ନ୍ୟୁଜ ସେଭେନରେ ଶୋକର ଛାୟା, ପ୍ରଦୀପ୍ତ କୁମାର ଭୋଇଙ୍କ ପରଲୋକ

NEWS7
dhenkanal-news-today-2

ଭୁବନେଶ୍ଵର: ନ୍ୟୁଜ ସେଭେନରେ ଶୋକର ଛାୟା। ନ୍ୟୁଜ ସେଭେନରେ କାର୍ଯ୍ୟରତ ଥିବା ପ୍ରଦୀପ୍ତ କୁମାର ଭୋଇ ଆଉ ଆମ ଗହଣରେ ନାହାଁନ୍ତି। ୪୭ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ତିନି ଦିନ ତଳେ ପ୍ରବଳ ବାନ୍ତି ହେଉଥିବାରୁ ତାଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ତେବେ ଚିକିତ୍ସା ଚାଲିଥିବା ବେଳେ ଆଜି  ଦିନ ୨ ଟା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରଦୀପ୍ତ ଙ୍କ ମା, ପତ୍ନୀ ଓ ଦୁଇ ସନ୍ତାନ ଅଛନ୍ତି।

ପ୍ରଦୀପ୍ତ ନ୍ୟୁଜ ସେଭେନର ଜଣେ ସଚ୍ଚୋଟ ଡ୍ରାଇଭର କର୍ମଚାରୀ ଭାବେ ଦାୟିତ୍ଵ ତୁଲାଉଥିଲେ। ସମସ୍ତଙ୍କ ସହିତ ମିଳିମିଶି ଭଲ କାମ କରୁଥିଲେ। ଡ୍ରାଇଭର ଭାବେ ରିପୋର୍ଟର ଓ କ୍ୟାମେରା ପର୍ସନଙ୍କୁ ନେଇ ପ୍ରତିଦିନ ନ୍ୟୁଜ ସଂଗ୍ରହ କରିବା ପ୍ରମୁଖ କର୍ତ୍ତବ୍ୟ ଥିଲା। କୌଣସି ଦାୟିତ୍ଵ ତୁଲାଇବାରେ କେବେ ସେ ମନା କରୁ ନଥିଲେ। କର୍ମ ହିଁ ଭଗବାନ ବୋଲି କହୁଥିଲେ ପ୍ରଦୀପ୍ତ। ଆଜି ତାଙ୍କ ବିୟୋଗରେ ନ୍ୟୁଜ ସେଭେନ ତାଙ୍କୁ ଝୁରୁଛି। ନ୍ୟୁଜ୍ ସେଭେନ ପ୍ରତି ଅବଦାନ ଅତୁଳନୀୟ ଥିଲା ।

ନ୍ୟୁଜ୍ ସେଭେନ କାର୍ଯ୍ୟାଳୟରେ ଶେଷ ଦର୍ଶନ କରିଛନ୍ତି ସମସ୍ତ କର୍ମଚାରୀ। ଏକଜିକ୍ୟୁଟିଭ ଏଡ଼ିଟର ଦେବ ନାରାୟଣ ସେଠୀ ଶୋକ ପ୍ରକାଶ କରିଛନ୍ତି। ଏହାଛଡା ଅନ୍ୟ ସମସ୍ତ କର୍ମଚାରୀ ଶୋକ ପ୍ରକାଶ କରିବା ସହ ଶେଷ ଦର୍ଶନ କରିଥିଲେ। ପ୍ରଦୀପ୍ତ ଜଣେ ଭଲ ସହଯୋଗୀ ଓ ଭଲ ସହକର୍ମୀ ଥିଲେ। ନ୍ୟୁଜ ସେଭେନ ପାଇଁ ବଡ କ୍ଷତି ବୋଲି କହିଛନ୍ତି ସମସ୍ତେ। ପ୍ରଦୀପ୍ତଙ୍କ ଅନ୍ତିମ ସଂସ୍କାର ପୈତୃକ ଗାଁ ବାଲିଅନ୍ତା ଥାନା ଗୋପାଳଗଡ ଗାଁରେ  କରାଯିବ।