LIVE TV

ଭାରତକୁ ରୂପା ଆମଦାନୀ ଉପରେ ଲାଗିଲା ରୋକ, ନୋଟିଫିକେସନ ଜାରି କଲେ DGFT

NEWS7
Silver

ନୂଆଦିଲ୍ଲୀ ୨୮।୯: ସୁନା ଓ ରୂପା ଭାରତରେ କେବଳ ବିବାହ,ବ୍ରତ ଅଥବା ଧାର୍ମିକ କାର୍ଯ୍ୟ ନିମନ୍ତେ ନୁହେଁ ନିବେଶର ଏକ ମାଧ୍ୟମ ପାଲଟିଛି। ଏଥିରେ ଏକ୍ସପର୍ଟଙ୍କ କହିବା କଥା ହେଉଛି ସୁନା ସୁରକ୍ଷିତ ନିବେଶ ହୋଇଥିବା ବେଳେ ଏବେ ରୂପା ନିବେଶର ଭଲ ରିଟର୍ଣ୍ଣ ଦେଉଛି। ଖାସ ଏହି କାରଣରୁ ନିବେଶକ ଓ ଜ୍ୱେଲରୀ ଇଣ୍ଡଷ୍ଟ୍ରି ରୂପା ପ୍ରତି ଏତେ ଆକର୍ଷିତ ହେଉଛନ୍ତି। ତେବେ ରୂପାକୁ ନେଇ କେନ୍ଦ୍ରର ମୋଦି ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଡାଇରେକ୍ଟର ଜେନେରାଲ ଅଫ ଫରେନ ଟ୍ରେଡ୍ (ଡିଜିଏଫଟି) ନୋଟିଫିକେସନ ଜାରି କରି ରୂପା ଆଭୂଷଣ ଆମଦାନୀ ଉପରେ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି।

ଏହାର ଅର୍ଥ ହେଉଛି ଏବେ କୌଣସି ଜ୍ୱେଲର ଅଥବା ବ୍ୟବସାୟୀ ରୂପା ଜ୍ୱେଲରୀ ପ୍ରଡକ୍ଟ ବିଦେଶରୁ ଆମଦାନୀ କରିପାରିବେନି। ଏଥିରେ ଯଦି ବିଶେଷ ପରିସ୍ଥିତିରେ ଇମ୍ପୋର୍ଟ ଆବଶ୍ୟକ ହୁଏ ତେବେ ଏଥି ପାଇଁ ଡିଜିଏଫଟିଙ୍କ ଠାରୁ ଅନୁମତି ନେବାକୁ ପଡିବ। ସରକାରଙ୍କ କହିବା କଥା ହେଉଛି ଗତ କିଛି ସମୟ ହେଲା ଆଭୂଷଣ ଆଡୁଆଳରେ ବହୁଳ ପରିମାଣରେ ରୂପା ଆମଦାନୀ ହେଉଛି। ଏହାର ଯାଞ୍ଚରେ ଜଣାପଡିଛି ଯେ କିଛି ବ୍ୟବସାୟୀ ଫ୍ରି ଟ୍ରେଡ ଏଗ୍ରିମେଣ୍ଟ (ଏଫଟିଏ)ର ତ୍ରୁଟିପୂର୍ଣ୍ଣ ଉପଯୋଗ କରୁଛନ୍ତି। ଏହାର ସିଧା ପ୍ରଭାବ ଦେଶର ବଜାର ଓ ଛୋଟ ବ୍ୟବସାୟୀମାନଙ୍କ ଉପରେ ପଡୁଛି।

ଡିଜିଏଫଟିଙ୍କ ଅନୁସାରେ ଏପ୍ରିଲ-ଜୁନ ୨୦୨୪-୨୫ ଓ ଏପ୍ରିଲ-ଜୁନ ୨୦୨୫-୨୬ରେ ପ୍ରେଫରେନସିଆଲ ଡ୍ୟୁଟିରେ ରିହାତି କାରଣରୁ ଦେଶକୁ ରୂପା ଆମଦାନୀ ଲଗାତାର ବଢିବାରେ ଲାଗିଛି। ଏହି ସ୍ଥିତି ଭାରତରେ ଘରୋଇ ଉଦ୍ୟୋଗ ଓ ରୋଜଗାର ନିମନ୍ତେ ବିପଦର ସଂକେତ ଥିଲା। ବାହାରୁ ଆମଦାନୀ ବଢିବା ଯୋଗୁ ଭାରତର ସ୍ଥାନୀୟ ବଜାରରେ ଚାପ ବଢି ଯାଇଛି। ପାଇକାରୀ ମୂଲ୍ୟ ହ୍ରାସ ଯୋଗୁ ଛୋଟ କାରିଗର ଓ ଘରୋଇ ରୂପା ଜ୍ୱେଲରୀ ନିର୍ମାଣକାରୀ ଉଦ୍ୟୋଗ କ୍ଷତିରେ ପଡିଛନ୍ତି। ତେବେ ସରକାରୀ ଅଧିକାରୀଙ୍କ କହିବା କଥା ହେଉଛି ଡିଜିଏଫଟିଙ୍କ ଏହି ପଦକ୍ଷେପ ଦେଶରେ ଏମଏସଏମଇକୁ ସୁରକ୍ଷା ଦେବ।

ଏଏସଇଏନ ଦେଶଙ୍କ ମଧ୍ୟରେ ଥାଇଲ୍ୟାଣ୍ଡ, ମାଲେସିୟା, ଭିଏତନାମ, ସିଙ୍ଗାପୁର ସମେତ ୧୦ ଦେଶ ଅଛନ୍ତି। ଏମାନଙ୍କ ମଧ୍ୟରୁ ଥାଇଲ୍ୟାଣ୍ଡ ରୂପା ଉତ୍ପାଦନକାରୀ ଦେଶ ନୁହେଁ। ଏହା ସତ୍ତ୍ୱେ ସେଠାରୁ ଭାରତକୁ ବିପୁଳ ପରିମାଣରେ ରୂପା ଗହଣା ଆମଦାନୀ ହୋଇଛି। ଅଧିକାରୀମାନେ କହିଛନ୍ତି ଏହି ସବୁ ଆସିୟାନ-ଭାରତ ବାଣିଜ୍ୟ ବୁଝାମଣା (ଏଆଇଟିଆଇଜିଏ)ରେ ମିଳୁଥିବା କର ରିହାତିର ଲାଭ ନେବା ପାଇଁ ଏହା କରାଯାଇଛି। ଅର୍ଥାତ ଅନ୍ୟ ଦେଶରେ ତିଆରି ସାମଗ୍ରୀକୁ ଥାଇଲ୍ୟାଣ୍ଡ ରାସ୍ତାରେ ଭାରତକୁ ପଠାଇ ଟାରିଫ ଲାଭ ନିଆଯାଇଛି।