ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ, ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ହୋଇପାରେ । ଏହାସହ ଅଧିକ ଘନୀଭୂତ ହେଉଛି ସ୍ପଷ୍ଟ ଚିହ୍ନିଟ ଲଘୁଚାପ। ଅବପାତର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ସ୍ପଷ୍ଟ ଚିହ୍ନିତ ଲଘୁଚାପ।

ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୫୦ କିମି ଦୂରରେ ଅବପାତ କେନ୍ଦ୍ରୀଭୂତ ହୋଇଛି। ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ୨୪ ଘଣ୍ଟାରେ ଓଡିଶା ଉପକୂଳକୁ ଛୁଇଁବ। ବାଲେଶ୍ୱର ନିକଟ ଚାନ୍ଦବାଲି ଏବଂ ଦିଘା ମଧ୍ୟରେ ଅତିକ୍ରମ କରିବା ସମ୍ଭାବନା ରହିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି IMDର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

ସୋଆ ସିଇସି ମୁଖ୍ୟ ଶରତ ସାହୁଙ୍କ ଆକଳନ ଅନୁସାରେ ୬ ତାରିଖଠାରୁ (ସୋମବାର) କ୍ରମଶଃ ବର୍ଷା ପ୍ରକୋପ କମିବ। ତେବେ ୧୧/୧୨ ତାରିଖବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି। ଏଥିରେ ବଡ଼ ବର୍ଷା ନ ହେଲେ ମଧ୍ୟ ବର୍ଷା ପରିମାଣ ସାମାନ୍ୟ ବଢ଼ପାରେ।

ଆସନ୍ତା ୨ ଦିନ ଭିତରେ ଏହା ଉତ୍ତର ଓଡ଼ିଶା ଏବଂ ଉତ୍ତର ଛତିଶଗଡ଼ ଦେଇ ସ୍ଥଳଭାଗରେ ଆଗକୁ ବଢ଼ିବ। ସମ୍ଭବତଃ ଦକ୍ଷିଣ ପଶ୍ଚିମ ଉତ୍ତରପ୍ରଦେଶ ଓ ଉତ୍ତର ମଧ୍ୟପ୍ରଦେଶ ଆଡ଼କୁ । ତେଣୁ ୬ ତାରିଖରୁ ଓଡ଼ିଶାରେ ବର୍ଷା କମିପାରେ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ପାଣିପାଗ ବିଭାଗର ଆକଳନ ହେଲା-୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ।