ୍ଭାଳିବାକୁ, ଦ୍ୱିପାକ୍ଷୀୟ ସୁସ୍ଥ ସମ୍ପର୍କ ସହିତ ସ୍ଥିର ବିକାଶକୁ ପ୍ରୋତ୍ସାହିତ କରିବା, ଦୁଇ ଦେଶ ଜନତାଙ୍କୁ ସମ୍ପର୍କର ଲାଭ ଦେବା ତଥା ଏସିଆ ଓ ବିଶ୍ୱରେ ଶାନ୍ତି ଏବଂ ସମୃଦ୍ଧି କାୟମ କରିବାରେ ଉଚିତ ଯୋଗଦାନ ଦେବାକୁ ପ୍ରସ୍ତୁତ।